ଭାରତରେ ଦିନକରେ ରେକର୍ଡ ୪୩୦୮ ନୂଆ ସଂକ୍ରମିତ, ଦ୍ୱିତୀୟସ୍ଥାନକୁ ଉଠିଲା ତାମିଲନାଡୁ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍) : ଦେଶରେ କରୋନା ଭୂତାଣୁ ସଂକ୍ରମଣରେ ରେକର୍ଡ ବୃଦ୍ଧି ଘଟିଛି । ସୋମବାର ସକାଳ ସୁଦ୍ଧା ଦିନକ ମଧ୍ୟରେ ସର୍ବାଧିକ ୪୩୦୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ୨୪ଘଣ୍ଟାରେ ଏତେ ସଂଖ୍ୟାରେ ନୂଆ ସଂକ୍ରମିତ ହେବା ଭାରତ ପାଇଁ ପ୍ରଥମ । ଦେଶରେ ଗୋଟିଏ ଦିନ ମଧ୍ୟରେ ଏତେ ସଂଖ୍ୟକ ନୂଆ ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ । ସୋମବାର ସକାଳ ସୁଦ୍ଧା ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭,୧୫୨ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୨୨୦୬ ହୋଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୮୭୫ଜଣ ଥିବାବେଳେ ତାମିଲନାଡୁରେ ୬୬୮, ଗୁଜରାଟ ୩୯୮ ଓ ଦିଲ୍ଲୀରେ ୩୮୧ ଜଣ ରହିଛନ୍ତି ।
ପ୍ରବାସୀ ଶ୍ରମିକଙ୍କ ଘର ବାହୁଡା ଯୋଗୁଁ ପୂର୍ବାଞ୍ଚଳ ରାଜ୍ୟ ଯଥା ଓଡିଶା, ପଶ୍ଚିମବଙ୍ଗ, ବିହାରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏହି ତିନି ରାଜ୍ୟରେ ଗୋଟିଏ ଦିନରେ ୩୨୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଗୋଟିଏ ଦିନରେ ୧୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରୁ ମହାରାଷ୍ଟ୍ରର ସର୍ବାଧିକ ୫୩ଜଣ ଅଛନ୍ତି । ନୂଆ ସଂକ୍ରମିତ ଚିହ୍ନଟରେ ରେକର୍ଡ ହୋଇଥିବାବେଳେ ସଂକ୍ରମିତଙ୍କ ସୁସ୍ଥତା ମଧ୍ୟ ବୃଦ୍ଧି ପାଇଛି । ଦେଶରେ କରୋନା ଆରୋଗ୍ୟଙ୍କ ହାର ୩୧ ରହିଛି । ବର୍ତ୍ତମାନ ସୁଦ୍ଧା ମୋଟ ୨୦,୮୪୮ଜଣ ସୁସ୍ଥ ହେଲେଣି । ମହାରାଷ୍ଟ୍ର ଦେଶର କୋଭିଡ-୧୯ ହଟସ୍ପଟ ହୋଇ ରହିଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୨୨,୧୭୧ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୮୩୨ରେ ପହଞ୍ଚିଛି ।
କେବଳ ମୁମ୍ବଇରେ ୧୩,୭୩୯ଜଣ ସଂକ୍ରମିତ ହୋଇଥିବାବେଳେ ୫୦୮ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୪୧୯୯ଜଣ ସଂକ୍ରମିତ ସୁସ୍ଥ ହେଲେଣି । ଅନ୍ୟପଟେ ଦେଶର ଦ୍ୱିତୀୟ କୋଭଡି-୧୯ ହଟସ୍ପଟ ଭାବେ ଦିଲ୍ଲୀକୁ ପଛରେ ପକାଇଛି ତାମିଲନାଡୁ । ତାମିଲନାଡୁ ଦ୍ୱିତୀୟ ହଟସ୍ପଟ ହୋଇଛି । ତାମିଲନାଡୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୦୪ରେ ପହଞ୍ଚିଥିବାବେଳେ ଦିଲ୍ଲୀର ସଂକ୍ରମିତଙ୍କ ସଂଖ୍ୟା ୬୯୨୩ ରହିଛି । ତେବେ ଦିଲ୍ଲୀର ମୃତ୍ୟୁସଂଖ୍ୟା ୭୩ରେ ପହଞ୍ଚିଥିବାବେଳେ ତାମିଲନାଡୁର ମୃତ୍ୟୁସଂଖ୍ୟା ୪୭ ରହିଛି ।