କୋଭିଡ-୧୯ ଜରୁରୀକାଳିନ ପ୍ୟାକେଜ
ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟାବସ୍ଥାର ସୁଧାର ପାଇଁ କେନ୍ଦ୍ର ସରକାର ଜରୁରୀକାଳିନ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଇଣ୍ଡିଆ କୋଭିଡ-୧୯ ଏମରଜେନ୍ସି ରେସପନ୍ସ ଆଣ୍ଡ୍ ହେଲଥ ସିଷ୍ଟମରୁ ଏହି ପ୍ୟାକେଜ ଘୋଷଣା କରାଯାଇଛି ।
ତିନିଟି ପର୍ଯ୍ୟାୟରେ କେନ୍ଦ୍ର ସରକାର ଏହି ଟଙ୍କା ଦେବେ । ଜାନୁଆରୀ ୨୦୨୦ ରୁ ଜୁନ୍ ୨୦୨୦, ଜୁଲାଇ ୨୦୨୦ ରୁ ମାର୍ଚ୍ଚ ୨୦୨୧ ଏବଂ ଏପ୍ରିଲ୍ ୨୦୨୧ ରୁ ମାର୍ଚ ୨୦୨୪ ପର୍ଯ୍ୟନ୍ତ ସରକାର ଜରୁରୀକାଳିନ ଆର୍ଥିକ ପ୍ୟାକେଜ ଦେବେ । ତେବେ ପ୍ରଥମ ପର୍ଯ୍ୟାୟର ଟଙ୍କା ପଠାଇ ଦିଆଯାଇଛି ।
ଏହି ଆର୍ଥିକ ପ୍ୟାକେଜରେ ଦିଆଯାଇଥିବା ଟଙ୍କାରେ ହସ୍ପିଟାଲର ଆଇସୋଲେଶନ ବୋର୍ଡ, ଆଇସିୟୁ ଭଳି ସ୍ୱାସ୍ଥ୍ୟ ଉପକରଣ କିଣାଯିବ ।
ଜାତୀୟ ସ୍ୱାସ୍ଥ୍ୟ ମିସନ୍ ନିନିର୍ଦ୍ଦେଶିକ ବନ୍ଦନା ଗୁରନାନି ଏକ ସର୍କୁଲାର ଜାରି କରି କହିଛନ୍ତି ଯେ ଜାନୁଆରି ୨୦୨୦ ରୁ ମାର୍ଚ୍ଚ ୨୦୨୪ ଯାଏଁ ତିନିଟି ପର୍ଯ୍ୟାୟରେ ଏହି ପ୍ୟାକେଜ କାର୍ଯ୍ୟକାରୀ ହେବ । ପ୍ରଥମ ପର୍ଯ୍ୟାୟରେ କୋଭିଡ -୧୯ ଡାକ୍ତରଖାନା ସଂଖ୍ୟା ବୃଦ୍ଧି ଏବଂ ଅନ୍ୟାନ୍ୟ ଡାକ୍ତରଖାନାର ବିକାଶ ହେବ। ଏଥିସହ ଆଇସୋଲେଶନ ଓ୍ୱାର୍ଡ, ଭେଣ୍ଟିଲେଟର ସହିତ ଆଇସିୟୁ, ଡାକ୍ତରଖାନାରେ ଅକ୍ସିଜେନ ଯୋଗାଣ, ଡାକ୍ତରଖାନାର ଲ୍ୟାବ ଗୁଡ଼ିକର ମରାମତି ସହିତ ଆମ୍ୱୁଲାନ୍ସ ସଂଖ୍ୟା ବଢ଼ାଯିବ ।