#coronaUpdate: ଦୁଇ ଜିଲା ମୁକୁଳିଲାବେଳକୁ ଆଉ ୧ ନୂଆ ଜିଲ୍ଲା ଆକ୍ରାନ୍ତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଏହାକୁ ଲକ୍ଷ୍ୟ କରି ରାଜ୍ର ସରକାର ଜନଜୀବନକୁ ସ୍ଵଭାବିକ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏ ଭିତରେ ଭଲ ଖବର ବୁ ଜାତୀୟସ୍ତରରୁ ରାଜ୍ୟକୁ ଆସୁଛି କିନ୍ତୁ ତା’ ଭିତରେ ଗୋଟିଏ ଯୋଡ଼ିଏ ରୋଗୀ ପୁଣି ଚିହ୍ନଟ ହେବା ଲୋକଙ୍କ ମନରେ ଶଙ୍କା ବଢ଼ାଉଛି।

ଶନିବାରଦିନ କେନ୍ଦ୍ର ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଓଡ଼ିଶାର ୨ ଜିଲ୍ଲାରେ କରୋନା ଅବରୋଦ୍ଧ ହୋଇଥିବା କୁହାଯାଇଥିଲା। ଏଠାରେ ଗଲା ୧୪ ଦିନ ହେଲା କୌଣସି ରୋଗୀଙ୍କୁ ଦେଖିବାକୁ ମିଳି ନାହିଁ। ଏହି ଦୁଇ ଜିଲ୍ଲା ହେଲା ଭଦ୍ରକ ଏବଂ ପୁରୀ। କିନ୍ତୁ ଏ ଭିତରେ ଆଉ ଏକ ନୂଆ ଜିଲ୍ଲା ତାଲିକାରେ ସାମିଲ୍‌ ହୋଇଛି। ବାଲେଶ୍ଵର ସହରର ଜଣେ ୫୮ ବର୍ଷୀୟ ପୁରୁଷ କରୋନାକ୍ରାନ୍ତ ହୋଇଛନ୍ତି। ତାଙ୍କର ଯାତାୟାତ ତଥ୍ୟ ବିଭାଗ ପକ୍ଷରୁ ପ୍ରଦାନ କରାଯାଇ ନାହିଁ । ହେଲେ ତାଙ୍କ ବାବଦରେ ତଥ୍ୟ ସଂଗ୍ରହ ଜାରି ଥିବା ଜଣାପଡ଼ିଛି।

ଏବେ ରାଜ୍ୟରେ ୨୪ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତଙ୍କ ସଂଖ୍ରା ରହିଛି ୩୬। ଜଣଙ୍କର ମୃତ୍ୟୁ ଘଟିଛି। ଏହାଦ୍ଵାରା ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୬୧। ଏବେ ହସ୍‌ପିଟାଲ୍‌ରେ କରୋନା ସନ୍ଦେହରେ ୧୦୩ ଜଣ ଆସୋଲେସନ୍‌ରେ ରହିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ଦ୍ରୁତ ଟେଷ୍ଟିଂ ଆରମ୍ଭ କରାଯାଇଛି। ଭୁବନେଶ୍ଵର ମହାନଗର ନିଗମରେ ଏହି ଟେଷ୍ଟ କରାଯାଉଛି। ବିଶେଷକରି ପୁଲିସ, ସଫେଇ କର୍ମଚାରୀଙ୍କ ଭଳି ସମ୍ମୁଖ ଯୋଦ୍ଧା, କ୍ଷୀର ଦୋକାନୀ, ପରିବା ଦୋକାନୀ, ବିଭିନ୍ନ ବ୍ୟସାୟୀଙ୍କ ପରୀକ୍ଷଣ ଆଗ କରାଯାଉଛି। ଏହାସହ ସନ୍ଦିଗ୍ଧଙ୍କ ପରୀକ୍ଷଣ ହେଉଛି। ଏମାନଙ୍କୁ ୧୫-୩୦ ମିନିଟ୍‌ ଭିତରେ ଆବଶ୍ୟକ ଫଳାଫଳ ପ୍ରଦାନ କରାଯାଉଛି। ଯେଉଁମାନଙ୍କର ପଜିଟିଭ୍‌ ଆସୁଛି ସେମାନଙ୍କ ପାଇଁ ଆର୍‌ଟିପିସିଆର ବା ନିଶ୍ଚିତ ଫଳାଫଳ ଦେଉଥିବା ଟେଷ୍ଟିଂ କରାଯାଉଛି।

ଏବେ ଆର୍‌ଏମ୍‌ଆର୍‌ସି, ଆଇଜିଏଚ୍‌, ଏମ୍ସ, ଆପୋଲ,  ଏମକେସିଜି, ଆଇଏଲ୍‌ଏସ୍‌ରେ ଆର୍‌ଟିପିସିଆର୍‌ ଟେଷ୍ଟ କରାଯାଇପାରୁଛି। ଆଜିଠାରୁ ଭିମ୍‌ସାରରେ ଦୁଇଟି ସିଫ୍ଟରେ ୯୦ଟି ସାମ୍ପଲ୍‌ ପରୀକ୍ଷଣ ବ୍ୟବସ୍ଥା କରାଯାଇଛି ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

 

Leave a Reply

Your email address will not be published.