ବାମପନ୍ଥୀ-କଂଗ୍ରେସ ମେଣ୍ଟ : କିଏ ଫାଇଦାରେ?
ବାମପନ୍ଥୀ ଦଳଙ୍କ ସହ କଂଗ୍ରେସର ମେଣ୍ଟ ଉଭୟ ଦଳକୁ ମହଙ୍ଗା ପଡ଼ିଲା। ପୂର୍ବରୁ ଆଶା କରାଯାଉଥିଲା ଯେ, ଅନ୍ତତଃ ବାମଦଳ ସହ ମେଣ୍ଟ କରିବା ଯୋଗୁଁ କଂଗ୍ରେସକୁ ବଡ଼ ଫାଇଦା ମିଳିବ। କିନ୍ତୁ ଏବେ ଉଭୟ କଂଗ୍ରେସ ଏବଂ ବାମପନ୍ଥୀ ଦଳ କ୍ଷତିରେ ପଡ଼ିବାକୁ ଯାଉଛନ୍ତି।

ଲୋକସଭାର ତିନିଟି ଆସନ ସିପିଆଇ, ସିପିଏମ ଏବଂ ଜେଏମଏମକୁ କଂଗ୍ରେସ ଛାଡ଼ି ଦେଇଥିଲା। ଜେଏମଏମକୁ ମୟୂରଭଞ୍ଜ, ସିପିଆଇକୁ ଆସିକା ଏବଂ ସିପିଏମକୁ ଭୁବନେଶ୍ୱର ଆସନ ଛାଡ଼ିଥିଲା କଂଗ୍ରେସ।
ଏପର୍ଯ୍ୟନ୍ତ କଂଗ୍ରେସ ସହ ବାମପନ୍ଥୀ ଦଳ କେବେ ବି ରାଜ୍ୟରେ ମେଣ୍ଟ କରି ନଥିଲେ। ୧୯୯୦ରେ ଜନତା ଦଳ ସହ ବାମପନ୍ଥୀ ଦଳର ମେଣ୍ଟ ଉଭୟ ଦଳକୁ ଜବରଦସ୍ତ ଫାଇଦା ପହଞ୍ଚାଇ ଥିଲା। ଶିବାଜୀ ପଟ୍ଟନାୟକ ଭୁବନେଶ୍ୱର ଲୋକସଭା ଆସନରୁ ଏବଂ ଲୋକନାଥ ଚୌଧୁରୀ ଜଗତସିଂହପୁର ଆସନରୁ ନିର୍ବାଚିତ ହୋଇଥିଲେ। ଶିବାଜୀ ସିପିଏମର ବରିଷ୍ଠ ନେତା। ଲୋକନାଥ ଚୌଧୁରୀ ସେହିପରି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜଣେ ବରିଷ୍ଠ ନେତା ଥିଲେ।
କିନ୍ତୁ ୧୯୯୫ରେ ମେଣ୍ଟ ଭାଙ୍ଗିଯିବା କାରଣରୁ ଜନତା ଦଳ ବଡ଼ କ୍ଷତି ସହିଥିଲା। ୨୦୦୯ ନିର୍ବାଚନରେ ବିଜେପି ସହ ବିଜେଡିର ମେଣ୍ଟ ଭାଙ୍ଗିବା ପରେ ବାମ ଦଳ ସହ ଆସନ ବୁଝାମଣା କରିଥିଲା ବିଜୁ ଜନତା ଦଳ। ଏହି ବୁଝାମଣା ଯୋଗୁଁ ଜଗତସିଂହପୁର ଆସନରୁ ସିପିଆଇର ବିଭୁ ପ୍ରସାଦ ତରାଇ ଲୋକସଭାକୁ ନିର୍ବାଚିତ ହୋଇପାରି ଥିଲେ। କିନ୍ତୁ ୨୦୧୪ରେ ବିଜେଡି କାହା ସହ ମେଣ୍ଟ ନକରି ମଧ୍ୟ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା।
୨୦୧୯ ନିର୍ବାଚନରେ ବିଜେଡି ସହ ମେଣ୍ଟ କରିବା ସକାଶେ ପ୍ରବଳ ଆଗ୍ରହୀ ଥିଲେ ଦୁଇ ବାମପନ୍ଥୀ ଦଳ। କିନ୍ତୁ ନବୀନ ସେମାନଙ୍କୁ ଆତାପତ୍ତା ଦେଲେ ନାହିଁ। ଏହି ଆଶା କାରଣରୁ ଗତ ୫ବର୍ଷ ଭିତରେ ବାମପନ୍ଥ୍ୀ ଦଳଗୁଡ଼ିକ ନବୀନ ସରକାରଙ୍କ କୁକୀର୍ତ୍ତି ବିରୋଧରେ ଯେଭଳି ଜନ ଆନ୍ଦୋଳନ ଗଢ଼ି ତୋଳିବା କଥା, କରିପାରିଲେ ନାହିଁ। ବିଜେଡି ନେତା ନବୀନ ବାବୁ ବାମ ଦଳକୁ ପାଖରେ ପୁରାଇବାକୁ ନଚାହିଁବା କାରଣରୁ ସିପିଆଇ ଏବଂ ସିପିଏମ କଂଗ୍ରେସ ସହ ଆସନ ବୁଝାମଣା କରିବାକୁ ଆଗ୍ରହୀ ହୋଇ ପଡ଼ିଥିଲେ।
