#କୋବିଡ୍-୧୯: ଓଡ଼ିଶାକୁ ଷ୍ଟେଜ୍-୩ ଆଶଙ୍କା

ଭୁବନେଶ୍ୱର (ଓଟି): ମହାମାରୀ କରୋନା ପାଇଁ କଣ କେମିତି ନିଆଯିବ ପଦକ୍ଷେପ? ଏହି ଚିନ୍ତା ସମଗ୍ର ବିଶ୍ଵକୁ ଘାରିଛି। ସବୁ ଦେଶ, ସବୁ ରାଜ୍ୟ- ସମସ୍ତ ପ୍ରଶାସନ ଏଥିରୁ ମୁକୁଳିବାର ରାହା ଖୋଜୁଛନ୍ତି। ଏହିକ୍ରମରେ ନାହିଁ ନାହିଁ କହୁକହୁ ଓଡ଼ିଶାରେ ଆତଙ୍କ ଖେଳାଇ ସାରିଛି ମାରାତ୍ମକ ଭୂତାଣୁ। ଏଭଳି ପରିସ୍ଥିତି ଯେ- ରାଜ୍ୟ ଭୂତାଣୁ କବଳର ତୃତୀୟ ସୋପାନ ବା ଷ୍ଟେଜ୍‌-୩କୁ ଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଖୋଦ୍‌ ରାଜ୍ୟ ସରକାରଙ୍କ ‘କୋଭିଡ୍-୧୯’ ସଂକ୍ରାନ୍ତୀୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି।

ବିଶ୍ଵରରେ ବଢୁଛି ଭୟ, ତାଳ ଦେଇ ଦେଶରେ ଆଉ ରାଜ୍ୟରେ। ରାଜ୍ୟରେ ତୃତୀୟ ପଜିଟିଭ୍ ରିପୋର୍ଟ ଆସିବା ପରେ ଆଶଙ୍କା ସାଂଘାତିକ ଆଡ଼କୁ ଯିବା ସ୍ଵାଭାବିକ ହୋଇଛି। ଶ୍ରୀ ବାଗ୍‌ଚୀଙ୍କ କହିବା ଅନୁସାରେ ପୂର୍ବରୁ କେବଳ ବିଦେଶରୁ ଆସୁଥିବା ବ୍ୟକ୍ତି ‘କରୋନା’ ଆକ୍ରାନ୍ତ ହେଉଥିବା ଜଣାପଡୁଥିଲା। ସମ୍ପ୍ରତି ଦିଲ୍ଲୀ ଓ ହରିୟାଣା ଭଳି ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକେ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ତେଣୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ପାଇଁ ଆମକୁ ଆହୁରି ସତର୍କ ହେବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।

ଆଶଙ୍କା କାହିଁକି?

ରାଜ୍ୟରେ ଚିହ୍ନଟ ହୋଇଥିବା ୩ୟ କରୋନା ଆକ୍ରାନ୍ତଙ୍କ ଘର ରାଜଧାନୀ ଭୁବନେଶ୍ୱର। ୬୦ବର୍ଷ ବୟସ୍କ ସମ୍ପୃକ୍ତ ବ୍ୟକ୍ତି ଦିଲ୍ଲୀ ଓ ହରିୟାଣାର ରିୱାଡ଼ି ଗସ୍ତକରି ଗତ ୧୦ରେ ଫେରିଥିଲେ। ନିଜ ପତ୍ନୀ ଓ ଝିଅଙ୍କ ସହ ଇଣ୍ଡିଗୋ ବିମାନରେ ରାଜଧାନୀ ଫେରିବା ପରେ   ୧୩ରେ ସେ ଅସୁସ୍ଥ ଅନୁଭବ କରିଥିଲେ। ୧୬ରେ ବିଧାନସଭା ଡିସ୍‌ପେନ୍‌ସରିରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ନିମୋନିଆ ପୀଡ଼ିତ  ହୋଇ ୨୧ରେ କର କ୍ଲିନିକରେ ଭର୍ତ୍ତି ହୋଇଥିଲେ। ଏପରିକି ୨୩ରେ ସେ ଆଇସିୟୁରେ ଭର୍ତ୍ତି ହୋଇଥିବାବେଳେ ୨୪ରେ ସେଠାରୁ ଡିସ୍‌ଚାର୍ଜ ହୋଇ ୨୫ରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସେଠାରୁ ତାଙ୍କ ରକ୍ତ ଓ ସ୍ୱାବ୍‌ ନମୁନା ପରୀକ୍ଷା ପାଇଁ ଦିଆଯାଇଥିଲା। ୨୬ରେ ସେ କୋଭିଡ୍-୧୯ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା। ତେଣୁ ତାଙ୍କ ପତ୍ନୀ, ଝିଅ ଓ ଡ୍ରାଇଭରଙ୍କୁ ଆଇସୋଲେସନରେ ରଖାଯାଇଛି ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ଖୋଜା ଚାଲିଛି।

Leave a Reply

Your email address will not be published.