ସ୍ୱତନ୍ତ୍ର କୃଷିନୀତି ଏକ ନାମ ବଦଳ ଚିରାଚରିତ ଘୋଷଣା: କଂଗ୍ରେସ
ଭୁବନେଶ୍ୱର, (ଓଟି): ସ୍ୱତନ୍ତ୍ର କୃଷିନୀତି ହେଉଛି ରାଜ୍ୟର କୃଷକ ସମାଜକୁ ଭୁଆଁ ବୁଲାଇବା ଲାଗି ଏକ ପ୍ରୟାସ ତଥା ନିଜ ବିଫଳତାକୁ ଲୁଚାଇବାର ଅଭିପ୍ରାୟ । ବିଗତ ୨୦ ବର୍ଷ ହେଲା ରାଜ୍ୟରେ କୃଷି ଓ କୃଷକଙ୍କୁ ରାଜ୍ୟ ସରକାର ଯେଉଁଭଳି ଭାବେ ପ୍ରତାରିତ କରିଚାଲିଛନ୍ତି ତାହାର ଫଳସ୍ୱରୂପ ଆମର ଦିନକୁ ଦିନ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତା ବଢ଼ି ଚାଲିଛି । ମାଛଡାରୁ ଆଳୁ ପିଆଜ ଯାଏ ଆମେ ଅନ୍ୟ ଉପରେ ନିର୍ଭରଶୀଳ ରାଜ୍ୟ ଭାବେ ପରିଗଣିତ ହେଉଛୁ ବୋଲି କଂଗ୍ରେସ ଅଭିଯୋଗ କରିଛି । ଏପରିକି କ୍ୟାବିନେଟ୍ରେ ମଞ୍ଜୁର ହୋଇଥିବା ନୂତନ କୃଷିନୀତି ୨୦୨୦କୁ ଏହି କ୍ରମରେ ଏକ ଧୂଆଁବାଣ ବୋଲି କଂଗ୍ରେସ କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ୧୯୯୬ ଏପ୍ରିଲ ୧୬ ତାରିଖ ଦିନ ତତ୍କାଳୀନ କଂଗ୍ରେସ ସରକାର ସମୟରେ ଚାଷୀଙ୍କୁ ସମ୍ମାନ ଓ କୃଷିକୁ ଶିଳ୍ପର ମାନ୍ୟତା ଦିଆଯାଇ କୃଷିକୁ ଲାଭଦାୟକ, କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା, ଚାଷ କ୍ଷେତ୍ରରେ ଯୁବ ଗୋଷ୍ଠୀଙ୍କୁ ଆକୃଷ୍ଟ କରି ବ୍ୟାପକ ଆତ୍ମନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ନିଆଯାଇଥିଲା । ପରବର୍ତ୍ତୀ ସରକାରଙ୍କ ସମୟରେ ୨୦୦୮ ଓ ୨୦୧୩ରେ କୃଷିନୀତିରେ ଯେଉଁ କେତୋଟି ସଂଶୋଧନ ଅଣାଯାଇଛି ଏଥିରେ ଚାଷ ଓ ଚାଷୀ ବଂଚିବା ପାଇଁ ସେପରି ଏକ ସଶକ୍ତ ନୀତି ପ୍ରଣୟନ କରାଯାଇ ନାହିଁ ।
ବିଜେଡ଼ି ସରକାରର ନାମ ବଦଳ ଚିରାଚରିତ ଘୋଷଣା ଭଳି ନୂଆ କୃଷିନୀତି ଆଉ ଏକ ଯୋଜନା ବୋଲି ସେ କହିଛନ୍ତି । ଯାହା ଫଳରେ ବର୍ତମାନ ସମଗ୍ର ରାଜ୍ୟରେ ୬୧ଲକ୍ଷ ହେକ୍ଟର ଚାଷ ଜମିରୁ ୧୫ ଲକ୍ଷ ହେକ୍ଟରରୁ ଅଧିକ ଚାଷ ଜମି ପଡ଼ିଆ । ଚାଷ ପ୍ରତି ଚାଷୀକୁଳ ବିଶେଷ କରି ଯୁବ ଗୋଷ୍ଠୀ ଚାଷ କ୍ଷେତ୍ରରୁ ନିବୃତ ହେଉଛନ୍ତି । ଏତଦ୍ଭିନ୍ନ ପ୍ରତିବର୍ଷ ରାଜ୍ୟରୁ ୩୦ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ଚାଷ ଛାଡ଼ି ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ସଂପ୍ରତି ଚାଷ କ୍ଷେତ୍ରରେ ଅନିୟମିତ ଜଳବାୟୁର ପରିବର୍ତନ, କୃଷି ଉପାôଦ ପାଇଁ ଆବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି, କୃଷି ଶ୍ରମିକ ଅଭାବ, ଚାଷ ପାଇଁ ଜଳସେଚନ ଓ ବିଦ୍ୟୁତ ସେବା ପାଇବା କ୍ଷେତ୍ରରେ ଅହେତୁକ ଅସୁବିଧା ଓ ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତିଗ୍ରସ୍ତ ଚାଷୀ ଆବଶ୍ୟକ କ୍ଷତିପୂରଣ ପାଇବାରୁ ବଂଚିତ ହେଉଛନ୍ତି । ବିହନ ଉତ୍ପାଦନରେ ଆଜି ପର୍ଯ୍ୟନ୍ତ ରାଜ୍ୟ ସ୍ୱାବଲମ୍ବୀ ହୋଇ ପାରି ନାହିଁ । ଧାନକୁ ଛାଡ଼ିଦେଲେ ମାଛଠାରୁ ଆରମ୍ଭ କରି ଆଳୁ, ପିଆଜ ଉପରେ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡ଼ୁଛି । ଆଳୁ ମିଶନ୍, ପିଆଜ ମିଶନ୍ ଫେଲ୍ ମାରିଛି । ପୂର୍ବ ପ୍ରତିଷ୍ଠିତ ତେଲ କଳ, ସୂତା କଳ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପାନୁଷ୍ଠାନଗୁଡ଼ିକ ଅଚଳ ହୋଇ ପଡ଼ି ରହିଛି । ଧାନ ମଣ୍ଡିର ଦୂରାବସ୍ଥାଠାରୁ କୃଷିଜାତ ଦ୍ରବ୍ୟର ସୁବିପଣନ ଓ ସଂରକ୍ଷଣ ପାଇଁ ଆଜି ପର୍ଯ୍ୟନ୍ତ ଆବଶ୍ୟକ ଶୀତଳଭଣ୍ଡାର ପ୍ରତିଷ୍ଠା କରାଯାଇ ନାହିଁ । ବାରମ୍ବାର ରାଜ୍ୟରେ ଚାଷୀ ଆତ୍ମହତ୍ୟା କ୍ରମାଗତ ଭାବେ ବଢ଼ି ଚାଲିଥିବା ବେଳେ ସରକାର ଏ ଦିଗରେ କୌଣସିଏକ ସ୍ଥାୟୀ ସମାଧାନ କରିନାହାନ୍ତି କିମ୍ବା ରାଜ୍ୟ କୃଷକ କମିଶନ୍ ରିପୋର୍ଟକୁ ଅନୁଶୀଳନ କରି ନାହାନ୍ତି । ଫଳରେ ସାରା ରାଜ୍ୟରେ କୃଷି କ୍ଷେତ୍ର ସବୁଠାରୁ ବିପର୍ଯ୍ୟସ୍ତ ଏବଂ ଚାଷୀ ସବୁଠାରୁ କ୍ଷତିଗ୍ରସ୍ତ ।
ଏହି ପରିସ୍ଥିତିରେ ସରକାର ପ୍ରଚଳିତ କୃଷିନୀତିର ନାମ ବଦଳାଇ ସମୃଦ୍ଧି କୃଷିନୀତି-୨୦୨୦ ଘୋଷଣା କରିବା ଚାଷୀଙ୍କ ପାଇଁ କଟା ଘାରେ ଚୂନ ସଦୃଶ ବୋଲି କଂଗ୍ରେସ କୃଷକ ସେଲ୍ ପକ୍ଷରୁ କୁହାଯାଇଛି । ରାଜ୍ୟ ଅର୍ଥନୀତିର ମୁଖ୍ୟ ଚାବିକାଠି କୃଷି । ଯେଉଁଭଳି ଭାବରେ କୃଷି ଓ କୃଷକଙ୍କୁ ଏହି ସରକାର ଦୀର୍ଘ ୨୦ ବର୍ଷ ଧରି ଉପେକ୍ଷା କରି ଚାଲିଛନ୍ତି, ଚାଷୀ ସାମାଜିକ ସୁରକ୍ଷା କ୍ଷେତ୍ରରେ ବେସାହାରା । ଫଳରେ ଘରୋଇ ଉତ୍ପାଦାନରେ କୃଷି କ୍ଷେତ୍ର ଅଧିକ ବିପର୍ଯ୍ୟସ୍ତ ହେବ । ତେଣୁ ରାଜ୍ୟ ସରକାର ପୁନଶ୍ଚ ଘୋଷିତ ସମୃଦ୍ଧି କୃଷିନୀତିକୁ ସଶକ୍ତ କରିବାକୁ ହେଲେ ପ୍ରଥମେ ଚାଷ କ୍ଷେତ୍ରକୁ ଶତ ପ୍ରତିଶତ ଜଳସେଚନ, ବଜାର ବ୍ୟବସ୍ଥା, ଚାଷୀଙ୍କୁ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ, ମାସିକ ଚାଷୀ ଭତ୍ତା ଓ ସାମାଜିକ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇ ରାଜ୍ୟର ସମସ୍ତ ଅଭିଜ୍ଞ କୃଷି ବୈଜ୍ଞାନିକ, ବିଭାଗୀୟ ବିଶାରଦ ଅଧିକାରୀ, କୃଷକ ସଂଗଠନ ପ୍ରତିନିଧି, ଚାଷ ସହିତ ପ୍ରତ୍ୟକ୍ଷ କ୍ଷେତ୍ରରେ ଜଡ଼ିତ କୃଷକମାନଙ୍କୁ ନେଇ ଏକ ଚୁଡ଼ାନ୍ତ ସଂଶୋଧିତ ଶ୍ରୀ ସମୃଦ୍ଧି କୃଷିନୀତି ପ୍ରଣୟନ କରିବା ପାଇଁ କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବି କରିଛନ୍ତି ।