କଂଗ୍ରେସର କ୍ଷତିରେ ବିଜେଡିର ଲାଭ

  • ୭୭ଆସନରେ ଦ୍ୱିତୀୟ ସ୍ଥାନରେ ବିଜେପି
  • ୨୦୧୪ରେ ବିଜେପିର ୭୭ଜଣ ପ୍ରାର୍ଥୀଙ୍କର ଅମାନତ ନଥିଲା
  • କଂଗ୍ରେସର ୮୫ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି ଚତୁର୍ଥ ସ୍ଥାନରେ
  • ଲୋକସଭାରେ କଂଗ୍ରେସର ୧୧ଜଣ ଅମାନତ ହରାଇଛନ୍ତି ବିଜେପିର
  • କଂଗ୍ରେସର ଭୋଟ ହାର ୧୦ରୁ ୧୩ ପ୍ରତିଶତ କମିଛି
  • ଭୋଟ ହାର ୧୪ରୁ ୧୭ ପ୍ରତିଶତ ବଢ଼ିଛି

ବିଜେପି ସାରା ଦେଶରେ ଚମତ୍କାରିତା ଦେଖାଇବା ପରେ ବି ଓଡ଼ିଶାରେ ଆଶାନୁରୂପ ଫଳ ମିଳିଲା ନାହିଁ କାହିଁକି? ଯେଉଁ ପରିବର୍ତ୍ତନ ସଂକେତ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାରେ ଦେଖିବାକୁ ମିଳିଲା, ତାହା ଅନ୍ୟ ଜିଲାମାନଙ୍କରେ ହଜିଗଲା କାହିଁକି? କାହିଁକି ମୋଦୀଙ୍କ ଧୂଆଁଧାର ପ୍ରଚାର ଏବଂ ରାଜ୍ୟ ନେତୃତ୍ୱର ଏତେ କସରତ ନବୀନ ସରକାରଙ୍କୁ କ୍ଷମତାଚ୍ୟୁତ କରିପାରିଲା ନାହିଁ?

ବିଜେପିରେ ଗୋଷ୍ଠୀକନ୍ଦଳ

ଏହା ଉପରେ ମାନସମନ୍ଥନ କରିବାକୁ ରାଜ୍ୟ ବିଜେପି ନେତୃତ୍ୱ ସମୟ ପାଇନଥିବେ। କିନ୍ତୁ ୨୦୧୪ ନିର୍ବାଚନ ଫଳ ଏବଂ ୨୦୧୮ ବିଜେପୁର ଉପ ନିର୍ବାଚନ ସଂକେତରୁ ରାଜ୍ୟ ବିଜେପି କିଛି ଶିଖିଲା ପରି ମନେହେଉ ନାହିଁ। ଅଧିକନ୍ତୁ ଏହି ଦଳର ଗୋଷ୍ଠୀ ବିବାଦ ନୀରବ ହତ୍ୟାକାରୀ ଭାବେ ଦଳର ଅନେକ ସମ୍ଭାବନାକୁ ନଷ୍ଟ କରିଦେଇଛି। ଏକ ବିରାଟ ସୁଯୋଗ ହାତଛଡ଼ା କରିଛି ବିଜେପି ଓଡ଼ିଶାରେ।

ମୋଦୀ-ଶାହଙ୍କ ଡବଲ ଇଞ୍ଜିନ ସ୍ଲୋଗାନ ସ୍ଲୋଗାନରେ ସୀମିତ ରହିଗଲା। ଏଥିପାଇଁ ଯେଉଁ ପ୍ରକାର ଟେକ୍ନିକାଲ ପ୍ରସ୍ତୁତି ଦଳକୁ ନେବାର ଥିଲା ଏବଂ ବିଜେଡିର ସମର୍ଥ ଓ ସକ୍ଷମ ଅମଲାତାନ୍ତ୍ରିକ ମେସିନାରୀକୁ ରୋକିବା ପାଇଁ ଯାହା କରଣୀୟ ଥିଲା, ତାହାକୁ ହାତଛଡ଼ା କରି ଏବେ ବିଜେପି ନେତାମାନେ କପାଳରେ କର ମାରିଲେ ଲାଭ କ’ଣ?

