ଏଣିକି ରେଜିଷ୍ଟ୍ରାରଙ୍କ ହାତରେ ସମବାୟ ବ୍ୟାଙ୍କ

ନୂଆଦିଲ୍ଲୀ(ଓଟି): ପ୍ରଚଳିତ ବ୍ୟାଙ୍କିଙ୍ଗ ପରିଚାଳନା ଅଧିନିୟମରେ କେତେକ ପରିବର୍ତ୍ତନ ଅଣାଯାଇଛି। ସଂଶୋଧିତ ଅଧିନିୟମକୁ କେନ୍ଦ୍ର କ୍ୟାବିନେଟ୍  ମୋହର ଲାଗିଛି। ଅତୀତରେ ଦେଶର କେତେକ ପ୍ରମୁଖ ସମବାୟ ବ୍ୟାଙ୍କରେ ହୋଇଥିବା ଦୁର୍ନୀତିକୁ ନେଇ ନିବେଶକାରୀ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏଥିପାଇଁ ସରକାରୀ କଳକୁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ସମବାୟ ବ୍ୟାଙ୍କିଙ୍ଗ ପରିଚାଳନା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ସଂଶୋଧନ ଅଣାଯାଇଛି। ନୂତନ ବ୍ୟବସ୍ଥା ଅନୁସାରେ ନିୟମିତ ବ୍ୟାଙ୍କିଙ୍ଗ ପରିଚାଳନା କ୍ଷେତ୍ରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଯେଉଁ ନୀତିନିୟମ ଗ୍ରହଣ କରାଯାଉଛି ଏଣିକି ସମବାୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ମଧ୍ୟ ଅନୁରୂପ ନୀତି ଅବଲମ୍ବନ କରାଯିବ। ତେବେ ସମବାୟ ବ୍ୟାଙ୍କଗୁଡିକର ପ୍ରଶାସନିକ ଦାୟିତ୍ୱ ଜଣେ ସମବାୟ ରେଜିଷ୍ଟ୍ରାରଙ୍କ ହାତରେ ରହିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି।

