ବିଜେପି-ବିଜେଡ଼ି ପ୍ରୀତି ଚାଲିଛି : କଂଗ୍ରେସ
ଭୁବନେଶ୍ୱର (ଓଟି)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୁରଭଞ୍ଜ ଜିଲାର ବାରିପଦାରେ ସାଧାରଣସଭାକୁ ଉଦ୍ବୋଧନ କଲାବେଳେ ଓଡ଼ିଶା ସରକାରଙ୍କର ଦୁର୍ନୀତି, ଭ୍ରଷ୍ଟାଚାର ଏବଂ କୁଶାସନ ବିରୁଦ୍ଧରେ ପଦୁଟିଏ ବି କହିଲେ ନାହିଁ । ସମଭାବରେ ମୁଖ୍ୟମନ୍ତ୍ରୀ ପୁରୀର ମହିଳା ସମାବେଶକୁ ସମ୍ବୋଧନ କଲାବେଳେ କେନ୍ଦ୍ରସରକାରଙ୍କର ଓଡ଼ିଶା ପ୍ରତି ଚରମ ଅବହେଳା ଓଡ଼ିଶାର କୃଷକକୁ ନ୍ୟାର୍ଯ୍ୟ ପ୍ରାପ୍ୟ ଦେବାରେ ବିଫଳତା କିମ୍ବା କେନ୍ଦ୍ରସରକାରଙ୍କର ଉଜ୍ଜଳା ଯୋଜନାର ଭ୍ରଷ୍ଟାଚାର,ରାଫେଲ ଯୁଦ୍ଧ ବିମାନ କିଣା ଘଟଣାରେ ଜେପିସି ଗଠନ ନକରିବା ଇତ୍ୟାଦି ଘଟଣାମାନ ମଧ୍ୟ କହିଲେ ନାହିଁ । ଏଥିରୁ ସ୍ପଷ୍ଟ ଭାବେ ବାରିହୋଇ ପଡ଼ୁଛିଯେ ବିଜେପି-ବିଜେଡ଼ିର ମଧୁଚନ୍ଦ୍ରିକା ଚାଲିଛି । ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି ଦୁଇ ଦଳ ଚକ୍ରାନ୍ତ କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ ମିଡ଼ିଆ ବିଭାଗର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଓ ମୁଖପାତ୍ର ରଜନୀ କୁମାର ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି
ଶ୍ରୀ ମୋଦି ତାଙ୍କ ଅଭିଭାଷଣରେ କେବଳ କଂଗ୍ରେସ ବିରୁଦ୍ଧରେ ବିଷୋଦଗାର କଲେ । ଏଥିରୁ ସ୍ପଷ୍ଟ ବାରିହୋଇପଡ଼ୁଛି କଂଗ୍ରେସ ଦଳ ଏ ଦୁଇ ରାଜନୈତିକ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।