କଂଗ୍ରେସର କ୍ଷତି ବିଜୁ ଜନତା ଦଳର ଲାଭ

୨୦୧୪ରେ ଏକ ବଡ଼ ସଂକେତ ମିଳିଥିଲା ଓଡ଼ିଶାରେ। ବିଜୁ ଜନତା ଦଳର ଭୋଟ ହାର ୬.୮୭% ବଢ଼ି ପହଞ୍ଚିଲା ୪୪ରେ। କଂଗ୍ରେସର ଭୋଟ ହାର କମିଗଲା ୬.୭୫%। ହେଲା ୨୬%। ଅର୍ଥାତ କଂଗ୍ରେସର କ୍ଷତି ଯାହା ବିଜୁ ଜନତା ଦଳର ଲାଭ ତାହା। ଅନ୍ୟ ଅର୍ଥରେ କହିବାକୁ ଗଲେ କଂଗ୍ରେସର ଭୋଟ ମିଶିଲା ବିଜୁ ଜନତା ଦଳ ଖାତାରେ ଏବଂ ଆସନ ସଂଖ୍ୟା ପହଞ୍ଚିଗଲା ୧୧୭ରେ।

ବିଜେପୁର ଉପନିର୍ବାଚନରେ କଂଗ୍ରେସର ଭୋଟ କିଭଳି ବିଜୁ ଜନତା ଦଳ ପାଖକୁ ଚାଲିଯାଇପାରେ, ତାହାର ଏକ ବଡ଼ ପ୍ରମାଣ ମିଳିଥିଲା। ଯେଉଁ ଦଳ ବିଜେପୁର ଆସନକୁ ଲଗାତାର ତିନିଥର ଜିଣିଥିଲା, ସେହି ଦଳର ପ୍ରାର୍ଥୀ ଅମାନତ ହରାଇଲେ ଉପ-ନିର୍ବାଚନରେ। ଗୋଟିଏ ଜାତୀୟ ଦଳର ଭୋଟ ଅନ୍ୟ ଏକ ଆଞ୍ଚଳିକ ଦଳକୁ ସମ୍ପୂର୍ଣ୍ଣ ଚାଲିଯାଇପାରେ, ଏହା ପ୍ରମାଣିତ ହୋଇଥିଲା ବିଜେପୁରରେ। ଏହି ଧାରାକୁ ସଫଳତାର ସହ ୨୦୧୯ ନିର୍ବାଚନରେ ବଜାୟ ରଖିପାରିଛି ବିଜୁ ଜନତା ଦଳ।

ଏହାକୁ କେହିକେହି ନବୀନ-ନିରଞ୍ଜନ ଡିଲ ବୋଲି ମଧ୍ୟ କହୁଛନ୍ତି। କଂଗ୍ରେସ ଭୋଟ ଏକତରଫା ଭାବେ ଅଧିକାଂଶ ଆସନରେ ବିଜୁ ଜନତା ଦଳ ହାତକୁ ଯିବା କାରଣରୁ ଶାସକ ଦଳ ଅତି ସହଜରେ ପରିବର୍ତ୍ତନ ଲହରକୁ ଏବଂ ବିଜେପିର ଡବଲ ଇଞ୍ଜିନ ପ୍ରଚେଷ୍ଟାକୁ ପ୍ରତିହତ କରିପାରିଲା।

