ଏସପି-ବିଏସପି ମେଣ୍ଟରେ ସାମିଲ ହୋଇପାରେ କଂଗ୍ରେସ
ଜାନୁଆରୀ ମାସରେ ଏସପି-ବିଏସପି ଉତ୍ତରପ୍ରଦେଶରେ ଏକତରଫା ଭାବେ ମେଣ୍ଟ ଘୋଷଣା ସହ କଂଗ୍ରେସକୁ ନିଜ ସହ ନେବା ପାଇଁ ସିଧାସଳଖ ମନା କରିଦେଇଥିଲେ। ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ହୋଇସାରିଛି। ହେଲେ ଏବେ ଏସପି-ବିଏସପି ମେଣ୍ଟ ପକ୍ଷରୁ କଂଗ୍ରେସକୁ ନୂଆ ଅଫର ମିଳିବା ପରେ କଂଗ୍ରେସର ଆଭିମୁଖ୍ୟରେ ପରିବର୍ତ୍ତନ ଆସିବାର ଆଭାସ ମିଳିସାରିଲାଣି।
ଆଲୋଚନା ହେଉଛି ଯେ, ଏସପି-ବିଏସପି କଂଗ୍ରେସକୁ ୯+୨ ସିଟର ଅଫର ଦେଇଥିଲେ। ପ୍ରଥମେ କଂଗ୍ରେସ ୨୦ଟି ଆସନ ମାଗୁଥିଲା। ଏବେ ଏହାକୁ ୧୭ରେ ସୀମିତ ରଖିଛି। ଆଶା କରାଯାଉଛି ଯେ, କଂଗ୍ରେସ ୧୩+୨ ଅଫରକୁ ଗ୍ରହଣ କରିନେବ। ସୂଚନାଯୋଗ୍ୟ ଯେ, ଏସପି-ବିଏସପି ମେଣ୍ଟ ରାଏବରେଲି ଏବଂ ଆମେଥି ଆସନ ପୂର୍ବରୁ କଂଗ୍ରେସ ପାଇଁ ଛାଡିଦେଇଛି।
ଏସପି-ବିଏସପିର ମେଣ୍ଟ ପରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ପୂର୍ବ ଉତ୍ତରପ୍ରଦେଶର ଦାୟିତ୍ୱ ପ୍ରଦାନ ସହ ମହାସଚିବ ଦାୟିତ୍ୱ ଦେଇଛି। ପ୍ରିୟଙ୍କା ସକ୍ରିୟ ରାଜନୀତିକୁ ଆସିବା ପରେ ଏସପି-ବିଏସପିର ଆଭିମୁଖ୍ୟ ମଧ୍ୟ ନରମ ପଡିଛି।
ପୂର୍ବରୁ ଅଖିଳେଶ ଏବଂ ମାୟାବତୀ ୩୮- ୩୮ ଆସନରୁ ଲଢିବାର ଘୋଷଣା କରିଥିଲେ। ଦୁଇଟି ଆସନ କଂଗ୍ରେସ ପାଇଁ ଏବଂ ଦୁଇଟି ଅନ୍ୟ ସାଥିଙ୍କ ପାଇଁ ଛାଡିଥିଲା। ହେଲେ ଅଜିତ୍ ସିଂହଙ୍କ ରାଷ୍ଟ୍ରୀୟ ଲୋକ ଦଳ ଏହି ମେଣ୍ଟରେ ସାମିଲ ହେବା ପାଇଁ ପ୍ରଥମେ ୫ଟି ଆସନ ମାଗିଥିଲା ବେଳେ ବର୍ତ୍ତମାନ ତିନିଟିରେ ସନ୍ତୁଷ୍ଟ ହୋଇଛି।
ପୂର୍ବରୁ ମାୟାବତୀ ଗଠବନ୍ଧନ ଘୋଷଣା ସମୟରେ କଂଗ୍ରେସକୁ ସାଥିରେ ନେବେ ନାହିଁ ବୋଲି ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଖାଲି ବିଜେପି ନୁହେଁ କଂଗ୍ରେସର ନୀତି ମଧ୍ୟ ଭ୍ରଷ୍ଟ। ହେଲେ ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟ୍ଟ ବଦଳିବା, ପ୍ରିୟଙ୍କାଙ୍କ ସକ୍ରିୟ ରାଜନୀତିକୁ ପ୍ରତ୍ୟାବର୍ତ୍ତନ, ଏସପି-ବିଏସପିକୁ ଚିନ୍ତା କରିବାକୁ ବାଧ୍ୟ କରିଛି। ସେମାନେ ହୃଦବୋଧ କରିସାରିଲେଣି ଯ, ତ୍ରିମୁଖି ଲଢେଇ ହେଲେ ବିଜେପିକୁ ବଡ଼ ଫାଇଦା ମିଳିପାରେ। ତେଣୁ ଏବେ କଂଗ୍ରେସକୁ ମେଣ୍ଟରେ ସାମିଲ କରିବାର ବିଚାର ସେମାନଙ୍କ ମନକୁ ଆସିଛି। ତେବେ ଏହି ଉଦ୍ୟମ କେତେଦୂର ସଫଳ ହେଉଛି ତାହା ଆଗାମୀ କିଛିଦିନ ମଧ୍ୟରେ ଜଣାପଡିବ।
