#କୋଭିଡ୍-୧୯: ଆଶ୍ଵସ୍ତ କରାଇଲେ ଭାରତୀୟ ବିଶେଷଜ୍ଞ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଆତଙ୍କ ଭିତରେ ଭାରତୀୟ ଗବେଷକ ତଥା ବିଶେଷଜ୍ଞ ବଡ଼ ଆଶ୍ଵସ୍ତିକର ସୂଚନା ଦେଇଛନ୍ତି। ସେମାନଙ୍କ ନିଷ୍ଠା ଓ ଗବେଷଣା ପ୍ରସୂତ ନୂତନ ଟିକା କରୋନା ଭୂତାଣୁକୁ ନାଶ କରିପାରିବ ବୋଲି କୁହାଯାଇଛି। ମହାମାରୀ ମାରାତ୍ମକ ଭୂତାଣୁର ମୁକାବିଲା ପାଇଁ ସେଭଳି ଟିକା ପ୍ରସ୍ତୁତି ଚାଲିଛି। ଉକ୍ତ ଟିକା ଇଞ୍ଜେକ୍ସନ ଭଳି ଦିଆଯିବ ନାହିଁ କି ପୋଲିଓ ବୁନ୍ଦା ଭଳି ପାଟି ଦ୍ଵାରା ସେବନ କରାହେବନି। ନାକପୁଡ଼ାରେ ଡ୍ରପ୍‌ ବା ବୁନ୍ଦା ପକାଯିବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ହାଇଦ୍ରାବାଦସ୍ଥିତ ଭରତ ବାୟୋଟେକ୍ ପକ୍ଷରୁ ‘କରୋଫ୍ଲୁ’ ନାମକ ଟିକା ପ୍ରସ୍ତୁତ କରାଯାଉଛି। କରୋଫ୍ଲୁ: ୱାନ୍ ଡ୍ରପ୍ କୋଭିଡ୍-୧୯ ନାସାଲ୍ ଭ୍ୟାକ୍ସିନ୍ ନାମକ ସମ୍ପୂର୍ଣ୍ଣ ନାମ ରହିଥିବା ଉକ୍ତ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ କମ୍ପାନୀ ଦ୍ଵାରା ଅନ୍ୟ ଫ୍ଲୁ ପାଇଁ ପ୍ରସ୍ତୁତ ଔଷଧଗୁଡ଼ିକ ସୁରକ୍ଷିତ ରହିବା ସହ ସୁଫଳ ଦେଇଥିଲା। ଭରତ ବାୟୋଟେକ୍ ୟୁନିଭରର୍ସିଟି ଅଫ୍ ୱିସ୍କାନ୍ସିନ୍-ମ୍ୟାଡିସନ୍ ଏବଂ ଫ୍ଲୁଜେନ କମ୍ପାନୀ ସହିତ ଏନେଇ ଚୁକ୍ତି କରିଛି। ଏକ ସମୂହ ବୈଜ୍ଞାନିକ ଦଳ ମିଳିତ ଭାବରେ ଉକ୍ତ ଟିକା ପ୍ରସ୍ତୁତ କରୁଛନ୍ତି। କରୋଫ୍ଲୁ ବିଶ୍ଵ ପ୍ରସିଦ୍ଧ ଫ୍ଲୁ ମେଡିସିନ୍ M2SR ଆଧାରରେ ପ୍ରସ୍ତୁତ କରାଯାଉଛି। ୟୋସିହିରୋ କାୱୋକା ଏବଂ ଗାବ୍ରିଏଲ୍ ନ୍ୟୁମ୍ୟାନ୍ ମିଳିତ ଭାବେ ପ୍ରସ୍ତୁତ କରିଥିବା M2SR ସ୍ଵାଇନ୍ ଫ୍ଲୁ ରୋଗ ପାଇଁ ଏକ ଶକ୍ତିଶାଳୀ ଔଷଧ। ଭାରତ ବାୟୋଟେକ୍‌ ପକ୍ଷରୁ ଏହାର ବ୍ୟବସାୟିକ ସମୃଦ୍ଧକରଣ ମୁଖ୍ୟ ଡକ୍ଟର ରାଶେସ ଏଲ୍ଲା କହିଛନ୍ତି ଯେ, ଉକ୍ତ ଟିକା ଭାରତରେ ଉତ୍ପାଦନ କରାଯିବ ଏବଂ ତାହାର କ୍ଲିନିକାଲ୍ ଟ୍ରାଏଲ କରାଯିବା ପରେ ୩୦୦ ମିଲିୟନ ଡୋଜ ପ୍ରସ୍ତୁତ କରାଯିବ। ୨୦୨୦ ଶେଷ ସୁଦ୍ଧା ମନୁଷ୍ୟ ଶରୀରରେ କ୍ଲିନିକାଲ୍ ଟ୍ରାଏଲ କରିବା ଆରମ୍ଭ କରାଯିବ। ସେଯାଏଁ ଲାବୋରେଟୋରୀରେ ପରୀକ୍ଷା ଜାରି ରହିବ।

Leave a Reply

Your email address will not be published. Required fields are marked *