ଓଡ଼ିଶାରେ ମୋଦୀ ଲହର ନାହିଁ ବୋଲି ଯେଉଁମାନେ ଯୁକ୍ତି କରୁଛନ୍ତି, ସେମାନେ ଫଳ ଅନୁଧ୍ୟାନ କିମ୍ୱା ଭୋଟ ହାର ତର୍ଜମା କରିନାହାନ୍ତି। ଲୋକସଭାରେ ଯେଉଁ ୮ଟି ସ୍ଥାନରେ ମୋଦୀ ଜନସଭା କରିଥିଲେ, ସେ ସବୁ ଆସନରେ ବିଜେପି ବିଜୟ ଲାଭ କରିଛି। ଲୋକସଭାରେ ବିଜେପିର ଭୋଟ ହାର ୩୮ ପ୍ରତିଶତରେ ପହଞ୍ଚିଛି। ୨୦୧୪ ତୁଳନାରେ ଏହା ୧୭ ପ୍ରତିଶତ ଅଧିକ।

ଅନ୍ୟ ପକ୍ଷରେ କଂଗ୍ରେସ ଗୋଟିଏ ଆସନ ଜିଣିଥିବା ବେଳେ ୬ଟି ଆସନରେ ଅମାନତ ରକ୍ଷା କରିପାରିଛି। କୋରାପୁଟ ବିଜୟ ପରେ ଅନ୍ୟ ଯେଉଁ ପ୍ରାର୍ଥୀମାନେ ଲୋକସଭାରେ ଅମାନତ ରକ୍ଷା କରିପାରିଛନ୍ତି, ସେମାନେ ହେଲେ ଭଦ୍ରକ ମଧୁସ୍ମିତା ସେଠୀ, ବଲାଙ୍ଗୀରର ସମରେନ୍ଦ୍ର ମିଶ୍ର, ଜଗତସିଂହପୁରର ପ୍ରତିମା ମଲ୍ଲିକ, ଭବାନୀପାଟଣାର ଭକ୍ତ ଦାସ, ନବରଙ୍ଗପୁରର ପ୍ରଦୀପ ମାଝୀ ଏବଂ ସୁନ୍ଦରଗଡ଼ର ଜର୍ଜ ତିର୍କୀ।

ମୟୂରଭଞ୍ଜ, ଆସିକା ଏବଂ ଭୁବନେଶ୍ୱର ଆସନକୁ ସହଯୋଗୀ ଦଳ ପାଇଁ ଛାଡ଼ି ଦେଇଥିଲା କଂଗ୍ରେସ। ଏମାନେ ସମସ୍ତେ ଅମାନତ ହରାଇଛନ୍ତି। ବାକି ୧୧ଟି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀମାନଙ୍କର ଅମାନତ ଉଡ଼ିଛି। ସୁତରାଂ ଏହିସବୁ ଆସନଗୁଡ଼ିକରେ ବିଜେପି ଅପେକ୍ଷା ବିଜୁ ଜନତା ଦଳକୁ ଅଧିକ ଫାଇଦା ମିଳିଛି।

କଂଗ୍ରେସର ୮୫ଜଣ ବିଧାୟକ ପ୍ରାର୍ଥୀ ଚତୁର୍ଥ କି ପଞ୍ଚମ ସ୍ଥାନରେ

କଂଗ୍ରେସର ବିଧାନସଭା ଚିତ୍ର ଆହୁରି ଭୟଙ୍କର। କଂଗ୍ରେସର ୮୫ଜଣ ପ୍ରାର୍ଥୀ ଚତୁର୍ଥ କି ପଞ୍ଚମ ସ୍ଥାନରେ ଅଛନ୍ତି। ଭୋଟ ହାର ୨୬ରୁ ୧୬ପ୍ରତିଶତକୁ ଖସିଛି। ୩୧ଟି ସ୍ଥାନରେ କଂଗ୍ରେସ ପ୍ରାର୍ଥୀମାନେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଦଳର ଅନେକ ତୁଙ୍ଗ ନେତା ବିଜେପିର ଉତଥାନ ଯୋଗୁଁ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛନ୍ତି। ଏହାର ସବୁଠୁ ବଡ଼ କାରଣ ହେଲା କଂଗ୍ରେସ ଭୋଟ ବିଜୁ ଜନତା ଦଳ ହାତକୁ ଅତି ସହଜରେ ଚାଲିଯାଇଛି। ଯଦି ତାହା ହୋଇ ନଥାନ୍ତା, ତେବେ ଭାରତୀୟ ଜନତା ପାର୍ଟିର ଆସନ ସଂଖ୍ୟା ଅନାୟସରେ ୫୦ ଟପିଥାନ୍ତା।