ଏସପି-ବିଏସପି ସହ ମେଣ୍ଟର ଚର୍ଚ୍ଚା ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପ୍ରେସର ଟ୍ୟାoିସ ଆପଣାଇଛନ୍ତି। ପୂର୍ବରୁ ଦାବି ଥିଲା୨୦ଟି ଆସନ। ବୋଧହୁଏ ଏହି ଦାବି ଉପରେ ଅଟଳ ରହିଛନ୍ତି ରାହୁଲ। ଯଦି ଏସପି-ବିଏସପି ଏହାକୁ ନମାନନ୍ତି ତେବେ କଂଗ୍ରେସ ଏକାକୀ ଲଢିବ ବୋଲି ସେ ଏକପ୍ରକାର ଇଙ୍ଗିତ ଦେଇସାରିଛନ୍ତି। ଗୁରୁବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ପାଇଁ ୧୧ଜଣିଆ ପ୍ରାର୍ଥୀ ତାଲିକାକୁ ଘୋଷଣା କରି ଏସପି-ବିଏସପି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି।
କୁହାଯାଉଛି ଯେ, ଖୁବଶୀଘ୍ର ଆଉକିଛି ପ୍ରାର୍ଥି ତାଲିକାକୁ ମଧ୍ୟ ସେ ଘୋଷଣା କରିବେ। ତେବେ ଏହି ସଂଖ୍ୟା କେତେ ରହିବ ତାହା ଉପରେ ସମସ୍ତଙ୍କ ନଜର। ଏସପି ବି ପଛରେ ନାହିଁ। ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସେ ନିଜ ଦଳର ପ୍ରାର୍ଥୀ ତାଲିକା ଘୋଷଣା କରିଦେଇଛନ୍ତି। ଗୁରୁବାର କଂଗ୍ରେସ ପ୍ରାର୍ଥୀ ତାଲିକା ଜାରି କରିବା ପରେ ଶୁକ୍ରବାର ଅଖିଳେଶ ନିଜର ପ୍ରାର୍ଥୀ ତାଲିକା ଜାରି କରିଛନ୍ତି। ଆଉ ଏହି ତାଲିକାରେ ୪ ଜଣ ହେଉଛନ୍ତି ମୁଲାୟମଙ୍କ ପରିବାରର। ଏହି ତାଲିକା ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ମେନପୁରୀ ଆସନରୁ ନିର୍ବାଚନ ଲଢିବେ। ଅନ୍ୟପଟେ ମୁଲାୟମଙ୍କ ପୁତୁରା ଧର୍ମେନ୍ଦ୍ର ଯାଦବ ବଦାୟୁଁ ଏବଂ ଏସପି ମୁଖ୍ୟ ମହାସଚିବ ରାମଗୋପାଳ ଯାଦବଙ୍କ ପୁଅ ଅକ୍ଷୟ ଯାଦବ ଫିରୋଜାବାଦ ଆସନ ପାଇଁ ପାଇଛନ୍ତି ଟିକଟ। ଏସପି ମୁଖିଆ ଅଖିଳେଶଙ୍କ ପତ୍ନୀ କନୌଜ ଆସନରୁ ଲଢ଼ିବେ ବୋଲି ଘୋଷଣା ହୋଇଛି।
ମହାରାଷ୍ଟ୍ରରେ ସମାଜବାଦୀ ପାର୍ଟିକୁ ଗୋଟିଏ ଓ ବହୁଜନ ସମାଜ ପାର୍ଟିକୁ ୨ଟି ଆସନ ଦେବାକୁ ପ୍ରସ୍ତୁତ କଂଗ୍ରେସ
ଆଗାମୀ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ କଂଗ୍ରେସ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିକୁ ମହାମେଣ୍ଟରେ ସାମିଲ କରିବାକୁ ଚାହୁଁଛି। କୁହାଯାଉଛି ଯେ କଂଗ୍ରେସ ମହାରାଷ୍ଟ୍ରରେ ବହୁଜନ ସମାଜ ପାର୍ଟି (ବିଏସ୍ପି)କୁ ଦୁଇଟି ଓ ସମାଜବାଦ ପାର୍ଟି (ଏସ୍ପି)କୁ ଗୋଟିଏ ଲୋକସଭା ଆସନ ଛାଡ଼ିବାକୁ ପ୍ରସ୍ତୁତ ଅଛି। ଏହା ଜରିଆରେ କଂଗ୍ରେସ ଉତ୍ତର ପ୍ରଦେଶରେ ମଧ୍ୟ ଏସପି ଓ ବିଏସପି ସହ ମେଣ୍ଟ କରିବାର ଗୁପ୍ତ ଯୋଜନା କରିଛି।କାରଣ କଂଗ୍ରେସ ଅଲଗା ଉତ୍ତର ପ୍ରଦେଶରେ ଲଢ଼ିଲେ ଭାରତୀୟ ଜନତା ପାର୍ଟିକୁ ଏହାର ଫାଇଦା ମିଳିଯିବ ବୋଲି ଆଶଙ୍କା କରୁଛି। ତା’ଛଡ଼ା ମହାରାଷ୍ଟ୍ରରେ ଦଳିତ-ମୁସଲମାନ୍ ଭୋଟ୍ ବ୍ୟାଙ୍କକୁ ଦୃଷ୍ଟିରେ ରଖି କଂଗ୍ରେସ ଏଭଳି ଚାଲ୍ ଚଳାଉଥିବା କୁହାଯାଉଛି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ମହାରାଷ୍ଟ୍ରର ମୁମ୍ବାଇ ନର୍ଥ ଓ ଆଉ ଦୁଇଟି ଲୋକସଭା ଆସନ ଦେବାକୁ ପ୍ରସ୍ତୁତ ଅଛି କଂଗ୍ରେସ। କଂଗ୍ରେସ ନିଜର କୋଟାରୁ ୨ଟି ଓ ଏନସିପି ଗୋଟିଏ ସିଟ୍ ଦେବାକୁ ରାଜି ହୋଇଥିବା କୁହାଯାଉଛି।