କଂଗେସର ଘର ଅସଜଡ଼ା

୨୦୧୯ ପାଇଁ ମହାସଂଗ୍ରାମ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ କେବଳ ବିଗୁଲ ବାଜିବା ବାକି ରହିଛି। ବିଗୁଲ ନ ବାଜୁଣୁ ରାଜ୍ୟର ତିନିଟି ଯାକ ପ୍ରମୁଖ ରାଜନୈତିକ ଦଳ ଆଗୁଆ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଦେଲେଣି। ନିର୍ବାଚନ ପାଇଁ ବିଜୁ ଜନତା ଦଳ, ଭାରତୀୟ ଜନତାପାର୍ଟି ଏବଂ କଂଗ୍ରେସ ପ୍ରସ୍ତୁତ। ଭୋଟ ପାଇବା ପାଇଁ ତିନିଟି ଯାକ ଦଳ ନିଜ ନିଜ ଢଙ୍ଗରେ ପ୍ରତିପକ୍ଷ ଦଳକୁ ଦୋଷାରୋପ କରି ମତଦାତାଙ୍କୁ ବୁଝାଇବା ଆରମ୍ଭ କରିେଲେଣି।

ଏକ ସମୟରେ କଂଗ୍ରେସ ଦୌଡରୁ ବାହାର ହୋଇଯାଇଛି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ତିନି ରାଜ୍ୟରେ ଦଳର ସଫଳତା ପରେ ଓଡ଼ିଶାରେ ମଧ୍ୟ କଂଗ୍ରେସ ଭିତରେ ଏକ ନୂଆ ଉତ୍ସାହ ଦେଖାଦେଇଛି। ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସିବା ପରେ ଯୁଦ୍ଧ ପାଇଁ ଦଳ ପୂର୍ବାପେକ୍ଷା ଅଧିକ ପ୍ରସ୍ତୁତ ବୋଲି ଆଭାସ ମିଳୁଛି। ଲୋକଙ୍କ ସହ ଯୋଡି ହେବା ପାଇଁ ସଂକଳ୍ପ ଯାତ୍ରା, ଜନଇସ୍ତାହାର ଶୁଣାଣି ଏବଂ ଜନଆଶୀର୍ବାଦ ଯାତ୍ରା ଭଳି କାର୍ଯ୍ୟକ୍ରମ ହାତକୁ ନେଇଛି କଂଗ୍ରେସ।

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବାପରେ ହଠାତ ଦଳରେ ଅସନ୍ତୁଷ୍ଟମାନେ ସକ୍ରିୟ ହୋଇପଡିଥିଲେ। ଦଳରେ ଅଧିକ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଅଧିକରୁ ଅଧିକ ନେତା ଓ କର୍ମୀ ଦଳ ଛାଡି ବିଜେଡ଼ି ଓ ବିଜେପିକୁ ଚାଲିଯାଇଥିଲେ। ନିକଟ ଅତୀତରେ ମଧ୍ୟ ଦୁଇଜଣ ବିଧାୟକ ବିଜେଡ଼ିରେ ଯୋଗଦେଇଛନ୍ତି। ଆଉ ଦୁଇଜଣ ବିଧାୟକ ପ୍ରଫୁଲ୍ଲ ମାଝି ଓ ପ୍ରକାଶ ବେହେରା ଲାଇନରେ ଅଛନ୍ତି। ନବୀନ ପଟ୍ଟନାୟକ କଂଗ୍ରେସକୁ ଅଧିକ ଦୁର୍ବଳ କରିବା ପାଇଁ ଲାଗିପଡିଛନ୍ତି।

ରାହୁଲଙ୍କ ଗସ୍ତ ପରେ ଏକ ବଡ଼ ଉତ୍ସାହ ସୃଷ୍ଟି ହୋଇଛି ଦଳ ଭିତରେ। ଆଗକୁ ପ୍ରିୟଙ୍କା ଆସିବେ ବୋଲି ପ୍ରଚାର ହେଲାଣି। ରାହୁଲଙ୍କ କଡ଼ା ସ୍ୱର ଲୋକଙ୍କ ଭିତରେ ଗ୍ରହଣୀୟ ହୋଇଛି। କିନ୍ତୁ କଂଗ୍ରେସର ସବୁଠୁ ବଡ଼ ଦୁର୍ବଳତା ହେଲା ଯେଉଁମାନେ ଭୋଟରଙ୍କୁ ଆକୃଷ୍ଟ କରନ୍ତି ଅର୍ଥାତ କୁଜି ନେତାମାନେ ରାଜ୍ୟରେ କ୍ଷମତାସୀନ ବିଜେଡ଼ିର ଠିକାଦାର ପାଲଟି ଯାଇଛନ୍ତି। ଠିକ ଯେମିତି ବିଜେପୁରରେ କଂଗ୍ରେସ ସରପଞ୍ଚ, ସମିତି ସଭ୍ୟ ନବୀନ ସରକାରଙ୍କ ଦ୍ୱାରା ଅନୁଗୃହୀତ ହେବା କାରଣରୁ ସେଠାରେ ଦଳ ଅମାନତ ହରାଇଥିଲା।

ଏଭଳି ଅବସ୍ଥା ବର୍ତ୍ତମାନ ବହୁ ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳୁଛି। କଂଗ୍ରେସର ଜନପ୍ରତିନିଧି ହୋଇ ମଧ୍ୟ ସେମାନେ ଶାସକ ବିଜୁ ଜନତା ଦଳ ଦ୍ୱାରା ବିଭିନ୍ନ ଭାବରେ ଉପକୃତ ହୋଇଆସୁଛନ୍ତି। ତେଣୁ ଉପରସ୍ତରରେ ଯେଉଁ ଉତ୍ସାହ ସୃଷ୍ଟି ହୋଇଛି ତାହା ତଳସ୍ତର ପର୍ଯ୍ୟନ୍ତ ଯିବା ବେଳକୁ ଏଭଳି ଶାସକ ଦଳ ଦ୍ୱାରା ଉପକୃତ ଦଲାଲମାନେ ଏହାକୁ ହଡପ କରିନେବାର ଆଶଙ୍କା ଅଛି। ତେଣୁ କଂଗ୍ରେସ ନେତାମାନେ ଜୋସରେ ଥିଲେ ମଧ୍ୟ ଭୋଟ ବେଳେ ବୁଥ ପରିଚାଳନା ଏହି ଦଳ ସକାଶେ ବଡ଼ ସମସ୍ୟା ସୃଷ୍ଟି କରିବ।

ତେଣୁ ଓଡ଼ିଶାରେ ଅସଜଡା ଘର ହିଁ ଉଭୟ ନିରଞ୍ଜନ ଓ ରାହୁଲଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ। ନିଯୁକ୍ତି ଗ୍ୟାରେଣ୍ଟି, କୃଷିଋଣ ଛାଡ ଏବଂ ଧାନର ମୂଲ୍ୟ ୨୬୦୦ଟଙ୍କା କରିବା ପାଇଁ ଦଳ ଘୋଷଣା କାନକୁ ଭଲ ଶୁଭିପାରେ। ହେଲେ ବିଜେଡ଼ିର କଳବଳ ଏବଂ ବିଜେପିର କ୍ୟାଡର ଆଗରେ କଂଗ୍ରେସ ଭୋଟରମାନଙ୍କୁ ବୁଥ ପର୍ଯ୍ୟନ୍ତ ଆଣିପାରିବ କି ନାହିଁ ସେନେଇ ଯଥେଷ୍ଟ ସନ୍ଦେହ ଅଛି।

Leave a Reply

Your email address will not be published.