କରୋନା ବିପର୍ଯ୍ୟୟ: ସୁଯୋଗ ନା ଦୁର୍ଯୋଗ ?

ଗାଁ ଗାଁରେ ଚାଲିଛି ପ୍ରସ୍ତୁତି । ସଜ ଯୋଗାଡ଼ରେ ଲାଗି ପଡ଼ିଛନ୍ତି ସରପଞ୍ଚ ଓ ପଞ୍ଚାୟତର ଅନ୍ୟ ଅଧିକାରୀମାନେ । ବ୍ଲକ୍ ଏବଂ ଜିଲ୍ଲା ସ୍ତରରେ ଏସବୁର ତଦାରଖ କରୁଛନ୍ତି ଉପରିସ୍ଥ ଅଧିକାରୀ । ସରକାରଙ୍କ କଡ଼ା ନିର୍ଦ୍ଦେଶ, ଗାଁ ପୁଅ ଗାଁକୁ ଫେରୁଛି, ତାଙ୍କ ଦେଖାଶୁଣାରେ ଯେମିତି ଟିକିଏ ବି ଢିଲା ନହୁଏ!
କରୋନା ଭୁତାଣୁର ଶୃଙ୍ଖଳ ଭଙ୍ଗ ପାଇଁ ଲାଗୁ ହୋଇଥିବା ଲକ୍ ଡାଉନ୍ ସମୟରେ ନିଜ ନିଜ ଗାଁକୁ ଫେରୁଛନ୍ତି, ପେଟ ପାଇଁ ବାହାର ରାଜ୍ୟକୁ ଯାଇଥିବା ଅନେକ ଓଡ଼ିଆ । ସରକାରଙ୍କ ହିସାବ ଅନୁସାରେ ବାହାର ରାଜ୍ୟକୁ ବିଭିନ୍ନ ପେସା, କାମ ଧନ୍ଦା ଖୋଜିବା ଅଥବା ଦାଦନ ଖଟିବାକୁ ପ୍ରାୟ ୭ ଲକ୍ଷ ଓଡ଼ିଆ ଓଡ଼ିଶା ଛାଡ଼ି ବାହାର ରାଜ୍ୟରେ ଅଛନ୍ତି। ସେମାନଙ୍କ ଭିତରୁ ପାଞ୍ଚ ଲକ୍ଷରୁ ଅଧିକ ଓଡ଼ିଆଙ୍କ ଫେରିବା ପାଇଁ ସରକାର ପ୍ରସ୍ତୁତି କରୁଛନ୍ତି।
ପ୍ରବାସୀ ଓଡ଼ିଆଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ନୋଡାଲ୍ ଅଫିସର ନିଯୁକ୍ତ କରିଥିଲେ । କିନ୍ତୁ ତାହା ସେତେଟା ସଫଳ ହେଲାନି । କାରଣ, କରୋନା ସମସ୍ତଙ୍କ ଧୈର୍ଯ୍ୟର ପରୀକ୍ଷା କରୁଥିବା ବେଳେ କାମଧନ୍ଦା ବନ୍ଦ ଥିବାରୁ ବସି ବସି ଧୈର୍ଯ୍ୟହରା ହୋଇ ପଡ଼ିଥିଲେ ପ୍ରବାସୀମାନେ । ସେଠାକାର ସରକାର ମଧ୍ୟ ଓଡ଼ିଆଙ୍କ ପ୍ରତି ବୈମାତୃକ ମନୋଭାବ ଦେଖାଇଥିବାର ଅଭିଯୋଗ ହୋଇଥିଲା । ଭାରତର ନାଗରିକ ହୋଇ ମଧ୍ୟ ଆଞ୍ଚଳିକତାବାଦ ଯୋଗୁଁ ବାହାର ରାଜ୍ୟରେ ସେମାନଙ୍କୁ ମୌଳିକ ସୁବିଧା ସୁଯୋଗ ମିଳିଲା ନାହିଁ । ତେଣୁ ଲକ୍ ଡାଉନ୍ ଜାରି ଥିଲେ ମଧ୍ୟ ରାଜ୍ୟ ସରକାର, ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ଲାଗି ନିଷ୍ପତ୍ତି ନେଇଛନ୍ତି।
ଏକା ବେଳକେ ଲକ୍ଷ ଲକ୍ଷ ଲୋକ ଆସୁଛନ୍ତି । ଯାହା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚ୍ୟାଲେଞ୍ଜ। କାରଣ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁଭଳି ଭାବେ ବଢ଼ି ଚାଲିଛି, ସେହି ଅନୁସାରେ ନମୁନା ପରୀକ୍ଷଣ ହୋଇପାରୁନି । ଏଭଳି ସ୍ଥିତିରେ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ଉପରେ ଆହୁରି ଚାପ ପଡ଼ିବ ।
