୧୦ ପ୍ରତିଶତ ମହଙ୍ଗା ହେବ ଟିଭି!

ନୂଆଦିଲ୍ଲୀ (ଓଟି): କରୋନା ଭାଇରସ୍‌ର ପ୍ରଭାବ କାରଣରୁ ଟେଲିଭିଜନ୍ ସେଟ୍ ଆସନ୍ତା ମାସରେ ୧୦% ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଓପନ୍ ସେଲ୍ ଟିଭି ପ୍ୟାନେଲ୍‌ର ଅଧିକାଂଶ ଯୋଗାଣ ଚୀନ୍‌ରୁ ହୋଇଥାଏ । ମାତ୍ର ସେଠାରେ କରୋନା ଭାଇରସ୍ ସଂକ୍ରମଣ କାରଣରୁ ଟିଭି କମ୍ପାକ୍ଟର ଉତ୍ପାଦନ ବନ୍ଦ ରହିଛି । ହେଲେ କେତେକ କାରଖାନାରେ କାର୍ଯ୍ୟ ଆରମ୍ଭ ହୋଇଛି, କିନ୍ତୁ ସମ୍ପୂର୍ଣ୍ଣ କ୍ଷମତା ସହିତ କାର୍ଯ୍ୟ ସମ୍ପନ୍ନ ହୋଇପାରୁ ନାହିଁ । ତେଣୁ ଭାରତରେ ଯୋଗାଣ ହ୍ରାସ ପାଇଛି । ଇଣ୍ଡଷ୍ଟ୍ରିର ଅଧିକାରୀମାନଙ୍କର କହିବା ମୁତାବକ, ଯୋଗାଣ ଏବଂ ଉତ୍ପାଦନର ସ୍ଥିତି ସାମାନ୍ୟ ହେବା ପାଇଁ ଅତି କମ୍‌ରେ ୩ ମାସ ସମୟ ଲାଗିବ । ସେହି ସମୟ ସୁଦ୍ଧା ଟିଭି ମୂଲ୍ୟ ଉପରେ ପ୍ରଭାବ ପଡ଼ିବ । ତେବେ ଚୀନ୍‌ର ରପ୍ତାନି ହ୍ରାସ ପାଇବା କାରଣରୁ ଟିଭି ପ୍ୟାନେଲ୍‌ର ମୂଲ୍ୟରେ ୨୦% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ବର୍ତ୍ତମାନର ସ୍ଥିତି ଉପରେ ନଜର ପକାଇଲେ ଭାରତରେ ଟିଭି ଉତ୍ପାଦନରେ ୩୦ରୁ ୫୦% ପର୍ଯ୍ୟନ୍ତ ହ୍ରାସ ଆସିପାରେ ବୋଲି ଏସ୍‌ପିପିଏଲ୍‌ର ସିଇଓ ଅବନୀତ ସିଂହ ମାରୱାହ କହିଛନ୍ତି । ସେହିପରି ଆସନ୍ତା ଦିନମାନଙ୍କରେ ଫ୍ରିଜ୍ ଏବଂ ଏସି ମଧ୍ୟ ମହଙ୍ଗା ହୋଇପାରେ ବୋଲି ହାୟର ଇଣ୍ଡିଆ ସଭାପତି ଏରିକ୍ ବ୍ରିଗେଞ୍ଜା କହିଛନ୍ତି । ଅପରପକ୍ଷେ ଡିପ୍ ଫ୍ରିଜର୍ ମୂଲ୍ୟରେ ପୂର୍ବରୁ ହିଁ ୨.୫% ବୃଦ୍ଧି ହୋଇସାରିଛି । ଅଧିକାଂଶ କମ୍ପାନୀ ଫ୍ରିଜ୍ ଏବଂ ଏସିର କମ୍ପ୍ରେସର୍ ଚୀନ୍‌ରୁ ଆମଦାନୀ କରନ୍ତି ।

Leave a Reply

Your email address will not be published. Required fields are marked *