#Corona ମାଡ଼: କର୍ମଚାରୀଙ୍କ ଦରମା ବନ୍ଦ କଲା ଓସିପିଏଲ୍!
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଓଡ଼ିଶା ତାପଜ ବିଜୁଳି ନିଗମ ଏବଂ ଜଳ ବିଦ୍ୟୁତ୍ ନିଗମର ଯୌଥ ଉଦ୍ୟୋଗରେ ଗଢ଼ି ଉଠିଥିବା ରାଜ୍ୟ ସରକାରଙ୍କ କୋଲ୍ ଆଣ୍ଡ ପାୱାର ଲିମିଟେଡ୍ ( ଓସିପିଏଲ୍) ଏହାର କିଛି କର୍ମଚାରୀଙ୍କୁ ଦରମା ଦେଇ ନାହିଁ। ଏହାର କାରଣ ପଛରେ କମ୍ପାନୀର ଦେବାଳିଆ ପଣ ବା କ୍ଷତି ଦାୟୀ ତାହା ନୁହେଁ କିନ୍ତୁ ପରୋକ୍ଷଭାବେ କରୋନା ଭୁତାଣୁକୁ ଏଥିଲାଗି ଦାୟୀ କରାଯାଉଛି। କରୋନା ବିପତ୍ତି ଓ ଲକ୍ଡାଉନ୍ ସମୟରେ ଏହି କର୍ମଚାରୀମାନେ ସେମାନଙ୍କ ନିଜ ନିଜ ସ୍ଥାନରେ ଫଶି ରହି କମ୍ପାନୀକୁ ଫେରି ପାରି ନଥିବାରୁ ସେମାନଙ୍କ ଦରମା କମ୍ପାନୀ କାଟିଛି ବୋଲି ଏହି କର୍ମଚାରୀମାନେ ଅଭିଯୋଗ କରିଛନ୍ତି।
ଦରମା ପାଇ ନଥିବା ଏହି କର୍ମଚାରୀମାନେ ଚୁକ୍ତି ଭିତ୍ତିରେ କମ୍ପାନୀ ପେ’ରୋଲ୍ରେ କାମ କରୁଛନ୍ତି। ଏବେ ଏହି କର୍ମଚାରୀମାନେ କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କୁ ପୂର୍ବ ମାସର ଦରମା ଦିଆଯାଇ ନାହିଁ। ପୁଣି ଏ ବାବଦରେ ଉତ୍ତର ପଚାରିଲେ ତାଙ୍କୁ କୌଣସି କାରଣ ସ୍ପଷ୍ଟ ଭାବେ ଦର୍ଶାଯାଉ ନଥିବା ଅଭିଯୋଗ କରିଛନ୍ତି। ଏପରିକି କରୋନା ସମୟରେ ସେମାନଙ୍କ ଅନୁପସ୍ଥିତିକୁ ଅଣ ଦରମା ସମୟ ଭାବେ ଗଣାଯାଇଥିବା ସେମାନଙ୍କୁ କୁହାଯାଉଛି।
ମୁଁ ଲକ୍ଡାଉନ୍ ଘୋଷଣା ହେବା ପୂର୍ବରୁ ଛୁଟିରେ ଥିଲି। ହଠାତ୍ ଲକ୍ଡାଉନ୍ ଘୋଷଣା ହେବାରୁ ଖାଦାନ ଅଞ୍ଚଳକୁ ଆସିବା ସମ୍ଭବପର ହେଲା ନାହିଁ। ଏଣୁ ମୁଁ ଘରୁ ଥାଇ କାମ କରିବି ବୋଲି ଅନୁରୋଧ କଲି। ହେଲେ ଆମର ଖାଦାନରେ କାମ ଥିବାରୁ ଏଥିଲାଗି କିଛି ବ୍ୟବସ୍ଥା ନଥିଲା। କିନ୍ତୁ ଏବେ ଲକ୍ଡାଉନ୍ କୋହଳ ହେବାକୁ ମୁଁ କାର୍ଯ୍ୟରେ ଯୋଗ ଦେଇଛି। ହେଲେ ଗଲା ମାସର ଦରମା ମୁଁ ପାଇ ନାହିଁ। ବୋଲି ଜଣେ କର୍ମଚାର କହିଛନ୍ତି। ସେ ନିଜର ନାମ ଗୋପନ ରଖିବା ସର୍ତ୍ତରେ ଏହା କହିଛନ୍ତି।