ଏବେ ରାଜ୍ୟରେ ଦିନକୁ ସର୍ବାଧିକ ୨ ହଜାର ସମ୍ପଲ୍ ପରୀକ୍ଷଣ କରାଯାଇପାରୁଛି। ରାଜ୍ୟରେ ୮ଟି ଲ୍ୟାବ୍ ରହିଛି, ସେଥିରୁ ଗୋଟିଏ ହେଉଛି ଘରୋଇ ଲ୍ୟାବୋରେଟୋରୀ। ସରକାରୀ ଲାବୋରେଟୋରୀ ଗୁଡ଼ିକ ଭିତରୁ ୩ଟି ଭୁବନେଶ୍ଵରରେ ରହିଛି। ସେଗୁଡ଼ିକ ହେଲା ଆର୍ଏମ୍ଆର୍ସି, ଏମ୍ସ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ( ଆଇଏଲ୍ଏସ୍)। ସେହିପରି କଟକର ଏସ୍ସିବି, ବ୍ରହ୍ମପୁରର ଏମ୍କେସିଜି, ରାଉରକେଲାରେ ଇସ୍ପାତ ଜେନେରାଲ୍ ହସ୍ପିଟାଲ୍, ସମ୍ବଲପୁରର ଭିଏସ୍ଏସ୍ ମେଡିକାଲ୍ଠାରେ ସରକାରୀ ଲାବ୍ ଚାଲୁଛି। ଭୁବନେଶ୍ଵରର ଆପୋଲ ହସ୍ପିଟାଲ୍ ଲାବ୍କୁ ମଧ୍ୟ କୋଭିଡ୍୧୯ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି। ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ( ଆରଏମ୍ଆର୍ସି)ଠାରେ କୋବାସ୍ ମସିନ୍ ସ୍ଥାପନ ଫଳରେ ୧୦୦୦ ନମୁନା ଦିନକୁ ପରୀକ୍ଷଣ କରାଯାଇପାରୁଛି। ଏମ୍ସରେ ୭୫ଟି ଏବଂ ଅନ୍ୟ ମେଡିକାଲ୍ କଲେଜରେ ୫୦ରୁ କମ୍ ନମୁନା ଏବେ ପରୀକ୍ଷଣ କରାଯାଉଛି। ଅର୍ଥାତ୍ ଦୈନିକ ପରୀକ୍ଷଣ ୨ ହଜାର ଭିତରେ ସୀମିତ ରହୁଛି।
ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ କୋରାପୁଟ, କଳାହାଣ୍ଡି ଏବଂ ମୟୁରଭଞ୍ଜରେ ତିନୋଟି ପରୀକ୍ଷଣ କେନ୍ଦ୍ର ଖୋଲିବାକୁ ଯାଉଛି। ଏଥିରେ ରାଜ୍ୟ ସରକାର ଅତ୍ୟାଧୁନିକ ମସିନ୍ ସ୍ଥାପନ କରିବାକୁ ସ୍ଥିର କରିଛନ୍ତି। ଯାହାକି ୨ ମାସରୁ ଅଧିକ ସମୟ ଲାଗିବ। ଏଣୁ ପ୍ରବାସୀଙ୍କ ଫେରିବା ବେଳକୁ ରାଜ୍ୟରେ ୧୫ ହଜାର ସାମ୍ପଲ୍ ପରୀକ୍ଷଣ ଏକ କଳ୍ପନା ବ୍ୟତୀତ ଆଉ କିଛି ନୁହେଁ।
