ବିପତ୍ତି ବେଳେ ବି ରାଜନୀତି: ଅସହାୟଙ୍କୁ ଭୋଜନରେ ପ୍ରିୟାପ୍ରୀତି

କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା):କରୋନା ସଂକ୍ରମଣ ଆଶଙ୍କାରେ ସରକାର ସମଗ୍ର ଦେଶରେ ଲକ ଡାଉନ ଘୋଷଣା କରିଥିବାରୁ ଏବେ ବହୁ ସଂଖ୍ୟକ ଦିନ ମଜୁରିଆ, ରାସ୍ତାକଡ଼ର ଜଳଖିଆ ଦୋକାନୀ, ଚା ଦୋକାନୀ, ପାନ ଦୋକାନୀ ପ୍ରଭୃତି ରୋଜଗାର ହରାଇ ଘରେ ହାତବାନ୍ଧି ବସିଛନ୍ତି । ଏହିଭଳି ଲୋକମାନେ ପ୍ରତିଦିନ ରୋଜଗାର କଲେ ତାଙ୍କ ଘରେ ଚୂଲି ଜଳେ । ଲକ ଡାଉନ ସମୟରେ ଏହି ଲୋକଙ୍କ ପରିବାରକୁ ଭୋକ ଉପାସରୁ ବଂଚାଇବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆର୍ଥୀକ ପ୍ୟାକେଜ ଘୋଷଣା କରିଛନ୍ତି ଓ ଏମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପଂଚାୟତ କର୍ତୃପକ୍ଷଙ୍କୁ ଦାୟିତ୍ୱ ଦେଇଛନ୍ତି । ଏଥିନିମନ୍ତେ ସରକାର ପ୍ରତି ପଂଚାୟତକୁ ୫ ଲକ୍ଷ ଟଙ୍କା ଦେବାକୁ ସ୍ଥିର କରିଛନ୍ତି । ପଞ୍ଚାୟତ କର୍ତ୍ତୃପକ୍ଷ ପଞ୍ଚାୟତ କଂଟିଜେନ୍ସି ଫଣ୍ଡରୁ ଟଙ୍କା ଖର୍ଚ୍ଚ କରି ପ୍ରତି ପଂଚାୟତରେ କରୋନା ସନନ୍ଦିଗ୍ଧଙ୍କୁ ଏକାନ୍ତବାସରେ ରଖିବାକୁ ଅସ୍ଥାୟୀ  କରୋନା ଆବାସ କରିବା ସହ ଅସହାୟଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପଂଚାୟତ କର୍ତ୍ତୃପକ୍ଷଙ୍କୁ କହିଛନ୍ତି । କିନ୍ତୁ ପଂଚାୟତର ସରପଂଚ, ସମିତି ସଭ୍ୟ ଓ କୁଜିନେତାମାନେ ସରକାରଙ୍କ ଏହି ଜନହିତକାରୀ ଯୋଜନାରୁ ରାଜନୈତିକ ଫାଇଦା ଉଠାଇବା ସହ ନିଜ ପକେଟ ଗରମ କରୁଛନ୍ତି।

ଅନେକ ସ୍ଥାନରେ ପଂଚାୟତ କର୍ତୃପକ୍ଷ ସର୍ବସାଧାରଣ ସ୍ଥାନରେ ରୋଷେଇ କରି ଅସହାୟଙ୍କୁ ଖାଦ୍ୟ ଯୋଗାଇ ଦେବା ବଦଳରେ ଲୁଚା ଛପାରେ ନିଜ ସମର୍ଥକଙ୍କ ଘରେ ଚୁଡ଼ା ଗୁଡ଼ ଦେଉଥିବା ଅଭିଯୋଗ ହେଉଛି । ସେହିଭଳି କେତେକ ସ୍ଥାନରେ ପଂଚାୟତ କର୍ତୃପକ୍ଷ କିଚି କୁଜିନେତାଙ୍କ ସହାୟତାରେ ଲୁଚାଛପାରେ ଭାତ ଡାଲମା ରୋଷେଇ କରି ନିଜ ସମର୍ଥକଙ୍କ ଘରେ ନେଇ ଦେଇଆସୁଛନ୍ତି । ଆଉ କେତେକ ସ୍ଥାନରେ କୁଜିନେତାମାନେ ଅସସହାୟଙ୍କୁ ଖାଦ୍ୟ ଯୋଗାଇ ଦେବା ଆଳରେ ରୋଷେଇ କରି ନିଜେ ଓ ତାଙ୍କ ସମର୍ଥକମାନେ ଚିକେନ, ମଟନ ଭୋଜିରେ ମାତିଥିବା ନେଇ ରାସ୍ତା ଘାଟରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ତେବେ ଏହି ଘଡ଼ିସନ୍ଧି ବେଳେ ଅସହାୟଙ୍କୁ ସାହାଯ୍ୟ କରିବାକୁ ସରକାର କରିଥିବା ଯୋଜନାରୁ କୁଜିନେତାମାନେ ନିଜର ରାଜନୈତିକ ଓ ବ୍ୟକ୍ତିଗତ ଫାଇଦା ଉଠାଇବାକୁ ଲାଗିପଡ଼ିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।

ପଂଚାୟତ କର୍ତୃପକ୍ଷ ତଥା କୁଜିନେତାଙ୍କର ଏହିଭଳି ମାରପେଂଚ କାମ ଜାରି ରହିଲେ ଲକ ଡାଉନ ସମୟରେ ରୋଜଗାର ହରାଇ ଭୋକ ଉପାସରେ ଦିନ କାଟୁଥିବା ଗରିବ ଅସହାୟଙ୍କୁ ସରକାରଙ୍କ ଖାଦ୍ୟ ଯୋଗାଇବା ଯୋଜନା ଯେ ଜିଲ୍ଲାରେ ଫସର ଫାଟିବ ଏଥିରେ ସନ୍ଦେହ ନାହିଁ ।

Leave a Reply

Your email address will not be published.