କଂଗ୍ରେସକୁ ଭରଷା ଛତିଶଗଡ଼ ଫର୍ମୁଲା
୮ ତାରିଖରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲାଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତୃତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଜାନୁଆରୀ୨୫ରେ ସେ ଆସିଥିଲେ ଭୁବନେଶ୍ୱର। ଫେବୃଆରୀ ୫ ତାରିଖରେ ଭବାନୀପାଟଣା ଓ ରାଉରକେଲା ସମାବେଶରେ ସେ ଯୋଗ ଦେଇଥିଲେ। ମାର୍ଚ୍ଚ ୮ ତାରିଖ ଦିନ ରାହୁଲ ଗାନ୍ଧୀ ଜୟପୁର ଏବଂ ବରଗଡ଼ ସମାବେଶରେ ଯୋଗଦେବେ ।
କ୍ଷମତା ହାସଲ ସ୍ୱପ୍ନରେ କଂଗ୍ରେସ ଓଡ଼ିଶାରେ ଛତିଶଗଡ଼ ଫର୍ମୁଲା ପ୍ରୟୋଗ କରିବା ଆରମ୍ଭ କରିଛି। କଂଗ୍ରେସର ଏହି ଫର୍ମୁଲା ଛତିଶଗଡ଼ରେ ଦଳକୁ ବିପୁଳ ବିଜୟ ଦେଇଛି। ୯୦ ଆସନରୁ କଂଗ୍ରେସ ଜିଣିଛି ୬୮। ଅନୁସୂଚିତ ଜାତିର ୧୦ଟି ଆସନରୁ କଂଗ୍ରେସ ଦଖଲ କରିଛି ୭ଟି। ବସ୍ତର ଅଞ୍ଚଳରେ ୨୭ଟି ଆଦିବାସୀ ସିଟ ମଧ୍ୟ ଯାଇଛି କଂଗ୍ରେସ ଖାତାକୁ।
ଏହାର ବଡ଼ କାରଣ ହେଲା, କଂଗ୍ରେସ ଚାଷୀ ଓ ଚାଷକୁ ପ୍ରଚାରର ମୁଖ୍ୟ ପ୍ରସଙ୍ଗ କରିଥିଲା। ଏହାଛଡ଼ା ବେକାରୀ ସମସ୍ୟା ପାଇଁ କିଛି ପ୍ରତିଶ୍ରୁତି ଯୁବକଙ୍କୁ ଆକୃଷ୍ଟ କରିଥିଲା। ପ୍ରଥମ ଥର ପାଇଁ ଛତିଶଗଡ଼ରେ ଲୋକଙ୍କୁ ପଚାରି ଇସ୍ତାହାର ପ୍ରସ୍ତୁତ କରିଥିଲା କଂଗ୍ରେସ। ଫଳ ସ୍ୱରୂପ ୧୫ ବର୍ଷର ବିଜେପି ଶାସନ ଭାଙ୍ଗି ଦେଇପାରିଥିଲା ଏହି ଦଳ।
ଓଡ଼ିଶାରେ ସମାନ ଫର୍ମୁଲା ପ୍ରୟୋଗ କରିବାକୁ ଯାଉଛି କଂଗ୍ରେସ। ୮ ତାରିଖ ଦିନ ରାହୁଲଙ୍କ ସହ ଆସୁଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ଏହା ସ୍ପଷ୍ଟ କରିଦେଉଛି ଯେ, କଂଗ୍ରେସର ଉଦ୍ଦେଶ୍ୟ କ’ଣ?
ଛତିଶଗଡ଼ରେ କୃଷିଋଣ ଛାଡ଼ ହୋଇଛି। ଧାନର ସହାୟକ ମୂଲ୍ୟ ଉପରେ ୭୫୦ ଟଙ୍କା ବୋନସ ଦେବାଲାଗି ଘୋଷଣା କରିଛନ୍ତି ବାଘେଲ ସରକାର। ଏବେ ନିଯୁକ୍ତି ଗ୍ୟାରେଣ୍ଟି ଭତ୍ତାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ। ସେଥିପାଇଁ ଜୟପୁର ଏବଂ ବରଗଡ଼କୁ ରାହୁଲ ସାଥିରେ ଆଣୁଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ।
ବିଶେଷତଃ କଂଗ୍ରେସର ପଶ୍ଚିମ ଓଡ଼ିଶାର ଚାଷୀ ଭୋଟରଙ୍କ ଉପରେ ବିଶେଷ ନଜର ରହିଛି। ପଶ୍ଚିମାଞ୍ଚଳରେ ବିଜେଡ଼ି ପରେ ବିଜେପିର ପ୍ରଭାବ ଅଛି। କିନ୍ତୁ କଂଗ୍ରେସର ମଧ୍ୟ ନିର୍ଦ୍ଦିଷ୍ଟ ଭୋଟ ବ୍ୟାଙ୍କ ରହିଛି। ସବୁ ଦଳ ଚାଷୀଙ୍କୁ ଫୋକସ କରୁଛନ୍ତି। ୧୯ ବର୍ଷ କ୍ଷମତାରେ ଥିବା ବିଜୁ ଜନତା ଦଳ କାଳିଆ ନାମରେ ଚାଷୀଙ୍କ ଭୋଟ ହାତେଇବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି। ବିଜେପି ପିଏମ କିଷାନ ଯୋଜନା ଆରମ୍ଭ କରିଛି। କିନ୍ତୁ ଦୁଇପାଦ ଆଗକୁ ଯାଇ କଂଗ୍ରେସ କୃଷି ଋଣ ଛାଡ଼ ସହ ଧାନର ସହାୟକ ମୂଲ୍ୟ ୨୬୫୦ ଟଙ୍କା କରିବା ସକାଶେ ପ୍ରତିଶ୍ରୁତି ଦେଇସାରିଛି।
ତେଣୁ ପଶ୍ଚିମଓଡ଼ିଶାର ଚାଷୀ ଭୋଟରଙ୍କୁ ନେଇ ଯେଉଁ ଛକାପପ୍ତା ତିନି ଦଳ ଭିତରେ ଆରମ୍ଭ ହୋଇଛି, ସେଥିରେ କେଉଁ ଦଳ ବିଜୟୀ ହେବ ତାହା ଭୋଟ ଫଳାଫଳରୁ ହିଁ ଜଣାପଡ଼ିବ।