ସବୁଠାରୁ ବଡ଼ କଥା ହେଲା, ଗାଁ ପୁଅ ଘରକୁ ନଯାଇ କ୍ୱାରେଣ୍ଟାଇନରେ ରହିବ । ଗାଁ ସ୍କୁଲ, କ୍ଲବ୍ ଘର କିମ୍ବା ବାତ୍ୟା ଆଶ୍ରୟସ୍ଥଳୀରେ ହୋଇଥିବା ଅସ୍ଥାୟୀ କେନ୍ଦ୍ରରେ ରହିବେ ସେମାନେ । ଯେଉଁଥି ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ପ୍ରତି ବ୍ୟକ୍ତି ପାଇଁ ହେଉଛି ସ୍ୱତନ୍ତ୍ର ବେଡ୍ ରହିଛି ବୋଲି ସରକାର କହୁଛନ୍ତି। କିନ୍ତୁ ଏବେ ଯେତିକି ବେଡ୍ ସ୍ଥାପନ କରାଯାଇଛି ତାହା ସମୁଦାୟ ଘର ବାହୁଡ଼ା ପାଇଁ ପଞ୍ଜିକୃତ ଶ୍ରମିକଙ୍କ ସଂଖ୍ୟାର ଅଧା। ଅର୍ଥାତ୍ ଦୁଇଜଣ ଶ୍ରମିକଙ୍କ ପାଇଁ ଗୋଟିଏ ବେଡ୍ ରହିଛି। ଅନେକ ଜିଲ୍ଲାରେ ତିନି ଜଣ ଶ୍ରମିକଙ୍କ ପାଇଁ ମଧ୍ୟ ଗୋଟିଏ ବେଡ୍ ନାହିଁ। ଏବେ ରାଜ୍ୟକୁ ୫ ଲକ୍ଷ ପ୍ରବାସୀ ଶ୍ରମିକ ଆଣିବା ଲାଗି ପ୍ରଶାସନ ଟାର୍ଗେଟ ରଖିଥିଲେ ମଧ୍ୟ ସ୍ଵାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ସମୁଦାୟ ବେଡ୍ ସଂଖ୍ୟା ୨ଲକ୍ଷ ୩୭ ହଜାରରେ ସୀମିତ।
ଏହି ବେଡ୍ ବ୍ୟବସ୍ଥା ଭିତରେ ଖଟ, ବେଡସିଟ୍ ସହ 2ଟି ତକିଆ ସହ ବାଲତି, ମଗ, ଦାନ୍ତଘଷା ବ୍ରସ୍, ଜିଭଛେଲା, ତେଲ, ସାବୁନ୍, ମାସ୍କ ଏବଂ ପୁରୁଷଙ୍କ ଦାଢ଼ିକଟା ପାଇଁ ରେଜର ଏବଂ ମହିଳାଙ୍କୁ ସାନିଟାରି ନ୍ୟାପ୍କିନ୍ ସବୁକିଛି ଅନ୍ତର୍ଭୁକ୍ତ । ପୁଣି ସମସ୍ତଙ୍କ ବେଡ୍ ପାଖରେ ହାତ ପାଆନ୍ତାରେ ରହିବ ମୋବାଇଲ୍ ଚାର୍ଜିଂ ପଏଣ୍ଟ୍ । ଏଥିପାଇଁ ମୁଣ୍ଡ ପିଛା ଖର୍ଚ୍ଚ ହେବ 3 ଶହ ଟଙ୍କା । 14 ବର୍ଷରୁ କମ୍ ପିଲାଙ୍କ ପାଇଁ ମୁଣ୍ଡ ପିଛା ଦୈନିକ ଖାଇବା ଖର୍ଚ୍ଚ 100 ଟଙ୍କା ଥିବା ବେଳେ ବୟସ୍କଙ୍କ ପାଇଁ ରହିଛି 120 ଟଙ୍କା । ଯେଉଁଥିରେ ରହିଛି ଦୁଇଟି ମିଲ୍, ସକାଳେ ଜଳଖିଆ ଏବଂ ସନ୍ଧ୍ୟାରେ ଚା ଓ ସ୍ନାକ୍ସ ।
ଏଠି ଗୋଟିଏ ପ୍ରଶ୍ନ ଆସିପାରେ। କାରଣ ସହରକୁ ଆସୁଥିବା ଲୋକଙ୍କ ଲାଗି ଖାଇବା ଅସୁବିଧା ଦୂର କରିବା ପାଇଁ ସହରରରେ ଯେଉଁ ଆହାର କେନ୍ଦ୍ର ବ୍ୟବସ୍ଥା ସରକାର କରିଥିଲେ ସେଥିରେ ମିଲ୍ର ଦାମ୍ ଥିଲା ମାତ୍ର ୫ ଟଙ୍କା। ଅବଶ୍ୟ ଏଥିରେ ସରକାରଙ୍କ ପକେଟ୍ରୁ ୧୫ ଟଙ୍କା ପାଖାପାଖି ବାଜୁଥିଲା। ଏସବୁକୁ ହିସାବକୁ ନେଲେ ଗୋଟିଏ ଭୋଜନର ଦାମ ୨୦ ଟଙ୍କା। ସେ ଦୃଷ୍ଟିରୁ ଦେଖିବାକୁ ଗଲେ, ଜଣଙ୍କ ପାଇଁ ତିନିବେଳା ଭୋଜନ ଅତି ବେଶୀରେ ୬୦ ଟଙ୍କା ହେବା କଥା। କିନ୍ତୁ ଏଠାରେ ତାହା ୪୦ ଟଙ୍କା ଅଧିକ, କାହିଁକି?
