କରୋନା ପାଇଁ ଉତ୍ସବ ବନ୍ଦ: ମନ୍ଦିର, ମସଜିଦ ଖାଁ ଖାଁ
କେନ୍ଦ୍ରାପଡା଼, (ପ୍ରଦୀପକୁମାର ଜେନା):କରୋନା ପାଇଁ ସମଗ୍ର ଦେଶ ସମେତ ଓଡ଼ିଶା ଲକ୍ ଡାଉନ ହୋଇଥିବାରୁ ସବୁ ଉତ୍ସବ ଅନୁଷ୍ଠାନ ବନ୍ଦ ହୋଇ ଯାଇଛି । ମନ୍ଦିର, ମସଜିଦ ସମେତ ଅନ୍ୟ ଧର୍ମପୀଠ ଗୁଡ଼ିକ ଏବେ ଖାଁ ଖାଁ ହୋଇ ପଡ଼ିଛି । ହିନ୍ଦୁ ଧର୍ମାବଲମ୍ବିମାନେ ମନ୍ଦିର ଯାଉ ନଥିବା ବେଳେ ମୁସଲମାନ ଲୋକେ ମଧ୍ୟ ସମୁହ ପ୍ରାର୍ଥନା ପାଇଁ ମସଜିଦ ଯାଉ ନଥିବା ଦେଖା ଯାଉଛି ।
କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ କେନ୍ଦ୍ର ଓ ରାଜ୍ୟସରକାର ଲକ ଡାଉନ ଘୋଷଣା କରିବାରୁ ହିନ୍ଦୁମାନଙ୍କର ବଡ଼ ପର୍ବ ଦୋଳ ପର୍ବ ଅଧାରୁ ବନ୍ଦ ହୋଇଗଲା । ବାରୁଣୀ ସ୍ନାନ ଅବସରରେ ହନ୍ଦୁମାନେ ବିଭିନ୍ନ ନଦୀକୁ ବାରୁଣୀ ବୁଡ଼ ପକାଇବା ପାଇଁ ଯାଇନାହାଁନ୍ତି । ସେହିପରି ହିନ୍ଦୁମାନଙ୍କର ଜାତୀୟ ପର୍ବ ରାମନବମୀ ପାଳନ ମଧ୍ୟ ବନ୍ଦ ହୋଇ ଯାଇଛି । ରାମନବମୀ ଅବସରରେ ହିନ୍ଦୁମାନେ ବିଭିନ୍ନ ରାମ ମନ୍ଦିର ଓ ହନୁମାନ ମନ୍ଦିରକୁ ଯାଇ ଭୋଗ ଲାଗି କରନ୍ତି । କିନ୍ତୁ କାରାନା ଲକ ଡାଉନ ଯୋଗୁ ହିନ୍ଦୁମାନେ କୌଣସି ରାମ ମନ୍ଦିର ବା ହନୁମାନ ମନ୍ଦିରକୁ ଯାଇ ନାହାଁନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ହନୁମାନ ଓ ରାମ ମନ୍ଦିର ଗୁଡ଼ିକ ରାମ ନବମୀ ଦିନ ଖାଁ ଖାଁ ଲାଗୁଥିଲା ।
ରାମ ନବମୀ ଦିନରୁ ରାମ ମନ୍ଦିର ଓ ହନୁମାନ ମନ୍ଦିରରେ ରାମଲୀଳା ଯାତ୍ରା ଆରମ୍ଭ ହେବାର ପରମ୍ପରା ରହିଥିଲେ ବି ଏବର୍ଷ କୌଣସି ଠାରେ ରାମଲୀଳା ହେଉନାହିଁ । ଅନେକ ହିନ୍ଦୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ମନ୍ଦିର ଯାଆନ୍ତି । କିନ୍ତୁ ଏବେ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବା ଭୟରେ ସକାଳେ ଓ ସନ୍ଧ୍ୟାରେ କେହି ମନ୍ଦିର ଯାଉ ନାହାଁନ୍ତି । କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେଦବଜୀଉଙ୍କ ମନ୍ଦିରକୁ ମଧ୍ୟ ଭକ୍ତମାନେ ଯାଉ ନାହାଁନ୍ତି । ଜିଲ୍ଲାରେ ଥିବା ସମସ୍ତ ମଠ ମନ୍ଦିର ଗୁଡ଼ିକ ଖାଁ ଖାଁ ହୋଇପଡ଼ିଛି । ସେହିପରି କେନ୍ଦ୍ରାପଡ଼ା ସହରରେ ବହୁ ସଂଖ୍ୟକ ମୁସଲମାନ ସମ୍ପ୍ରଦାୟର ଲୋକେ ବାସ କରୁଥିଲେ ବି ମୁସଲମାନମାନେ ସମୁହ ନମାଜ ପାଠ କରିବାକୁ ମସଜିଦକୁ ଯାଉ ନଥିବା ଦେଖା ଯାଉଛି । କେନ୍ଦ୍ରାପଡ଼ା ସହରର ପୁରୁଣା ବସ ଷ୍ଟାଣ୍ଡ ଠାରେ ଥିବା ସହରର ସର୍ବ ପୁରାତନ ଜୁମା ମସଜିଦ୍ରେ ମଧ୍ୟ ଏବେ ସମୁହ ନମାଜ ପାଠ ହେଉ ନାହିଁ ।