୭୭ଟି ଆସନରେ ବିଜେପି ଦ୍ୱିତୀୟ ସ୍ଥାନରେ

୧୪୬ ଆସନରୁ ବିଜେପି୨୩ଟିରେ ବିଜୟୀ ହୋଇଛି। ୭୭ଟି ଆସନରେ ରହିଛି ଦ୍ୱିତୀୟ ସ୍ଥାନରେ। ଆଶ୍ଚର୍ଯ୍ୟର କଥା ୨୦୧୪ରେ ବିଜେପିର ୭୭ଜଣଙ୍କର ଅମାନତ ଉଡ଼ିଯାଇଥିଲା। ବାକି ୪୬ଟି ଆସନରେ ସେମାନେ ତୃତୀୟ ସ୍ଥାନରେ ଅଛନ୍ତି। ଦୁଇଜଣ ପ୍ରାର୍ଥୀ ୧୦୦୦ରୁ କମ ଭୋଟରେ ପରାଜିତ ହୋଇଛନ୍ତି।

୭୫ଜଣ ପ୍ରାର୍ଥୀ ୧୦୦୦ରୁ ୧୫ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ବେଳେ ପଦ୍ମପୁର ଆସନରେ ପ୍ରଦୀପ ପୁରୋହିତ, କୁଚିଣ୍ଡାରେ ରବି ନାୟକ, କଣ୍ଟାମାଳରେ କହ୍ନେଇ ଚରଣ ଡାଙ୍ଗ, ସୋରରେ ରାକେଶ ମଲିକ, ରେମୁଣାରେ ଗୋବିନ୍ଦ ଦାସ, ବରୀରେ ବିଶ୍ୱ ରଞ୍ଜନ ମଲିକ ଏବଂ ବଡ଼ଚଣାରେ ଅମର ନାୟକ ୨ରୁ ୫ହଜାର କମ ଭୋଟ ବ୍ୟବଧାନରେ ହାରିଯାଇଛନ୍ତି।

ଏହି ଆସନଗୁଡ଼ିକରେ କଂଗ୍ରେସ ଭୋଟ ବିଜୁ ଜନତା ଦଳ ଖାତାକୁ ଯାଇ ନଥିଲେ, ଚିତ୍ର ଭିନ୍ନ ହୋଇଥାନ୍ତା। ତେବେ ୧୦୦ଟି ଆସନରେ ବିଜୁ ଜନତା ଦଳକୁ ଟକ୍କର ଦେବାରେ ବିଜେପି ସକ୍ଷମ ହେବା ୨୦୧୯ ନିର୍ବାଚନର ସବୁଠୁ ଉଲ୍ଲେଖନୀୟ ଘଟଣା।

କଂଗ୍ରେସରୁ ଭୋଟ ବିଜୁ ଜନତା ଦଳକୁ ଯିବାର ଆଉ ଏକ ଛୋଟ ଉଦାହରଣ ଦିଆଯାଇପାରେ। ୨୦୧୪ରେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ୩ଲକ୍ଷରୁ ଅଧିକ ଭୋଟ ପାଇଥିଲେ। ଥିଲେ ଦ୍ୱିତୀୟ ସ୍ଥାନରେ। ଏଥର ଧରଣୀଙ୍କ ଭୋଟ ୨ଲକ୍ଷ କମିଛି। ଏହା ଫଳରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଲକ୍ଷାଧିକ ଭୋଟ ବ୍ୟବଧାନରେ ବିଜୁ ଜନତା ଦଳର ଅନୁଭବ ମହାନ୍ତିଙ୍କ ଠାରୁ ହାରିଛନ୍ତି।

