ଆରମ୍ଭ ହେଲା କଂଗ୍ରେସର ସଙ୍କଳ୍ପ ପରିବର୍ତ୍ତନ ସମାବେଶ ରଥ
କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି ୨୫ ରେ ଓଡିଶା ଆସୁଛନ୍ତି । ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ରାହୁଲଙ୍କୁ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ କର୍ମିମାନେ ତମାଣ୍ଡୋ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ପାଛୋଟି ନେବେ । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ସେହିଭଳି ରାହୁଲଙ୍କ ସୁରକ୍ଷା ପାଇଁ ତମାଣ୍ଡୋ ମିନି ଷ୍ଟାଡିୟମକୁ ପରିଦର୍ଶନ କରିଛନ୍ତି ଏସପିଜି ଓ କମିସନରେଟ ପୋଲିସର ଅଧିକାରୀ ମାନେ ।
ଓଡିଶା ଆସିବେ ରାହୁଲ । ଏଥିପାଇଁ ସାରା ରାଜ୍ୟରେ ବୁଲିଲାଣି ସଂକଳ୍ପ ପରିବର୍ତ୍ତନ ସମାବେଶ ରଥ । ଏହି ରଥକୁ ବୁଧବାର କଂଗ୍ରେସ ଭବନରେ ଉଦଘାଟନ କରିଛନ୍ତି ଏଆଇସିସି ସମ୍ପାଦକ ରୁଦ୍ର ରାଜୁ । ଆଜିଠାରୁ ଏହି ରଥ ସାରା ରାଜ୍ୟରେ ସଚେତନତାର ବାର୍ତ୍ତା କଂଗ୍ରେସ ପାଇଁ ବାଣ୍ଟିବ। ଏହା ସହିତ ୨୫ ତାରିଖରେ ରାହୁଲ ଗାନ୍ଧି ଭୁବନେଶ୍ବର ଆସୁଥିବାରୁ ତାଙ୍କ ସମାବେଶକୁ ଲୋକ ମାନଙ୍କୁ ଆସିବାପାଇଁ ଆହ୍ବାନ କରିବ ।
ଏହି ରଥରେ ବିଜେଡି ଓ ବିଜେପିର ଶାସନ କାଳ ମଧ୍ୟରେ ହୋଇଥିବା ଦୂର୍ନୀତି, ଚାଷୀ ମାରଣ ନୀତି ସହିତ ଲୋକମାନଙ୍କୁ କିଭଳି ଏହି ଦୁଇ ସରକାର ଭକୁଆ ବନାଉଛନ୍ତି ତାହାର ବିରୋଧରେ ଜନ ସଚେତନ କରିବ । ରାହୁଲ ଗାନ୍ଧିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦେଖି ସୁରକ୍ଷା ବ୍ୟବସ୍ତାକୁ କଡା କଡି କରାଯାଇଛି । ବୁଧବାର ସକାଳୁ ତମାଣ୍ଡୋ ମିନି ଷ୍ଟାଡିୟମକୁ ନିଜ ଅକ୍ତିଆରକୁ ନେଇଛି ଏସପିଜି । ଭିତରେ ଚାଲିଥିବା ଷ୍ଟେଜ ବ୍ୟାରିକେଟ ଓ ରାହୁଲ ଆସି କେଉଁଠାରେ କାରରୁ ଓହ୍ଲାଇବେ ସେ ସ୍ଥାନ ନିରୁପଣ କରିଛି ଏସପିଜି ।
ଏଥି ସହିତ କମିସନରେଟ ପୋଲିସର ଆଡିସିନାଲ କମିସନର ଓ ଭୁବନେଶ୍ବର ଡିସିପି ମଧ୍ୟ ରାହୁଲ ଆସିବାକୁ ଥିବା ମିନି ଷ୍ଟାଡିୟମ ବାହାର ଗାଡି ପାର୍କିଂ ସ୍ଥାନ ଓ ସମ୍ପୁର୍ଣ୍ନ ରାସ୍ତାକୁ ପରିଦର୍ଶନ କରିଛନ୍ତି । ରାହୁଲଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ରାଜ୍ୟ କଂଗ୍ରେସ , ଯୁବ କଂଗ୍ରେସ , ଛାତ୍ର କଂଗ୍ରେସ , ମହିଳା କଂଗ୍ରେସ ସମେତ ରାଜ୍ୟର ସମସ୍ତ କଂଗ୍ରେସ କର୍ମୀ ଜୋରଦାର ଉଦ୍ୟମ ଚଳାଇଛନ୍ତି । ୨୦୧୯ ନିର୍ବାଚନ ପୁର୍ବରୁ ରାହୁଳଙ୍କ ଓଡିଶା ଗସ୍ତ ନିସ୍ତିତ କଂଗ୍ରେସ କର୍ମୀ ମହଲରେ ଉତ୍ସାହ ଆଣିବ।