ଏହି ଜୁମା ମସଜିଦରେ ପ୍ରତିଦିନ ୫ ଥର ନମାଜ ପାଠ ହୁଏ ଓ ପ୍ରତିଥରରେ ୪ ଶହରୁ ୫ ଶହ ଲୋକ ସମୁହ ନମାଜ ପାଠ କରନ୍ତି । ଏଥିସହ ସହରରେ ୧୩ଟି ମସଜିଦ ରହିଛି ଓ ମୁସଲମାନ ପ୍ରଥା ଅନୁସାରେ ସବୁ ମସଜିଦରେ ସମୁହ ନମାଜ ପାଠ ହୋଇଥାଏ । କିନ୍ତୁ କରୋନନା ସଂକ୍ରମଣ ଭୟରେ ଏବେ ସମୁହ ନମାଜ ପାଠ ପାଇଁ କେହି ମସଜିଦ ନଯାଇ ନିଜ ଘରେ ରହି ନମାଜ ପାଠ କରୁଛନ୍ତି । କେନ୍ଦ୍ରାପଡ଼ା ସହର ନୁହେଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମସଜିଦ ଗୁଡ଼ିକୁ ନମାଜ ପାଠ କରିବାକୁ କେହି ନଯାଇ ନିଜ ଘରେ ନମାଜ ପାଠ କରୁଛନ୍ତି ।
ତେବେ କେନ୍ଦ୍ରାପଡ଼ା ସହରର ବାସିନ୍ଦା ମହମଦ ଜମିଲ ଅହମଦଙ୍କୁ ଏ ନେଇ ପଚାରିବାରୁ ସେ କହିଛନ୍ତି ଯେ, “ଗୋଟିଏ ସ୍ଥାନରେ ବହୁ ଲୋକ ଏକତ୍ରିତ ହୋଇ ସମୁହ ନମାଜ ପାଠ କଲେ କରୋନା ଭୂତାଣୁ ସଂକ୍ରମଣର ସମ୍ଭାବନା ଥିବାରୁ ଲୋକମାନେ ସରକାରଙ୍କ ଲକ ଡାଉନକୁ ମାନି ମସଜିଦ ନଯାଇ ନିଜ ଘରେ ରହି ନମାଜ ପାଠ କରୁଛନ୍ତି ।” ଏଥିସହ ସେ ମଧ୍ୟ କହିଛନ୍ତି, “ପ୍ରଥମେ ମଣିଷ ଓ ପରିବାର ବଂଚିଲେ ସମାଜ ବଂଚିବ, ତା’ ପରେ ଯାଇ ଧର୍ମ ବଂଚିବ । ତେଣୁ କରୋନା ଭୂତାଣୁ ଠାରୁ ଦୂରେଇ ରହି ମଣିଷ ଓ ସମାଜ ବଂଚିବା ପରେ ଧର୍ମ ଓ ସମ୍ପ୍ରଦାୟ କଥା ଚିନ୍ତା କରାଯିବ । ସର୍ବ ପ୍ରଥମେ ମଣିଷ ବଂଚିବା ଉପରେ ଇସଲାମ ଧର୍ମ ଗୁରୁତ୍ୱ ଦିଆଯାଇଛି ।” ସେହିପରି ଦିଲ୍ଲୀର ନିଜାମୁଦ୍ଦିନ ଠାରେ ହୋଇଥିବା ଧର୍ମ ସମ୍ମିଳନୀ ସମ୍ପର୍କରେ ସେ କହିବାକୁ ଯାଇ କହିଛନ୍ତି ଯେ, “ସମଗ୍ର ପୃଥିବୀରେ ଯେତେବେଳେ କରୋନା ଭୂତାଣୁ ଦ୍ରୁତ ବେଗରେ ସଂକ୍ରମିତ ହୋଇ ହଜାର ହଜାର ଲୋକଙ୍କ ପ୍ରାଣହାନୀର କାରଣ ହେଉଛି ସେହି ସମୟରେ ସରକାରଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ଦେଶ ଭିତରେ ହଜାର ହଜାର ଲୋକଙ୍କୁ ଏକାଠି କରି ଧର୍ମ ସମ୍ମିଳନୀ କରିବା ଠିକ ନୁହେଁ ଓ ଏ ଦିଗରେ ଦିଲ୍ଲୀ ସସରକାରଙ୍କ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଥିଲା ।
ଧର୍ମ ସମ୍ମିଳନୀର ଆୟୋଜକଙ୍କ ବେପରୁଆ ମନୋଭାବ ତଥା ଦିଲ୍ଲୀ ସରକାରଙ୍କ ଢିଲାପଣ ଯୋଗୁ ଧର୍ମ ସମ୍ମିଳନୀରେ କରୋନା ଆକ୍ରାନ୍ତ ଦେଶର ପ୍ରତିନିଧୀମାନେ ଯୋଗ ଦେଇଥିଲେ ଓ ଦେଶରେ କରୋନା ବହୁମାତ୍ରାରେ କରୋନା ବ୍ୟାପିବାର ଭିତିଭୂମୀ ସୃଷ୍ଟି ହେଲା ।” ବିଶ୍ୱର ଏହି ଘଡ଼ିସନ୍ଧି ସମୟରେ ଏପରି ଧର୍ମ ସମ୍ମିଳନୀର ଆୟୋଜନକୁ ମୁସଲମାନ ସମ୍ପ୍ରଦାୟ ଲୋକମାନେ ନାପସନ୍ଦ କରୁଛନ୍ତି ବୋଲି ମଧ୍ୟ ସେ କହିଛନ୍ତି ।