ଶାସନ ମାଡ଼ରେ ଚାଷୀ ହତାଶ: ପନିପରିବାର ଅଭାବୀ ବିକ୍ରୀ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କଥା ଅଛି ‘ବିରି ମାଡ଼ରେ କୋଳଥ ଚୋପା’। ଓଡ଼ିଶା କ୍ଷେତ୍ରରେ ତାହା କରୋନା ଆଉ ଚାଷୀ ପାଇଁ ଉପଯୋଗୀ ହୋଇଛି। କରୋନାକୁ ଆଡ଼ କରିବା ପାଇଁ ପୁଲିସ ଓ ପ୍ରଶାସନ ଯେଉଁ ମାଡ଼ ମାରୁଛି, ଭୟ ଓ ଆତଙ୍କ ସୃଷ୍ଟି କରୁଛି ସେଥିରେ ଚାଷୀକୂଳ ସର୍ବନାଶ ହୋଇଛି। କ୍ଷେତରେ ଛନଛନିଆ ପନିପରିବା ଦେଖି ଆଉ ଚାଷୀକୁ ହସ ଲାଗୁନି ବରଂ ହତାଶା ବୋଧ ହେଉଛି। ରାଜ୍ୟର ବିଭିନ୍ନ କୋଣରେ ଏହି ଅବସ୍ଥା ଉତ୍କଟ ହେଉଥିବା ବେଳେ ଶାସନ କିନ୍ତୁ କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ଭାରତରେ ଆଗୁଆ ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ଟେକିବାରେ ଲାଗିଛି। ପ୍ରଶାସନର ଏପରି ଆଚରଣ ‘ଅମୁହାଁ ରଜା ଓ ପାଳଚୁଣ୍ଟା ମନ୍ତ୍ରୀ’ ଉପାଖ୍ୟାନକୁ ସ୍ପଷ୍ଟ କରୁଛି।
କରୋନା ଆତଙ୍କରେ ସମସ୍ତଙ୍କୁ ଘରେ ରହିବାର ଆଦେଶ ଦିଆଯାଇଛି। ସୋଶାଲ୍ ଡିଷ୍ଟାନ୍ସିଂ ନମାନିଲେ ପୁଲିସର ଲାଠି ଦମ୍ ଦମ୍ ପଡ଼ୁଛି। ରାସ୍ତା ଘାଟରେ ପୁଲିସ ନାଲି ଆଖି ଦେଖଉଛି। ପରିସ୍ଥିତି ଏମିତି ହୋଇଛଇ ଯେ, କନଷ୍ଟେବଳ ଇନ୍ସପେକ୍ଟର ଭଳି ଆଚରଣ କରୁଛି ଆଉ ଇନ୍ପ୍ଟେକର ଏସ୍ପି ପୁଣି ଏସ୍ପି ଡିଜି ପୁଲିସ ଭଳି। ଏହି ବ୍ୟବସ୍ଥା ଡିଜି ପୁଲିସଙ୍କ ସ୍ଥାନ କେଉଁଠି ତାହା ଅସ୍ପଷ୍ଟ। ଆଖିକୁ ଜଳଜଳ ଦିଶୁଥିବା ଏହି କନଷ୍ଟେବଳ ଶାସନ ଗାଁ, ସହର ଏବଂ ରାଜ୍ୟ-ରାଜ୍ୟ ଭିତରେ କୃଷି ଜାତ ଦ୍ରବ୍ୟ, ପନିପରିବା ପରିବହନକୁ ଆଘାତ ଦେଇଛି। ଯଦିଓ ଉପର ମୁଣ୍ଡରେ ଏହି ଭୁଲ୍କୁ ସ୍ଵୀକାର କରି ତାହାକୁ ସୁଧାରିବା ଲାଗି ନିୟମ ବଦଳାଯାଇଛି