ଯେଉଁମାନେ ଲକ୍ଡାଉନ୍ରେ ଭୁବନେଶ୍ଵରରେ ଥିଲେ ସେମାନଙ୍କ ମୁଖ୍ୟ କାର୍ଯ୍ୟାଳୟରେ କାମ ମିଳିଥିଲା। କିନ୍ତୁ ଆମେମାନେ ଆଭ୍ୟନ୍ତରୀଣ ଅଞ୍ଚଳରେ। ଏଣୁ ଆସିବା ଲାଗି ସାଧନ ନଥିଲା। ଆମେ କିପରି ଆସିଥଆନ୍ତୁ। ପୁଣି ଯେତେବେଳେ ଆମେ ଫେରିଲୁ ସେତେବେଳେ ଆମକୁ ଅତିଥି ଭବନରେ ପୂରାଇ ଦିଆଗଲା ନାହିଁ। ଆମକୁ ବାହାରେ ଏକାନ୍ତରେ ରହିବାକୁ କୁହାଯାଇଥିଲା। ଆମେ ତାହା ବି ଗ୍ରହଣ କଲୁ। କିନ୍ତୁ ଆମ ଦରମା କାଟିବ ଦ୍ଵାରା ଏବେ ଆମେ ଆମ ଉପରେ ଥିବା ଋଣ, ଇଏମ୍ଆଇ, ଦୈନନ୍ଦିନ ଖର୍ଚ ପ୍ରଭୃତିରେ ସମସ୍ୟା ଭୋଗୁଛୁ ବୋଲି ଅନ୍ୟଜଣେ କର୍ମଚାରୀ କହିଛନ୍ତି।
କେନ୍ଦ୍ର ସରକାର କୌଣସି କର୍ମଚାରୀଙ୍କ ଦରମା କାଟିବାକୁ ବାରଣ କରିଛନ୍ତି। କର୍ମଚାରୀଙ୍କ ପ୍ରତି ମାନବୀୟ ଆଚାର ରକ୍ଷା କରିବାକୁ ଅନୁରୋଧ କରିଛନ୍ତି। କିନ୍ତୁ ରାଜ୍ୟ ସରକାରଙ୍କ ଏହି କମ୍ପାନୀ କରୋନା ଆଳରେ ଦରମା କାଟୁଛି। ଏଠି କାହାକୁ ଅଭିଯୋଗ କରିବୁ ବୋଲି ସେ କହିଛନ୍ତି।
ସରକାରଙ୍କ ପକ୍ଷରୁ ଦରମା କାଟିବା କୌଣସି ନିର୍ଦେଶ ନଥିଲେ କାହିଁକି ଏହି କର୍ମଚାରୀଙ୍କ ଦରମା କଟାଗଲା ତାହା ପ୍ରଶ୍ନବାଚୀ ଭିତରକୁ ଆସିଛି। ଏଠାରେ କିଛି ନିର୍ଦିଷ୍ଟ କର୍ମଚାରୀଙ୍କ ଯୋଗୁ ଏପରି ପରିସ୍ଥିତି ଉପୁଜୁଛି ବୋଲି ସେ କହିଛନ୍ତି।
ଏବେ ଏହି ସରକାରୀ କମ୍ପାନୀରେ ପ୍ରାୟ ସମସ୍ତ ବିଭାଗୀୟ ମୁଖ୍ୟ ଅବସର ପରେ କାର୍ଯ୍ୟରେ ଅଛନ୍ତି। ୫ ବର୍ଷ ହେଲା ସେମାନେ ଅବସର ନେଇଥିଲେ ମଧ୍ୟ ସେମାନଙ୍କୁ ପୂର୍ବ ଦରମାର ଦୁଇଗୁଣା ଅଧିକ ଦିଆଯାଇ ନିଯୁକ୍ତ କରାଯାଇଛି। ଏହି କର୍ମଚାରୀମାନଙ୍କ ରକ୍ଷଣଶୀଳ ମନୋଭାବ ଏବଂ ନିଜର କୁର୍ସି ବଞ୍ଚାଇବା ପ୍ରୟାସ ଭିତରେ ଏହି କ୍ମପାନୀର ଶହ ଶହ କର୍ମଚାରୀ ଶୋଷଣର ଶିକାର ହେଉଛନ୍ତି ବୋଲି ଅଭିଯୋଗ ହୋଇଛି।