ବୋଧହୁଏ ବାମ ଦଳର ନେତାମାନେ ଓଡ଼ିଶାରେ କଂଗ୍ରେସ ସ୍ଥିତି ସମ୍ପର୍କରେ ଭଲ ଭାବେ ଆକଳନ କରିପାରି ନଥିଲେ। ଜାତୀୟ ରାଜନୀତି ପ୍ରେକ୍ଷାପଟ୍ଟରେ କଂଗ୍ରେସ ସହିତ ତାଳମେଳ ରଖିବାକୁ ବାମପନ୍ଥୀ ଦଳ ଗୁଡ଼ିକ ଆଗ୍ରହୀ ଥିଲେ। ବିଜେପି ବିରୋଧରେ ଏକ ବଡ଼ ଜାତୀୟ ମେଣ୍ଟ ଗଠନ କରିବା ନିମନ୍ତେ ଯେଉଁ ପ୍ରଚେଷ୍ଟା ଚାଲିଥିଲା, ସେଥିରେ ବାମପନ୍ଥୀ ଦଳ ଅଂଶୀଦାର ଥିଲେ।
ଓଡ଼ିଶାରେ ଦୁଇ ବାମ ଦଳ ହାତରେ ବିରାଟ ଭୋଟ ବ୍ୟାଙ୍କ ନଥିଲେ ମଧ୍ୟ ଅନେକ ସ୍ଥାନରେ ସେମାନଙ୍କର ଭଲ ସଂଗଠନ ଅଛି। ଏହି ଭୋଟ ପ୍ରାୟତଃ ଏପାଖ ସେପାଖ ହୁଏ ନାହିଁ। ତେଣୁ ଯେଉଁ ଦଳ ବାମଦଳ ଗୁଡ଼ିକ ସହ ମେଣ୍ଟ କରିଥାନ୍ତି, ସେମାନଙ୍କୁ ଅଧିକ ଫାଇଦା ମିଳିଥାଏ। ଏହା ବିଜୁ ଓ ନବୀନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଥିଲା। ମାତ୍ର ଆଶ୍ଚର୍ଯ୍ୟର କଥା କଂଗ୍ରେସ ଏଥିରୁ ଫାଇଦା ପାଇଲା ନାହିଁ। ବରଂ କ୍ଷତିରେ ପଡ଼ିଲା।
ଏମିତିରେ ବାମପନ୍ଥୀ ଦଳଗୁଡ଼ିକ ପାଖକୁ କଂଗ୍ରେସ ଭୋଟ ଯାଇଛି ବୋଲି କୁହାଯାଇ ପାରିବ ନାହିଁ। ପ୍ରାଥମିକ ଆକଳନ ଅନୁସାରେ, କଂଗ୍ରେସ ଭୋଟ ଅଧିକ ଯାଇଛି ଭାରତୀୟ ଜନତା ପାର୍ଟି ପାଖକୁ। କିଛି ଭୋଟ ମଧ୍ୟ ବିଜୁ ଜନତା ଦଳ ହାତେଇବାକୁ ସଫଳ ହୋଇଛି।
ଏଠାରେ ଗୋଟିଏ ବଡ଼ ଉଦାହରଣ ଦିଆଯାଇ ପାରେ। ଭୁବନେଶ୍ୱର ଲୋକସଭା ଆସନଟି ବୁଝାମଣା ଅନୁସାରେ କଂଗ୍ରେସ ଛାଡ଼ି ଦେଇଥିଲା ମାର୍ତ୍ତବାଦୀ କମ୍ୟୁନିଷ୍ଟ ପାର୍ଟିକୁ। ଜନାର୍ଦ୍ଦନ ପତି ଥିଲେ କଂଗ୍ରେସ-ବାମପନ୍ଥୀ ଦଳର ମିଳିତ ପ୍ରାର୍ଥୀ। କିନ୍ତୁ ଏକ ମିଳିତ ପ୍ରଚାର କୌଶଳ ଦେଖିବାକୁ ମିଳିଲା ନାହିଁ ଭୁବନେଶ୍ୱର ଲୋକସଭା ଆସନରେ। ଜନାର୍ଦ୍ଦନ ନିରୁତା ବାମପନ୍ଥୀ ଦଳର ପ୍ରାର୍ଥୀ ଭାବେ ପ୍ରଚାର ଚଳାଇ ଥିଲେ। ଫଳରେ କଂଗ୍ରେସ ଭୋଟ ଯେଉଁଭଳି ଯିବା କଥା ତାଙ୍କ ପାଖକୁ ଗଲା ନାହିଁ। ଅଧିକନ୍ତୁ କଂଗ୍ରେସର କୌଣସି ଲୋକସଭା ପ୍ରାର୍ଥୀ ନଥିବାରୁ ଏହାର ସମର୍ଥକମାନେ ସେମାନଙ୍କର ଇଚ୍ଛା ଅନୁସାରେ ଲୋକସଭା ଆସନ ପାଇଁ ଭୋଟ ଦେଇଛନ୍ତି। ଏଥିରୁ ସବୁଠୁ ବେଶୀ ଫାଇଦା ବିଜେପି ଉଠାଇଛି।