କିନ୍ତୁ ଆଜିବି ଚାଷୀର ପନିପରିବା ବିଲରେ ପାଚି ଝଡ଼ିପଡ଼ୁଛି ବା ରାସ୍ତାରେ ଗଡ଼ି ଶଢ଼ୁଛି। ପୁଣି ଆଖି ଆଗରେ ଜୀବନର ଏହି ଅପମୃତ୍ୟୁକୁ ସହି ନପାରି ଚାଷୀ ଯଦି ପନି ପରିବାକୁ ବିକ୍ରି କରିବାକୁ ଚାହୁଁଛି ତେବେ ସେଥିରୁ କିଛି କୁମ୍ଭ ମୂଲରେ ଉଠୁଛି ସିନା ନା ସେଥିରୁ ଦି’ ପଇସା ବି ମିଳୁ ନାହିଁ।

ଚାଷୀ ନେତା ଅକ୍ଷୟ ଏ ସମ୍ପର୍କରେ କୃଷି ବିଭାଗ ଏବଂ ସ୍ଵତନ୍ତ୍ର ରିଲିଫ୍ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିନା କୌଣସି ପ୍ରସ୍ତୁତିରେ ଏପରି ଏକ ଅବାଞ୍ଛିତ ଲକ୍ଡାଉନ୍ ଘୋଷଣା ହେତୁ ଚାଷୀକୂଳ ମୃତ୍ୟୁ ସହ ସଂଗ୍ରାମ କରୁଛି ବୋଲି ସେ କହିଛନ୍ତି। ଏଯାଏ ଲୋକଙ୍କ ପାଖରେ ଧାନ ପଡ଼ି ରହିଛି। ପନିପରିବା ଜମିରୁ ଉଠି ପାରୁ ନାହିଁ। ମୁଁ ରିଲିଫ୍ କମିଶନରଙ୍କୁ ଅନୁରୋଧ କରିଛି ଅତିକମ୍ରେ ଚାଷୀର କ୍ଷେତରୁ ପନି ପରିବା ହାଟ, ବଜାର ବା ନିକଟସ୍ଥ ବେପାରୀଙ୍କ ପାଖଷର ପହଞ୍ଚାଇବା ବ୍ୟବସ୍ଥା କରାଯାଉ। ହେଲେ ତାହାକୁ କେହି ଶୁଣୁ ନାହାନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଦୂରଦର୍ଶୀ ଲକ୍ଡାୁଉନ୍ ଆଜି ଦେଶରେ କୃତ୍ରିମ ଅଭାବୀ ସୃଷତ୍ଟି କରୁଛି। ଆଗକୁ ଏହା ଆହୁରି ଉତ୍କଟ ହେବ।
ରାଜ୍ୟ କୃଷିମନ୍ତ୍ରୀ ଗଣମାଧ୍ୟମରେ ଅନେକ ବିବୃତ୍ତି ରଖୁଛନ୍ତି କିନ୍ତୁ କେବେ ଚାଷୀ ପାଇଁ ଯାହା ଆବଶ୍ୟକ ସେ ବାବଦରେ ଚର୍ଚା କରୁ ନାହାନ୍ତି। କିଛିଦିନ ପୂର୍ବେ ସୋଶାଲ୍ ମିଡିଆରେ କ୍ଷେତ୍ରରୁ କୋବି ମୂଲ କରି ବେଶ୍ ଚର୍ଚିତ ହୋଇଥିଲେ, ଏବେ ନିଜ କର୍ତ୍ତବ୍ୟକୁ ପୂରଣ କରିବା ଆବଶ୍ୟକ ହେଉଛି।
