ଦ୍ୱନ୍ଦ୍ୱରେ କଂଗ୍ରେସ : ଆଜି ୪ଟି ଆସନରେ ପୁଣି ପ୍ରାର୍ଥୀ ପରିବର୍ତ୍ତନ
କଂଗ୍ରେସ ଏଥର ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ ଓ କାହାକୁ ନ କରିବ ସେ ନେଇ ଶେଷ ମୁହୂର୍ତ୍ତ ଯାଏଁ ଦ୍ୱନ୍ଦ୍ୱ ଭିତରେ ରହିଛି। ଆଜି ଘୋଷିତ ପ୍ରାର୍ଥୀ କାଲିକି ପରିବର୍ତ୍ତିତ ହେଉଛନ୍ତି। ଆଉ କେହିି କେହି ଟିକେଟ ପାଇଲା ପରେ ତାହା ପ୍ରତ୍ୟାଖ୍ୟାନ କରୁଛନ୍ତି। କଂଗ୍ରେସ ରାଜ୍ୟରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଗତକାଲି କିଛି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା ବେଳେ ଆଜି ଆଉ କିଛି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି।
ଆଜି ୪ଟି ଆସନରେ ପୁଣି ପ୍ରାର୍ଥୀ ବଦଳିଛନ୍ତି। କେନ୍ଦୁଝର ଲୋକସଭା ଓ ୩ ବିଧାନସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି। କେନ୍ଦୁଝର ଲୋକସଭା ପ୍ରାର୍ଥୀ ହୋଇଥିବା ଫକିର ନାୟକଙ୍କ ବଦଳରେ ମୋହନ ହେମ୍ବ୍ରମଙ୍କୁ ଦଳ ପ୍ରାର୍ଥୀ କରିଛି। ମୋହନଙ୍କୁ ତେଲକୋଇ ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ କରିଥିଲା।
ଏବେ ତେଲକୋଇ ପାଇଁ ମୋହନଙ୍କ ସ୍ଥାନରେ ପ୍ରଶାନ୍ତ ଦଳେଇଙ୍କୁ ପ୍ରାର୍ଥୀ କରାଯାଇଛି।
ପାଟଣା ବିଧାନସଭା ପ୍ରାର୍ଥୀ ହୋଇଥିବା ଗୋପେଶ୍ୱର ନାୟକଙ୍କ ସ୍ଥାନରେ ବିନୋଦ ନାୟକ ପ୍ରାର୍ଥୀ ହୋଇଛନ୍ତି। ଆଜି ହେଉଛି କେନ୍ଦୁଝର ଜିଲ୍ଲାର ନାମାଙ୍କ ଦାଖଲର ଶେଷ ଦିନ । ଶେଷ ମୁହୂର୍ତ୍ତରେ ଦଳ ପ୍ରାର୍ଥୀ ବଦଳାଇ ଚାଲିଛି ।
ସେହିପରି ଗତକାଲି ବେଗୁନିଆର ଘୋଷିତ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ସ୍ଥାନରେ ପ୍ରଦୀପ ସାହୁଙ୍କ ନାମ ଘୋଷଣା କରିଥିଲା । ଆଜି ତାଙ୍କ ବଦଳରେ ଅନ୍ୟ ପ୍ରାର୍ଥୀ ଦିଆଯାଉଛି ।
ଗତକାଲି ସମ୍ବଲପୁର ବିଧାନସଭା ଆସନର ପ୍ରାର୍ଥୀ ଅଶ୍ୱିନୀ ଗୁରୁଙ୍କୁ ବଦଳାଇ ଡ଼ା. ଅଶ୍ୱିନୀ ପୂଜାହରୀଙ୍କୁ ପ୍ରାର୍ଥୀ କରାଯାଇଛି।
ଖୋର୍ଦ୍ଧା ଆସନରୁ ଦିଲ୍ଲୀ ପ ଶ୍ରୀଚନ୍ଦନଙ୍କ ବଦଳରେ ସ୍ୱାଗତିକା ପଟ୍ଟନାୟକ, ଖଣ୍ଡପଡ଼ା ଆସନରୁ ବିନୋଦିନୀ ମହାନ୍ତିଙ୍କ ବଦଳରେ ବସନ୍ତ ମହାରଣାଙ୍କୁ ପ୍ରାର୍ଥୀ କରାଯାଇଛି ।
ପିପିଲି ପୂର୍ବତନ ଏମଏଲଏ ଯୁଧିଷ୍ଟିର ସାମନ୍ତାୟଙ୍କୁ ପୂର୍ବରୁ ଟିକେଟ ଦିଆଯାଇଥିବାବେଳେ ସେ ଲଢିବା ପାଇଁ ମନା କରିବାରୁ ତାଙ୍କ ସ୍ଥାନରେ ଅଜିତଙ୍କୁ ପ୍ରାର୍ଥୀ କରାଯାଇଛି । ଏଥିରୁ କଂଗ୍ରେସ କେତେବେଳେ କାହାକୁ ପ୍ରାର୍ଥୀ କରୁଛି ଓ କାହାକୁ କାଟୁଛି ତାହା ଜାଣିବା କଷ୍ଟକର ହେଲାଣି।