ଆଉ ଏକ ଉଦାହରଣ ହେଲା ଜୟଦେବ। ଜୟଦେବ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସୁକାନ୍ତ ଭୋଇ ତିଆଡ଼ିଙ୍କ ପ୍ରାଥିର୍ପତ୍ର ନାକଚ ହେବା ପରେ ସେଠାରେ କୌଣସି କଂଗ୍ରେସ ପ୍ରାର୍ଥୀ ରହିଲେ ନାହିଁ। ଯଦିଓ ପରବର୍ତ୍ତୀ ସମୟରେ ସ୍ୱାଧୀନ ପ୍ରାର୍ଥୀ ରାଘବ ସେଠୀଙ୍କୁ ସମର୍ଥନ କରିବା ସକାଶେ କଂଗ୍ରେସ ନିଷ୍ପତ୍ତି ନେଇଥିଲା, ହେଲେ ମିଳିତ ପ୍ରଚାର କରିବାକୁ ସ୍ଥାନୀୟ କଂଗ୍ରେସ ନେତାମାନେ ବାହାରିଲେ ନାହିଁ। ଏହା ଏମିତି ଏକ ବିଧାନସଭା ଆସନ, ଯେଉଁଠି ଇଭିଏମରେ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ହାତ ଚିହ୍ନ କି କଂଗ୍ରେସ ପ୍ରାର୍ଥୀ ନଥିଲେ।
ଗତ ୪ଟି ନିର୍ବାଚନରେ ଏଠାରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହୁଥିଲା। ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ଦଳର ପ୍ରାର୍ଥୀ କେହି ନଥିବାରୁ ଅନାଥ ଏବଂ ଛେଉଣ୍ଡ ପରି କଂଗ୍ରେସ ଭୋଟରମାନେ ସେମାନଙ୍କ ମନଇଚ୍ଛା ଭୋଟ ଦେଇଛନ୍ତି। ଏଥିରୁ ଆଦୌ ଫାଇଦା ପାଇନାହାନ୍ତି ମେଣ୍ଟ ପ୍ରାର୍ଥୀ ଜନାର୍ଦ୍ଦନ ପତି। କଂଗ୍ରେସ ସହିତ ମେଣ୍ଟ କରି ଜନାର୍ଦ୍ଦନ ବରଂ କ୍ଷତିରେ ପଡ଼ିଛନ୍ତି।
ସେହିପରି କଂଗ୍ରେସ ବାମ ଦଳ ଭୋଟ ପାଇଥାଇ ପାରେ। କିନ୍ତୁ ଏହି ଭୋଟକୁ ଆଣିବା ସକାଶେ କଂଗ୍ରେସ ପକ୍ଷରୁ କୌଣସି ଉଦ୍ୟମ ହେଲା ଭଳି ଲାଗିଲା ନାହିଁ। ଯଦି ଆସିକାରେ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡା କଂଗ୍ରେସ ଭୋଟ ପାଇଥାନ୍ତି, ତେବେ ତାହା ତାଙ୍କର ସୌଭାଗ୍ୟ ବୋଲି ବିବେଚନା କରିବାକୁ ପଡ଼ିବ।
ଆସନ ବୁଝାମଣା କରି ଯଦି କଂଗ୍ରେସ ଓ ବାମ ଦଳ ଭିତରେ ସମନ୍ୱୟ ରହିନପାରିଲା, ତେବେ ଭୋଟ ଟ୍ରାନ୍ସଫର କିଭଳି ହେବ? ଦେଖାଯାଉ ସୁନ୍ଦରଗଡ଼ରେ କଂଗ୍ରେସ ଏହି ମେଣ୍ଟରୁ ଫାଇଦା ପାଉଛି କି ନାହିଁ।