ସହର ଓ ଗାଁରେ ଆଉ ହାଟ ନାହିଁ। ଫଳରେ ବେପାରୀ ଆଉ ଚାଷୀଠୁ ପନିପରିବା ଉଠାଇବାକୁ ଡରୁଛନ୍ତି। କାରଣ ଯଦି ପନିପରିବା ଚାଷୀଠୁ କିଣା ଯାଏ ତେବେ ନିର୍ଦିଷ୍ଟ ସମୟରେ ନିର୍ଦିଷ୍ଟ ସ୍ଥାନରେ ସେହି ପରିବା ଠିକଣା ଦାମ୍ରେ ବିକ୍ରି କରିବା କଷ୍ଟକର। ଏଣୁ ସବୁ ଦିନ କ୍ଷତି ସହି ବ୍ୟବସାୟ କରିବା ଅପେକ୍ଷା ଅନେକ ବ୍ୟବସା୍ରୀ ବେପାରକୁ ଓହ୍ଲାଉନାହାନ୍ତି। କେନ୍ଦ୍ରାପଡ଼ାର ଜଣେ ପନିପରିବା ବ୍ୟବସାୟୀ ନାଗାର୍ଜୁନ ମଲ୍ଲିକଙ୍କ କହିବା ଅନୁସାରେ ‘ଆମେ କିଣୁଥିବା ପରିବାରୁ ଅନେକ ନଷ୍ଟ ହେଉଛି। ବଜାର ଆରମ୍ଭରୁ ଲୋକଙ୍କୁ ଅପେକ୍ଷା କରୁଛୁ, ଦାମ ଠିକ୍ ରହୁଛି। କିନ୍ତୁ ବିକ୍ରି ସମୟ ଶେଷ ହେବା ବେଳକୁ ଗ୍ରାହକଙ୍କ ଭିଡ଼ ଜମୁଛି। ଗ୍ରାହକଙ୍କୁ ଦୂରେଇ ଠିଆ ହେବାକୁ କହୁ କହୁ ପୁଲିସ ଆସି ଆମ ପିଠିରେ ଦି ପାହାର ପକାଉଛି। ସେତେବେଳେ ପନି ପରିବା କେତେ ଦାମରେ ବିକଅି ହେବ, ତାହା କହିବା ମୁସ୍କିଲ୍ଁ ବୋଲି ସେ କହିଛନ୍ତି।
‘ହଁ ଚାଷୀ ମଧ୍ୟ ସେମିତି ଆମକୁ ଅତ୍ୟନ୍ତ କମ୍ ମୂଲ୍ୟରେ ପନିପରିବା ଦେଉଛନ୍ତି। ଏଥିରେ ତାଙ୍କର କିଛି ଲାଭ ହେଉଥିବା ଭଳି ମନେ ହେଉ ନାହିଁ। ଚାଷୀ ଅତ୍ୟନ୍ତ ଦୁଃଖରେ ଥିଲେ ବି ଆମେ କ’ଣ କରିପାରିବୁ। ଆମ ପାଖୁ ଆସୁଥିବା ଅନେକ ପରିବା ବି ଦିନ ଶେଷକୁ ଶଢ଼ୁଛି, ନଷ୍ଟ ହେଉଛି’।
ଆମ ରାଜ୍ୟରେ ଶୀତଳ ଭଣ୍ଡାର ନାହିଁ କି ବିକ୍ରି ଚେନ୍। ବାବୁଙ୍କ ଘରେ ପନିପରିବା ପହଞ୍ଚିଯାଉଥାଇପାରେ କିନ୍ତୁ ସାଧାରଣ ଲୋକ ବାହାରେ ଭୟ ଦେଖି ପନିପରିବା କିଣିବାକୁ ଯାଉନି। ଯେଉଁମାନେ ଘର ଦୂଆରକୁ ଆସୁଛନ୍ତି ସେମାନଙ୍କଠୁ ପନିପରିବା ଚଢ଼ା ଦରରେ କିଣୁଛନ୍ତି। ତାହା ପୁଣି ତଟକା ହେବା ଜରୁରୀ ନୁହେଁ। ଅର୍ଥାତ୍ ବିଲରେ ପରିବା ଅଛି। କିନ୍ତୁ ଗ୍ରାହକ ଶୁଖିଲା, ପୋକଡ଼ା ପରିବାରେ ନିଜ ପସନ୍ଦ ବାଛୁଛନ୍ତି ବୋଳି କହିଛନ୍ତି ହିମାଂଶୁ ପଣ୍ଡା। ଭୁବନେଶ୍ଵରର ଶ୍ରୀ ପଣ୍ଡା କହିଛନ୍ତି ଏବେ କିଛି ପନିପରିବା ମିଳୁଛି କିନ୍ତୁ ଦର ଓହ୍ଲାଉନି।