ମନ୍ତ୍ରୀ ଶ୍ରୀ ଜାଭଡେକର କହିଛନ୍ତି ଯେ, ସମବାୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ସୁଦୃଢ କରାଯିବା ସହ ସମସ୍ତ କାରବାରକୁ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ଏହି ନିୟମରେ ସଂଶୋଧନ କରାଯାଇଛି। ସମ୍ପ୍ରତି ଦେଶରେ ୧୫୪୦ଟି ସମବାୟ ବ୍ୟାଙ୍କ ରହିଥିବା ବେଳେ ପ୍ରାୟ ୮୬ ନିୟୁତରୁ ଊର୍ଦ୍ଧ୍ୱ ଜମାକାରୀ ରହିଛନ୍ତି । ଏଥିସହିତ ସମବାୟ ବ୍ୟାଙ୍କଗୁଡିକରେ ପ୍ରାୟ ୫ ଲକ୍ଷ କୋଟି ଜମା ରହିଛି। ତେବେ ନିକଟରେ ପଞ୍ଜାବ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କ(ପିଏମ୍‌ସି) ଘଟିଥିବା ଘୋଟାଲାକୁ ନେଇ ଯେଉଁ ସ୍ଥିତି ଉତ୍ପନ୍ନ ହୋଇଥିଲା, ସେଭଳି ଅନ୍ୟ କୌଣସି ସମବାୟ ବ୍ୟାଙ୍କରେ ଯେଭଳି ନଘଟେ ତାହାକୁ ଗୁରୁତ୍ୱ ଦିଆଯାଇଛି ବୋଲି ଜାଭଡେକର କହିଛନ୍ତି। ସଂଶୋଧିତ ନିୟମ ଫଳରେ ଏହି କ୍ଷେତ୍ର ବିତ୍ତୀୟ ଦୃଷ୍ଟିରୁ ଅଧିକ ସଶକ୍ତ ହେବ। ଏହାବ୍ୟତୀତ ସମବାୟ ବ୍ୟାଙ୍କଗୁଡିକରେ ଏଣିକି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ରହିବେ। ବ୍ୟବସାୟିକ ବ୍ୟାଙ୍କରେ ଜଣେ ସିଇଓଙ୍କୁ ନିଯୁକ୍ତ କରିବା କ୍ଷେତ୍ରରେ ଯେଉଁଭଳି ରିଜର୍ଭ ବ୍ୟାଙ୍କର ନିୟମାବଳୀକୁ ଅନୁସରଣ କରାଯାଇଥାଏ, ସମବାୟ ବ୍ୟାଙ୍କଗୁଡିକର  ସିଇଓ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସମାନ ନୀତି ପ୍ରବର୍ତ୍ତନ କରାଯିବ। ଏ କ୍ଷେତ୍ରରେ ଜଣେ ସିଇଓଙ୍କ ଯୋଗ୍ୟତା ଏବଂ ଅଭିଜ୍ଞତା ଚୟନ ଲାଗି ରିଜର୍ଭ ବ୍ୟାଙ୍କର ନୀତି ଅନୁସରଣ କରାଯିବ। ଏପରିକି ରିଜର୍ଭ ବ୍ୟାଙ୍କ ଗାଇଡ୍‌ଲାଇନ୍ ଅନୁସାରେ ସମବାୟ ବ୍ୟାଙ୍କଗୁଡିକର ଅଡିଟ୍ ହେବ ଏବଂ କୌଣସି ସମବାୟ ବ୍ୟାଙ୍କ କୌଣସି କାରଣରୁ ଚାପଗ୍ରସ୍ତ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ଭାବେ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ସଂପୃକ୍ତ ସମବାୟ ବ୍ୟାଙ୍କର ପରିଚାଳନା ବୋର୍ଡକୁ ବାଦ୍ ଦେଇ କାର୍ଯ୍ୟ କରିବେ। ତେବେ ରିଜର୍ଭ ବ୍ୟାଙ୍କର ସମସ୍ତ ଗାଇଡ୍‌ଲାଇନକୁ ପ୍ରଚଳନ କରିବାକୁ ସମବାୟ ବ୍ୟାଙ୍କଗୁଡିକୁ କିଛି ସମୟ ଦିଆଯିବ ବୋଲି ଜାଭଡେକର କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସମବାୟ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ବ୍ୟବସାୟ ଦୃଷ୍ଟିରୁ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୁଖୀ କରିବା ସହିତ ଏ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ ପାଇଁ ସୁଯୋଗ ସୃଷ୍ଟି କରିବା, ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଆଣିବା ,ଅନିୟମିତତା ରୋକିବା ଏବଂ ସର୍ବୋପରି ଜମାକାରୀଙ୍କ ସ୍ୱାର୍ଥରକ୍ଷା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ବର୍ଷର ବଜେଟ୍ ଉପସ୍ଥାପନ ବେଳେ ସଂସଦରେ ସୂଚନା ଦେଇଥିଲେ। ସେହି ଅନୁସାରେ ବୁଧବାର ବ୍ୟାଙ୍କିଙ୍ଗ ପରିଚାଳନା ଅଧିନିୟମରେ ଅଣାଯାଇଥିବା ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିବା ଜାଭଡେକର କହିଛନ୍ତି। ଏହାବ୍ୟତୀତ  ପୂର୍ବରୁ ଡିପୋଜିଟ୍ ଇନ୍ସ୍ୟୁରାନ୍ସ ଆଣ୍ଡ୍ କ୍ରେଡିଟ୍  ଗ୍ୟାରେଣ୍ଟି କର୍ପୋରେସନ(ଡିଆଇସିଜିସି) ପକ୍ଷରୁ ସଞ୍ଚୟ ଜମାକାରୀଙ୍କୁ ୧ ଲକ୍ଷ ଟଙ୍କାର ବୀମା ଯୋଗାଇ ଦିଆଯାଉଥିବା ବେଳେ ବର୍ତ୍ତମାନ ଏହାକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଜାଭଡେକର କହିଛନ୍ତି।

Leave a Reply

Your email address will not be published. Required fields are marked *