ଆଜି ଉଠିବ ଶଟ୍ଡାଉନ୍, ଜାରି ରହିବ ଲକ୍ଡାଉନ୍: ମୁଖ୍ୟସଚିବ
ଭୁବନେଶ୍ଵର, (ଓଟି): ଦୁଇଦିନିଆ ଶ୍ଟ୍ଡାଉନ୍ ପରେ ଓଡ଼ିଶା ସରକାରଙ୍କ ଦମ୍ଭ ଫେରିଛି। ଆଉ ଭୁବନେଶ୍ଵର, କଟକ କି ଭଦ୍ରକ ସହରରେ ଆଉ ସମ୍ପୂଣ୍ଣ ଶଟ୍ଡାଉନ୍ର ଏବେ ଆବଶ୍ୟକ ନାହିଁ ବୋଲି ସମୀକ୍ଷା କରି ତାହାକୁ ଆଜି ରାତି ୮ଟା ପରେ ଉଠାଇନେବାକୁ ସରକାର ଘୋଷଣା କରିଛନ୍ତି। ମୁଖ୍ୟ ସଚିବଙ୍କ କହିବା ଅନୁସାରେ ଯେଉଁ ଗୋଷ୍ଠି ବା ସ୍ଥାନୀୟ ସଂକ୍ରମଣକୁ ଆଶଙ୍କା କରାଯାଉଥିଲା ତାହା ଭୁଲ୍ ପ୍ରମାଣିତ ହୋଇଛି। ସମସ୍ତ ଚିହ୍ନିତ ଘଟଣାରେ ସଂକ୍ରମଣର ଉତ୍ସ ରାଜ୍ୟ ବାହାରୁ ବା ଦେଶ ବାହାରୁ ଆମଦାନୀ ହୋଇଥିବା ନେଇ ପ୍ରଶାସନ ନିଶ୍ଚିତ ହୋଇଥିବା ସେ ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ଭିଡିଓ ବାର୍ତ୍ତା ଦେଇ ମୁଖ୍ୟସଚିବ ଅସିତ ତ୍ରିପାଠୀ କହିଛନ୍ତି, ଆଜି ରାତି ଆଠଟାରେ କଟକ, ଭୁବନେଶ୍ଵର ଏବଂ ଭଦ୍ରକରେ ଶଟ୍ଡାଉନ୍ ସରିବ। ଯେଉଁଠାରେ ହଟ୍ସ୍ପଟ୍ ରହିବ ସେଠାରେ ଜିଲ୍ଲା ପ୍ରଶାସନ ଚାହିଁଲେ ସେଠାରେ ଶଟ୍ଡାଉନ୍ ବନ୍ଦ କରିପାରିବ। ଆମେ ସଂକ୍ରମଣକୁ ଆୟତ୍ତ କରିଛୁ। କିନ୍ତୁ ଜନସାଧାରଣଙ୍କୁ ସଂକ୍ରମଣରୁ ବଞ୍ଚାଇବା ଲାଗି ଆବଶ୍ୟକ ସୋଶାଲ୍ ଡିଷ୍ଟାନ୍ସିଂ ରଖିବାକୁ ହେବ। ଏହାଦ୍ଵାରା ଦ୍ଵାରା ଆମେ କମାଇପାରିବା ବୋଲି ସେ କହିଛନ୍ତି।
ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଶ୍ରୀ ତ୍ରିପାଠୀ କହିଛନ୍ତି, ଓଡ଼ିଶାର ୮୦ ପ୍ରତିଶତ ରୋଗୀଙ୍କ ପାଖଷର କୌଣସି ଲକ୍ଷଣ ଦିଶୁ ନାହିଁ। ସେ ସୁସ୍ଥ ଭଳି ଦିଶୁଛନ୍ତି। ଏଣୁ ଆପଣ ଯଦି ବାହାରକୁ ଯାଉଛନ୍ତି ଏବଂ ସୋଶାଲ୍ ଡିଷ୍ଟାନ୍ସ ବଜାୟ ରଖୁ ନାହାନ୍ତି ତେବେ ଆପଣ ପରିବା ବଦଳରେ କରୋନା ଘରକୁ ଆଣିବା ଆଶଙ୍କା ରହିଛି। ଏଥିରୁ ଦୂରେଇ ରହିବାକୁ ସେ କହିଛନ୍ତି।
ସୂର୍ଯ୍ୟନଗର ଏବଂ ବମିଖାଲ୍ ଅଞ୍ଚଳରେ କରୋନା ସଂକ୍ରମଣର ଉତ୍ସ ଜାଣିବା ପରେ ପ୍ରଶାସନ ଆଶ୍ଵସ୍ତି ହୋଇ ଏହି କୋହଳ ପୋଷଣ କରିଛନ୍ତି। କିନ୍ତୁ ଯଦି ଜନସାଧାରଣ ଲକ୍ଡାଉନ୍କୁ ନମାନିବେ ତେବେ ପରିସ୍ଥିତି ବିଗିଡ଼ିବ ଏବଂ ବାଧ୍ୟ ହୋଇ ପ୍ରଶାସନ ଆହୁରି କଠୋର ନିଷ୍ପତ୍ତି ନେବ।
ସୂର୍ଯ୍ୟନଗରରେ ଜଣେ ରୋଗୀଙ୍କୁ ଚିହ୍ନଟ କରିବା ପରେ ସରକାର ସଂସ୍ପର୍ଶ ଚିହ୍ନଟ କରି ଅନ୍ୟମାନଙ୍କ ପରୀକ୍ଷା କରିଥିଲେ। ଏଥିରୁ ୭ଜଣ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ସେହିପରି ବମିଖାଲରେ ତିନି ଭାଇ କରୋନା ପଜିଟିଭ୍ ଆସିଥିଲେ। ଏବେ ରାଜ୍ୟରେ ସମୁଦାୟ କରୋନା ପଜିଟିଭ୍ଙ୍କ ସଂଖ୍ୟା ୨୧ ରହିଛି।
ସବୁ ଜିଲ୍ଲାପାଳଙ୍କୁ ବଜାର ନିରୀକ୍ଷଣ ଏବଂ ସୋସାଲ୍ ଡିଷ୍ଟାନ୍ସିଂ ମାନିବା କୁ ପର୍ଯ୍ୟବେକ୍ଷଣ କରିବାକୁ କୁହାଯାଇଛି। ଯଦି ଆପଣ ତାହାକୁ ନମାନିବେ ତେବେ ନିଷ୍ପତ୍ତି କଠୋର କରିବାକୁ ଆମେ ବାଧ୍ୟ ହେବୁ ବୋଲି ସେ କହିଛନ୍ତି।
ସ୍ଥାନୀୟ ନେତୃବୃନ୍ଦଙ୍କୁ ମୁଖ୍ୟ ସଚିବ ଅନୁରୋଧ କରିଛନ୍ତି ଯେ ସେମାନେ ନିଜ ନିଜ ସମ୍ପ୍ରଦାୟ ଓ ଅଞ୍ଚଳରେ ସଚେତନତା ବାର୍ତ୍ତା ବାଣ୍ଟନ୍ତୁ। ଯାହାଫଲରେ ଆମେ କରୋନାକୁ ଏଡ଼ାଇ ପାରିବା। କୌଣସି ପ୍ରକାରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସଉଦା, ପରିବା ଅଭାବ ହେବ ନାହିଁ ବୋଲି ସେ କହିଛନ୍ତି।