ଏହାର ଅର୍ଥ କରୋନା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଗାଁ ପୁଅଙ୍କ ପାଇଁ ଆହାର ଠାରୁ ନିଶ୍ଚିତ ଭାବେ ଆହୁରି ଭଲ ପୁଷ୍ଟିକର ଖାଦ୍ୟର ବ୍ୟବସ୍ଥା କରୁଛନ୍ତି ସରକାର । ଭଲ କଥା, ସରକାର ଦେବେ… ଲୋକେ ଖାଇବେ । ଏଥିରେ କିଏ ବା କାହିଁକି ମୁଣ୍ଡ ପୂରାଇବ । କାରଣ ଖାଇବା କଥା… ଯେତିକି ଛୋଟ, ସେତିକି ବଡ଼ ।
ଏବେ ଆସିବା ବେଡ୍ ପ୍ରସଙ୍ଗକୁ । ଗାଁ ପୁଅ ଗାଁକୁ ଆସୁଛି, ତାଙ୍କ ଘର ଲୋକେ କଣ ତାଙ୍କ ପାଇଁ ବେଡ୍ କିମ୍ବା ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ବ୍ୟବସ୍ଥା କରିପାରି ନଥାନ୍ତେ ? ଏମିତି ଦେଖିବାକୁ ଗଲେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ ! ଯାହା କେବଳ 14 ଦିନ ପାଇଁ । କାରଣ ସେଣ୍ଟର ଭାଙ୍ଗିବା ପରେ ଏସବୁ ଜିନିଷ ପାଣିରେ ପଡ଼ିବା ଏକ ପ୍ରକାର ଥୟ, ନଚେତ୍ ପଞ୍ଚାୟତ ଅଫିସରେ ପଡ଼ି ପଡ଼ି ଉଈ ଖାଇବ । ସେପଟେ ଲୋକଙ୍କ ପାଇଁ ସରକାର, ଯେଉଁ ସଜ ବ୍ୟବସ୍ଥା କରିଛନ୍ତି, ବର୍ତ୍ତମାନର ଲକ୍ ଡାଉନ୍ ସମୟରେ ସେସବୁର ମୂଲ୍ୟ ପ୍ରକୃତ ମୂଲ୍ୟ ଠାରୁ ଉଚ୍ଚା ରହିଛି । ତେଣୁ ବିଲ୍ ଡିପୋଜିଟ୍ ବେଳେ ସରପଞ୍ଚ ଏବଂ ଅନ୍ୟ ପଞ୍ଚାୟତ ଅଧିକାରୀ ସନ୍ଦେହ ପରିସରକୁ ଆସିବା ସମ୍ଭାବନା ରହୁଛି ।
ବିପର୍ଯ୍ୟୟ ସମୟରେ ଲୋକେ କେବଳ ନିଜ ଧନ ଜୀବନ କଥା ଚିନ୍ତା କରନ୍ତି । କିନ୍ତୁ ସବୁଠୁ ବେଶୀ ଚାପ ପଡ଼େ ସରକାରଙ୍କ ଉପରେ । ଲୋକଙ୍କ ଧନ, ଜୀବନ ସୁରକ୍ଷିତ ରଖିବା ସହ ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ସରକାର ଅତିରିକ୍ତ ଆର୍ଥିକ ଚାପ ନିଅନ୍ତି । କରୋନା ବେଳେ ଏହି ଚାପ ଅତିରିକ୍ତ ଠାରୁ ବି ଟପି ଗଲାଣି । ଲୋକେ କିନ୍ତୁ ଭୁଲି ଯାଉଛନ୍ତି ଯେ, ସେମାନେ ମଧ୍ୟ ସରକାରର ଅଂଶବିଶେଷ ବୋଲି । ଅବଶ୍ୟ ଏ କ୍ଷେତ୍ରରେ ଆମେ ପରିସ୍ଥିତିକୁ ହିଁ ଦାୟୀ କରିବା । କାରଣ ଭୋଟ୍ ରାଜନୀତି ପ୍ରଭାବରେ ‘ମାଗଣା’ ଶବ୍ଦଟି ଆମ ଲୋକଙ୍କ ମନ ଭିତରେ ଏମିତି ପଶିଯାଇଛି ଯେ, ବର୍ତ୍ତମାନ ତାକୁ ଅଲଗା କରିବା ଅସମ୍ଭବ । ନଚେତ୍ ବର୍ତ୍ତମାନ ପଞ୍ଚାୟତରେ ସକାଳୁ ସକାଳୁ ଏତେ ଲୋକଙ୍କୁ ଥାଳି-ତାଟିଆ ଧରି ଦେଖିବାକୁ ମିଳୁ ନଥାନ୍ତା । ଲକ୍ ଡାଉନ୍ ଯୋଗୁ ଫସି ରହିଥିବା ବାହାର ରାଜ୍ୟର ଦିନ ମଜୁରିଆ ଏବଂ ନିହାତି ଗରିବଙ୍କ ପାଇଁ ସରକାର, ପଞ୍ଚାୟତରେ ରନ୍ଧା ଖାଦ୍ୟ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଚଳିବା ଫର୍ଚ୍ଚା ଥାଇ ବିପିଏଲ୍ ତାଲିକାରେ ଥିବା ଲୋକ ମଧ୍ୟ ସେଠାକୁ ଧାଉଁଛନ୍ତି । ଯେଉଁଥି ପାଇଁ ଅଧିକାଂଶ ସମୟରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି ।
ଲୋକଙ୍କୁ ବୁଝିବାକୁ ପଡ଼ିବ, ସରକାର ଟଙ୍କା ଗଛ ଲଗାଇ ନାହାନ୍ତି ଯେ, ଯେତେବେଳେ ଚାହିଁବେ ହଲେଇ ଦେବେ, ଆଉ ଝଡ଼ି ପଡ଼ିବ । ଏବେ ଯଦି ସରକାର ଆବଶ୍ୟକତା ଠାରୁ ଅଧିକ ଅତିରିକ୍ତ ଆର୍ଥିକ ଚାପ ମୁଣ୍ଡାଉଛନ୍ତି, ପରିସ୍ଥିତି ଭଲ ହେଲେ ପରୋକ୍ଷରେ ତାହା ଲୋକଙ୍କ ଉପରେ ପଡ଼ିବା ନିଶ୍ଚିତ । ତେଣୁ ସେତେବେଳେ ସରକାରଙ୍କୁ ଦୋଷ ଦେଇ ହେବନି । ବିପର୍ଯ୍ୟୟ କାହା ପାଇଁ ସୁଯୋଗ ନୁହେଁ, ଏହା ସମସ୍ତଙ୍କ ପାଇଁ କେବଳ ଦୁର୍ଯୋଗ ହିଁ ଦୁର୍ଯୋଗ । କାରଣ, There is no free meal in this world ।
(ଲେଖକ ଜଣେ ସାମ୍ବାଦିକ। ଏହି ସନ୍ଦର୍ଭରେ ଉପସ୍ଥିପିତ ମତ ତାଙ୍କ ବ୍ୟକ୍ତିଗତ ଅନୁଶୀଳନ ଉପରେ ଆଧାରିତ। ତାଙ୍କ ଯୋଗାଯୋଗ ଫୋନ୍ ନମ୍ବର: ୭୦୦୮୭୭୯୦୪୩)
ଏହି ଲେଖକଙ୍କ ଅନ୍ୟ ଲେଖା ପଢ଼ିବା ପାଇଁ ନିମ୍ନ ଶୀର୍ଷକରେ କ୍ଲିକ୍ କରନ୍ତୁ
ସତ୍ତା ଓ ସାମ୍ବାଦିକତା
ଆଗରେ ଅର୍ଣ୍ଣବ, ପଛରେ ପାଲଘର୍