ବିଜେପି ତା’ର ଘର ଠିକ ଭାବରେ ସଜାଡ଼ି ନାହିଁ

ଚଳିତ ନିର୍ବାଚନରେ ବହୁ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ନେତାମାନେ ଅନ୍ତର୍ଘାତୀ କାର୍ଯ୍ୟ କରିଛନ୍ତି। କେନ୍ଦ୍ରରେ କାଳେ କିଏ ମନ୍ତ୍ରୀ ହୋଇଯିବେ ସେଥିପାଇଁ ଅନେକ ସାଂସଦ ପ୍ରାର୍ଥୀଙ୍କୁ ହରାଇବାର ଯୋଜନା ହୋଇଥିଲା ବୋଲି ଏବେ ଆଲୋଚନା ହେବାରେ ଲାଗିଛି।

ଦ୍ୱିତୀୟ କାରଣଟି ହେଲା, କଂଗ୍ରେସ ଭୋଟ କିଭଳି ବିଜେଡିକୁ ନଯିବ, ସେ ଦିଗରେ ବିଜେପି ନେତୃତ୍ୱ ଆଦୌ ଧ୍ୟାନ ଦେଇ ନାହାନ୍ତି। ବରୀ, ବଡ଼ଚଣା, ସୁକିନ୍ଦା ଏବଂ ଯାଜପୁର ଏହାର ଗୋଟିଏ ଗୋଟିଏ ଉଦାହରଣ ମାତ୍ର। ଅନ୍ୟ ପକ୍ଷରେ ବିଜେଡି ନେତୃତ୍ୱ ଯେଉଁସବୁ ଆସନରେ ବିଜେପି ପ୍ରାର୍ଥୀ ଅଧିକ ସବଳ ଥିବା ମନେହେଉଥିଲା ସେଠାରେ ସଫଳତାର ସହ ବିଜେପୁର ଫର୍ମୁଲା ପ୍ରୟୋଗ କରିଛି। କଂଗ୍ରେସ ଫ୍ୟାକ୍ଟରକୁ ଅଣଦେଖା କରିବା କାରଣ ବିଜେପିକୁ ମହଙ୍ଗା ପଡ଼ିଲା।

ବିଜେଡିର ନିର୍ବାଚନ ପରିଚାଳନା ପଦ୍ଧତି ଅମଲାତନ୍ତ୍ର ଦ୍ୱାରା ନିୟନ୍ତ୍ରିତ। ପ୍ରଥମ ଥର ପାଇଁ ବ୍ୟାଙ୍କ ଅଫିସର ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ଶାସକ ଦଳ। ବିଜେପିଠାରୁ ବିଜେଡିର ନିର୍ବାଚନ ପରିଚାଳନା ମେସିନାରୀ ଯେ ଅଧିକ ସଫଳ ଓ ସମର୍ଥ ଏହା ପୁନର୍ବାର ପ୍ରମାଣିତ ହେଲା ସଦ୍ୟ ପ୍ରକାଶିତ ନିର୍ବାଚନ ଫଳାଫଳରେ।

ବିଜେପି ଭୋଟ ହାର ବୃଦ୍ଧି

ଭୋଟ ହାର ବିଜେପିର ବଢ଼ିଛି। କିନ୍ତୁ ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳରୁ ଉପରକୁ ବିଜେପି ଯାଇପାରିଲା ନାହିଁ। କିନ୍ତୁ କଂଗ୍ରେସଠାରୁ ଭୋଟ ଆଣିବା ଯୋଗୁଁ ବିଜୁ ଜନତା ଦଳ ୨୦୧୪ ଭୋଟ ହାର ପ୍ରାୟତଃ ବଜାୟ ରଖିପାରିଲା। ତେବେ ଆଗକୁ ବିଜେପି ନବୀନ ସରକାରଙ୍କୁ ଚେକ ଦେବାପାଇଁ କୌଣସି ଠୋସ ପଦକ୍ଷେପ ନେବ କି ନାହିଁ, ତାହା ଉପରେ ରାଜ୍ୟ ରାଜନୀତି ଅନେକ ପରିମାଣରେ ନିର୍ଭର କରିବ।

Leave a Reply

Your email address will not be published.