#Corona Update: ୮୫ ବର୍ଷୀୟ ମହିଳାଙ୍କ ସହ ଓଡ଼ିଶାରେ ସୁସ୍ଥ ହେଲେ ୨୭
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଜଣେ ୮୫ ବର୍ଷୀୟ ମହିଳା ଆଜି କରୋନା ଭୁତାଣୁକୁ ମାତ୍ ଦେଇଛନ୍ତି। ସମ୍ କୋଭିଡ୍ ହସ୍ପିଟାଲ୍ରେ ଏହି ମହିଳାଜଣକ ଚିକିତ୍ସିତ ହେଉଥିଲେ। ୧୨ ଦିନ ଡାକ୍ତରମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରହିବା ପରେ ସେ ଭୁତାଣୁମୁକ୍ତ ହୋଇଛନ୍ତି। ତାଙ୍କୁ ଆଜି ଡାକ୍ତରଖାନାରୁ ମୁକ୍ତ କରାଯାଇଛି।
ଡାକ୍ତରଖାନା ପକ୍ଷରୁ କୁହାଯାଇଛିଯେ, ଏହି ମହିଳାଙ୍କ ସ୍ଵାସ୍ଥ୍ୟବାସ୍ଥା ଗୁରୁତର ଥିଲା। ତାଙ୍କ ଓଜନ୍ ମାତ୍ର ୨୨ କିଲୋ ଥିଲା। ସେ କିନ୍ତୁ କରୋନା ଭୁତାଣୁର ଭୟାବହତାକୁ ହରାଇବାରେ ସକ୍ଷମ ହୋଇଛନ୍ତି।
ଏଥିରୁ ସ୍ପଷ୍ଟ ହେଉଛି ଯେ, କରୋନା ସହ ଲଢ଼ି ଜୀବନ ଫେରିପାଇବା ଆଦୌ ଜଟିଳ ବ୍ୟାପାର ନୁହେଁ। କେବଳ ଠିକଣା ସମୟରେ ଚିକିତ୍ସା ଆବଶ୍ୟକ ହୋଇଥାଏ। ଏହିପରି ଭାବେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରୁ ଆଜି ସମୁଦାୟ ୨୭ଜଣଙ୍କୁ ଭୁତାଣୁ ମୁକ୍ତ ଚିହ୍ନଟ କରାଯାଇ ଘରକୁ ପଠାଯାଇଛି। ସେମାନଙ୍କ ମଧ୍ୟରେ ୮ ଜଣ ଭୁବନେଶ୍ଵରର ଥିବା ବେଳେ ୯ ଜଣ ବାଲେଶ୍ଵରରୁ, ୪ଜଣ ଭଦ୍ରକରୁ ଏବଂ ଗଞ୍ଜାମ ଓ ସୁନ୍ଦରଗଡ଼ରୁ ଚିକିତ୍ସା ପରେ ମୁକ୍ତ ହୋଇଛନ୍ତି। ସେହିପରି କୋରାପୁଟ ଓ କେନ୍ଦୁଝରରୁ ମଧ୍ୟ ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଥିବା ସ୍ଵାସ୍ଥ୍ୟ ବିଭାଗ ଦର୍ଶାଇଛି।
ଏବେ ସୁଦ୍ଧା ରାଜ୍ୟରେ ୧୪୩ଜଣ କରୋନା ଭୁତାଣୁ ମୁକ୍ତ ଚିହ୍ନଟ ହେବା ପରେ ଘରକୁ ଫେରିଛନ୍ତି। ସମୁଦାୟ ୫୩୮ରୁ ୩୯୨ଜଣ ରୋଗୀ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୦୭ଜଣ ଚିକିତ୍ସୀଧାୀନ ଥିବା ବେଳେ କରୋନା ମୁକ୍ତ ହୋଇ ରୋଗୀ ଫେରିଥିବାରୁ ରାଜ୍ୟର ୫ଟି ଜିଲ୍ଲାରେ କେହି କରୋନା ରୋଗୀ ନାହାନ୍ତି। ଏହି ଜିଲ୍ଲାଗୁଡ଼ିକ ହେଲା କଳାହାଣ୍ଡି, ଝାରସୁଗୁଡ଼ା, କୋରାପୁଟ, ଢେଙ୍କାନାଳ ଏବଂ ଦେବଗଡ଼।