କଟକଣାମୁକ୍ତ ହେଲା କଟକ ପଟ୍ଟାପୋଲ
କଟକ(ଓଟି): କଟକ ସହରର ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପଟ୍ଟାପୋଲ ଅଞ୍ଚଳ କଟକଣାମୁକ୍ତ ହୋଇଛି। ଗତ ୪ ତାରିଖରେ ଉକ୍ତ ଅଞ୍ଚଳରେ କଟକଣା ଲାଗୁ କରାଯାଇଥିଲା। ତେବେ ସହରର ଅନ୍ୟ ଅଞ୍ଚଳ ସମେତ ସ୍ୱାଭାବିକ ଲକ୍ଡାଉନ୍ ନିୟମ ଜାରି ରହିଛି। ଆଶ୍ଵସ୍ତିକର ଖବର ଅନୁସାରେ ଚିହ୍ନଟ ବ୍ୟକ୍ତିଙ୍କ ସ୍ୱାବ୍ ନମୁନା ପରୀକ୍ଷା ନେଗେଟିଭ୍ ଆସିଥିବାବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ରହିଛି। ସମ୍ପୃକ୍ତ ସିଲ୍ ଅଞ୍ଚଳରୁ ପାଖାପାଖି ୩୦୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରାଯିବା ପରେ ରବିବାର ରାତିରୁ ନିଷେଧାଦେଶ ହଟାଯାଇଛି। ତେବେ ପୂର୍ବଭଳି ଲକ୍ଡାଉନ୍ ବଳବତ୍ତର ରହିଛି ଏବଂ ଅତ୍ୟାବଶ୍ୟକ ନପଡ଼ିଲେ ଲୋକେ ଘରୁ ନ ବାହାରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ପ୍ରକାଶ ଥାଉକି ପଟାପୋଲ ଅଞ୍ଚଳରୁ ଜଣେ ନିଜାମୁଦ୍ଦିନ ଫେରନ୍ତାଙ୍କର ସ୍ୱାବ୍ ନମୁନା ପଜିଟିଭ୍ ବାହାରିଥିଲା। ଏହାପରେ ସଂକ୍ରମଣ ରୋକିବା ପାଇଁ କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ଉକ୍ତ ଅଞ୍ଚଳକୁ ଗତ ୪ ତାରିଖ ସିଲ୍ କରାଯାଇଥିଲା। କ୍ୟାଣ୍ଟନମେଣ୍ଟ ଥାନା ପକ୍ଷରୁ ପ୍ରାୟ ୧୫ଟି ପ୍ରବେଶ ପଥକୁ ବ୍ୟାରିକେଡ୍ କରାଯାଇ ବନ୍ଦ କରାଯାଇଥିଲା। ୯ଦିନ ଧରି ଲୋକମାନଙ୍କୁ ପନିପରିବା, ସଉଦା ଓ କ୍ଷୀର ଆଦି ଘର ପାଖରେ ଦିଆଯାଇଥିଲା। ସେହିପରି ଅସ୍ଥାୟୀ ଡିସ୍ପେନ୍ସାରୀ ଓ ମୋବାଇଲ୍ ଏଟିଏମ୍ ବ୍ୟବସ୍ଥା ହୋଇଥିଲା । ସିଏମ୍ସିର ଆଶାକର୍ମୀ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ରୋଗୀଙ୍କ ପରିବାର ସମେତ ଆଖପାଖ ଅଞ୍ଚଳରେ ଥଣ୍ଡା କାଶ ହେଉଥିବା ପ୍ରାୟ ୩୦୦ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ୍ କରାଯାଇଥିଲା। ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା। ସେହିପରି କରୋନା ଚିହ୍ନଟ ବ୍ୟକ୍ତି ଅଶ୍ୱିନୀ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିବାବଳେ ଅବସ୍ଥା ସୁଧାର ଆସିବା ସହ ରିପୋର୍ଟ ନେଗେଟିଭ୍ ଆସିଥିବା ସରକାର ସୂଚନା ଦେଇଥିଲେ। ଫଳରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବିଦ୍ୟାଧରପୁରସ୍ଥିତ ସିଏମ୍ସି କ୍ୱାରେଣ୍ଟାଇନ୍କୁ ନିଆଯାଇଥିବା ଜଣାପଡ଼ିଛି।