ଦେଶର ଅର୍ଥନୀତି ବିଗିଡ଼ିଛି। ବିକଶିତ ଦେଶଗୁଡ଼ିକ ଯେଉଁପରି ଭାବେ ନିଜର ଶକ୍ତି ସଜାଗ କରିବା ପାଇଁ ଆହ୍ବାନ ଦେଲେଣି ସେଥିରେ ସାମରିକ ଯୁଦ୍ଧ ହେବାର ବି ଆଶଙ୍କା ସୃଷ୍ଟି ହେଲାଣି। ଯଦି ଜାତିସଂଘ ଓ ଅନ୍ୟ ବିଶ୍ଵ ଅନୁଷ୍ଠାନ ଓ ଚୁକ୍ତିସବୁ ବିଫଳ ହୁଏ ତେବେ ବିଶ୍ଵ ଅର୍ଥନୀତି ଆଗକୁ ଆହୁରି ବିପର୍ଯ୍ୟସ୍ତ ହେବ ଏହା ନିଃସନ୍ଦେହ। ଏସବୁରୁ ଆମ ଭିତରେ ଯଦି ଗୃହଯୁଦ୍ଧ ଓ ହାହାକାରରୁ କିଏ ବଞ୍ଚାଇପାରିବ ତାହା ହେଉଛି ଚାଷୀକୂଳ। ହେଲେ ତାହା ଏବେ ସବୁଠୁ ପଛରେ। ଚାଷୀକୁ ଆସନ୍ତା ଚାଷ ଋତୁ ପାଇଁ ସହାୟତା ଦେବା ଦୂରର କଥା ତା’ ଉପରେ ଦାଉ ସାଧିଲେ ତାହାର ମନୋବଳ ଭାଙ୍ଗିଯିବ। ଯେଉଁ ପରିସ୍ଥିତି ସୃଷ୍ଟି ହେଲାଣି ତାହାକୁ ସୁଧାରିବା ଲାଗି ଆଉ ଦୁଇବର୍ଷ ଆଗକୁ ବିନା କୌଣସି ସର୍ତ୍ତରେ ଚାଷୀକୁ ସହାୟତା ହାତ ବଢ଼ାଇବା ଆବଶ୍ୟକ ରହିଥଇବେ କହିଛନ୍ତି ଚାଷୀ ନେତା ଅକ୍ଷୟ।
ସରକାରୀ ସ୍ତରରେ ଗାଁରୁ ପନିପରିବା ଆଣି ବିକ୍ରି କରିବା ବ୍ୟବସ୍ଥା ହେଉ। ଏହାକୁ ଏକ ଅତ୍ୟାବଶ୍ୟକ ସେପା ଭାବେ ଗ୍ରହଣ କରାଯାଉ। କୃଷି, ଯୋଗାଣ ଏବଂ ସମବା୍ର ବିଭାଗ ଏଥିଲାଗି ଦଳବଦ୍ଧ ଭାବେ କାର୍ଯ୍ୟ କରିବା ଦରକାର ବୋଲି କୃଷି ଅର୍ଥନୀତି ବିଶେଷଜ୍ଞ ନଟବର ଖୁଣ୍ଟିଆ କହିଛନ୍ତି। ଏବେ ଚାଷୀକୁ ଆବଶ୍ୟକ ସାର ଓ ବିହନ ଯୋଗାଣ ସମୟ। ଟଆକ୍ଟର, ପାୱାର ଟିଲର ବ୍ୟବସ୍ଥା କରିବା ଆବଶ୍ୟକ। ଏହି ସମୟରେ କେବଳ ଭାଷଣ ଦେଲେ ହେବ ନାହିଁ ବରଂ କ୍ଷେତରେ ଚାଷୀକୁ ସୁବିଧା ପହଞ୍ଚୁଛି କି ନା ତାହା ନିଶ୍ଚିତ କରିବା ସମୟ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି।