କଂଗ୍ରେସର ନିର୍ବାଚନୀ ଇସ୍ତାହାର: ଚାକିରି ନ ମିଳିବା ଯାଏ ମାସିକ ୩୦୦୦ ଟଙ୍କାର ବେକାରୀ ଭତ୍ତା

ରାଜ୍ୟ କଂଗ୍ରେସ ପକ୍ଷରୁ ଆଜି ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ ଦଳ ଦରିଦ୍ର, ଚାଷୀ, ଯୁବକ, ମହିଳା ଓ ଆଦିବାସୀଙ୍କୁ ଗୁରୁତ୍ୱ ଦେଇଛି। ନିର୍ବାଚନୀ ଇସ୍ତାହାର ଅନୁଯାୟୀ, ଦଳ ରାଜ୍ୟରେ ସରକାର ଗଢ଼ିଲେ ଗରିବଙ୍କୁ ୬ ହଜାର ଟଙ୍କାର ଆୟର ଗ୍ୟାରେଣ୍ଟି ଦେବ। ଏହି ୬ ହଜାର ଟଙ୍କା ଘରର ମହିଳା ସଦସ୍ୟଙ୍କ ଆକାଉଣ୍ଟରେ ରହିବ। ଦଳ ପ୍ରତିଶ୍ରୁତି ଦେଇଛି, ପ୍ରତି ପରିବାରର ଯୁବକଙ୍କୁ ସରକାରୀ କିମ୍ବା ବେସରକାରୀ ଚାକିରି ଯୋଗାଇ ଦେବାର ବ୍ୟବସ୍ଥା କରାଯିବ। ଚାକିରି ନ ମିଳିବା ଯାଏ ଯୁବକମାନଙ୍କୁ ମାସିକ ୩ ହଜାର ଟଙ୍କାର ବେକାରୀ ଭତ୍ତା ପ୍ରଦାନ କରାଯିବ।

ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକ, ଇସ୍ତାହାର କମିଟିର ଅଧ୍ୟକ୍ଷ ଗଣେଶ୍ୱର ବେହେରା ପ୍ରଭୃତି ନେତୃବୃନ୍ଦ ଇସ୍ତାହାର ପୁସ୍ତିକା ଉନ୍ମୋଚନ କରିଥିଲେ। ଗରିବ, ଚାଷୀ, ମହିଳା, ଆଦିବାସୀ ଓ ଯୁବକମାନେ ଉପକୃତ ହେବା ଉପରେ ଇସ୍ତାହାରରେ ଗୁରୁତ୍ୱ ଦିଆଯାଇଥିବା କଥା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଚାଷୀମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ଯାଏଁ ଋଣ ଛାଡ଼ କରାଯିବ। ପୂର୍ବରୁ ଋଣ କରି କେତେକ କିସ୍ତି ଶୁଝି ସାରିଥିବା ଚାଷୀଙ୍କୁ ସେହି ଅର୍ଥ ପୁଣି ଫେରସ୍ତ ଦିଆଯିବ। ଅନ୍ୟାନ୍ୟ ଚାଷ ପାଇଁ ୩ ବର୍ଷ ଯାଏଁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିବ। ମହିଳା ଚାଷୀଙ୍କୁ ମାଗଣାରେ ସମସ୍ତ କୃଷି ଉପକରଣ ଯୋଗାଇ ଦିଆଯିବ। ଧାନ କିଣିବା ଲାଗି ସହାୟକ ରାଶି କୁଇଣ୍ଟାଲ୍‌ ପିଛା ୨୬୦୦ ଟଙ୍କା କରାଯିବ। ସ୍ୱାମୀ ନାରାୟଣ କମିଟି କରିଥିବା ଅନୁମୋଦନକୁ ଗ୍ରହଣ କରାଯିବ।

ଦ୍ୱାଦଶ ଯାଏଁ ମହିଳାମାନଙ୍କୁ ମାଗଣା ଶିକ୍ଷା। ମହିଳାମାନଙ୍କ ବୈଷୟିକ ଶିକ୍ଷା ପାଇଁ ସରକାରୀ କଲେଜରେ ମାଗଣା ଶିକ୍ଷାଦାନ। ବାହାଘର ସମୟରେ ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ। ମହିଳାମାନଙ୍କ ନାମରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରି ନିଆଯିବ।

ବାର୍ଦ୍ଧକ୍ୟ ପେନ୍‌ସନ୍‌ ୧୫୦୦ ଟଙ୍କା ଦିଆଯିବ। ବିଧବା ଓ ଅସହାୟ ପେନ୍‌ସନ୍‌ ରାଶି ୨୦୦୦ ଟଙ୍କା କରାଯିବ। ୭୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ମଧ୍ୟ ୨୦୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳିବ। ସମସ୍ତ ପ୍ରାଥମିକ ଓ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ସବୁ ପ୍ରକର ନିଦାନ, ଅସ୍ତ୍ରୋପଚାର ଆଦି ମାଗଣାରେ କରାଯିବ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜୁ ବିଜେପିନେତାଙ୍କଠାରୁ ହାରିଗଲେ ଧର୍ମେନ୍ଦ୍ର

ବିଜେପିର ସ୍ଲୋଗାନ ‘ପାର୍ଟି ଉଇଥ ଏ ଡିଫରେନ୍ସ’ ଛଳନା

ମୋଦୀ ହାୱା ଭରସାରେ ଜୁଏଲ

Leave a Reply

Your email address will not be published.