ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରିଲା : କଂଗ୍ରେସର କୌଣସି ଜଣେ ଜାତୀୟସ୍ତରର ନେତା ଓଡ଼ିଶା ଆସିଲେ ନାହିଁ


ନିର୍ବାଚନ ସକାଶେ ତୃତୀୟ ପର୍ଯ୍ୟାୟ ପ୍ରଚାର ସରିଗଲା। ଆଉ ବାକି ରହିଲା ଗୋଟିଏ ପର୍ଯ୍ୟାୟ। କିନ୍ତୁ ଏପର୍ଯ୍ୟନ୍ତ କଂଗ୍ରେସର କୌଣସି ଜଣେ ଜାତୀୟସ୍ତରର ନେତା ଓଡ଼ିଶା ଆସିଲେ ନାହିଁ। ସତେ ଯେମିତି କଂଗ୍ରେସ ସକାଶେ ଓଡ଼ିଶା ବିଧାନସଭା କିମ୍ବା ଲୋକସଭା ଆସନର କୌଣସି ମୂଲ୍ୟ ନାହିଁ। ବାକିଥିବା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୭ତାରିଖରେ ପ୍ରଚାର ସରିଯିବ। କହିବାକୁ ଗଲେ ଓଡ଼ିଶାରେ ନିର୍ବାଚନ ପ୍ରଚାର ସେ ହେବା ପାଇଁ ହାତରେ ଆଉ ୬ଦିନ ସମୟ। କାହିଁକି କେଜାଣି କଂଗ୍ରେସ ଯଥେଷ୍ଟ ଆଗରୁ ଏକପ୍ରକାର ପରାଜୟ ସ୍ୱୀକାର କରି ନେଇ ମଇଦାନରୁ ବାହାରିଗଲା।

ନବୀନ ପଟ୍ଟନାୟକ ଏକାକୀ ବିଜୁ ଜନତା ଦଳର ପ୍ରଚାର ମଙ୍ଗ ଧରିଛନ୍ତି। ବିଜେଡି ଏକ ଆଞ୍ଚଳିକ ଦଳ । ଏହି ଦଳରେ ନବୀନଙ୍କ ବ୍ୟତୀତ ଆଉ କେହି ନାହାନ୍ତି। ତେଣୁ ନବୀନ ହିଁ ଏହି ବୟସରେ ହାଇଟେକ୍‌ ବସ୍‌ରେ ହେଉ ପଛେ ନିର୍ବାଚନ ପ୍ରଚାର ଚଳାଇଛନ୍ତି।

ବିଜେପି ଜାତୀୟ ଦଳ। ଏହି ଦଳରେ ମୋଦୀ ଓ ଶାହାଙ୍କ ପରି ଟାଣୁଆ ପ୍ରଚାରକ ସହିତ ଆହୁରି ବି ତୁଙ୍ଗ ନେତା ଅଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ମୋଦୀ ୩ ପର୍ଯ୍ୟାୟ ଭିତରେ ୩ଥର ଓଡ଼ିଶା ଆସିସାରିଲେଣି। ଆସନ୍ତା ୨୩ତାରିଖରେ ପୁଣି ଆସୁଛନ୍ତି ଦୁଇଟି ସ୍ଥାନରେ ଜନସଭାକୁ ସମ୍ବୋଧନ କରିବା ନିମନ୍ତେ। ପ୍ରଚାରର ସକାଶେ ଅଧ୍ୟକ୍ଷ ଅମିତ ଶାହା ଆସିବେ ୨୭ତାରିଖରେ। ବହୁ କେନ୍ଦ୍ରୀୟ ନେତା ମଧ୍ୟ ପ୍ରଚାର କରି ଫେରିଯାଇସାରିଲେଣି। ଗଡକରୀ ଏବଂ ରାଜନାଥ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଲାଗି ଆସୁଛନ୍ତି । ପୁରା ଦମ ଲଗାଇ ଦେଇଛି  ବିଜେପି ।

କଂଗ୍ରେସରେ ନେତାଙ୍କର ଅଭାବ ନାହିଁ। ରାହୁଲ, ପ୍ରିୟଙ୍କାଙ୍କୁ ଛାଡିଦେଲେ ଯୁବନେତୃତ୍ୱ ମଧ୍ୟରେ ଜ୍ୟୋତିରାଦିତ୍ୟ, ସଚିନ, ମିଲିନ୍ଦ ଦେୱରାଙ୍କ ଭଳି ନେତା ଅଛନ୍ତି। କିନ୍ତୁ କେହି ଜଣେ ଓଡ଼ିଶା ଆସିଲେ ନାହିଁ। ରାହୁଲ ଗାନ୍ଧୀ ଓଡ଼ିଶା ଆସି ଯେଉଁ ପ୍ରକାର ସମ୍ଭାବନା ସୃଷ୍ଟି କରିଥିଲେ, ତାହା ଏତେ ଶୀଘ୍ର ମଉଳି ଯିବ ବୋଲି କେହି ବିଶ୍ୱାସ ମଧ୍ୟ କରୁନାହାନ୍ତି। ଏବେ କେବଳ ନିରଞ୍ଜନ ପିସିସି ସଭାପତି ଭାବେ ମୋର୍ଚ୍ଚା ସମ୍ଭାଳିଛନ୍ତି।

ନିର୍ବାଚନ ତାରିଖ ଘୋଷଣା ହେବା ଆଗରୁ ରାହୁଲ ଦୁଇଥର ଓଡ଼ିଶା ଆସିଥିଲେ। ସଂଗଠନ ଏବଂ କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ଆଶା ସୃଷ୍ଟି କରିଥିଲେ। କିନ୍ତୁ ପରବର୍ତ୍ତୀ କାଳରେ ସେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଭୁଲିଗଲେ ବୋଲି ଜଣାପଡୁଛି। ଦଳ ତ୍ୟାଗ ସମସ୍ୟା ଯୋଗୁ ଏମିତିରେ କଂଗ୍ରେସ ସଂଗଠନ ଦୁର୍ବଳ ହୋଇପଡିଥିଲା। କିନ୍ତୁ ହାଇକମାନ୍ଦଙ୍କ ମତିଗତି କଂଗ୍ରେସକୁ ଡୁବେଇ ଦେଲା ବୋଲି କୁହାଯାଇପାରେ।

ଓଡ଼ିଶାରେ ଲୋକସଭା ଆସନ ସଂଖ୍ୟା କିଛି କମ୍‌ ନୁହେଁ। କେରଳ, ଛତିଶଗଡ଼, ଆସାମ, ଝାରଖନ୍ଦ, ଦିଲ୍ଲୀ,ହରିଆନା ଠାରୁ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ଅଧିକ। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ହେବା ପାଇଁ ସ୍ୱପ୍ନ ଦେଖୁଥିବା ରାହୁଲ ୨୧ଟି ଲୋକସଭା ଆସନକୁ କେମିତି ଯେ ଭୁଲିଗଲେ, ତାହା ବୁଝିବା ମୁସ୍କିଲ୍‌।

Leave a Reply

Your email address will not be published.