ପିପିଲି ଗଣ ଦୁଷ୍କର୍ମ ମାମଲାର କମିଶନ ରିପୋର୍ଟ ସାର୍ବଜନୀନ କରାଯାଉ: କଂଗ୍ରେସ
ଭୁବନେଶ୍ୱର ,(ଓଟି): ଆଜି ପ୍ରଦେଶ କଂଗ୍ରେସ ତରଫରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ପିପିଲି ଗଣଦୁଷ୍କର୍ମ ମାମଲାରେ ସିଧା ସଳଖ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିବା ସହିତ ମୁଖ୍ୟମନ୍ତ୍ରୀ ଏବଂ ଗୃହ ବିଭାଗ ଦାୟିତ୍ୱରୁ ଇସ୍ତଫା ଦେବା ପାଇଁ କହିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରୀପଦରୁ ହଟାଇ ଦେଇଛନ୍ତି। ଯାହାକି ପୀଡିତାର ନ୍ୟାୟ ପାଇଁ ଯଥେଷ୍ଟ ନୁହେଁ।
ମତ ପରିବର୍ତ୍ତନ କରିଥିବା ଦୁଇ ବ୍ୟକ୍ତି ଧରଣୀଧର ସାହୁ ଏବଂ ଯୁଧିଷ୍ଠିର ସ୍ୱାଇଁ ବର୍ତ୍ତମାନସୁଦ୍ଧା ନିଜର ପଦବୀ ଆତ୍ମାର ଅଧ୍ୟକ୍ଷ ଏବଂ ପିପିଲି ବ୍ଲକ ଉପାଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇ ନାହାନ୍ତି। ତେଣୁ କଂଗ୍ରେସ ଦଳ ତୁରନ୍ତ ସେମାନଙ୍କର ଇସ୍ତଫା ଦାବି କରିଛି। ପିପିଲି ମାମଲାରେ ଗଠିତ ହୋଇଥିବା ଜଷ୍ଟିସ୍ ପି.କେ. ମହାନ୍ତି କମିଶନ ୨୦୧୬ ମସିହାରୁ ଏହାର ତଦନ୍ତ ରିପୋର୍ଟ ଦେଇସାରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ସାର୍ବଜନୀନ କରାଯାଇନାହିଁ। ତେଣୁ ତୁରନ୍ତ ଏହାକୁ ସର୍ବସାଧାରଣରେ ପ୍ରକାଶ କରାଯାଉ।
ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ମୁଖପାତ୍ର ନିଶିକାନ୍ତ ମିଶ୍ର ସିଧା ସଳଖ ଭାବରେ ଗୃହ ବିଭାଗକୁ ଦାୟୀ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ ଏବଂ କହିଥିଲେ ପିପିଲି ଜୁଡିସିଆଲ କମିଶନଙ୍କ ନିକଟରେ ଗୃହ ସଚିବ ସତ୍ୟପାଠ ଦାଖଲ କରି କହିଥିଲେ ଯେ ତତ୍କାଳୀନ ଥାନା ଅଧିକାରୀ ଅମୂଲ୍ୟ ଚମ୍ପତିରାୟଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁ ସମଗ୍ର ରାଜ୍ୟରେ ପୋଲିସର ଭାବମୂର୍ତ୍ତି ସାଧାରଣ ଲୋକଙ୍କ ସାମ୍ନାରେ କ୍ଷୂର୍ଣ୍ଣ ହୋଇଥିଲା। ତେଣୁ ତାଙ୍କୁ ନିଲମ୍ୱନ ପରବର୍ତ୍ତୀ ସମୟରେ ବହିଷ୍କାର କରାଯାଇଥିଲା।
ଏଠି ପ୍ରଶ୍ନ ଆସୁଛି ପିପିଲି ଘଟଣାକୁ ତଦନ୍ତ କରୁଥିବା କ୍ରାଇମ୍ବ୍ରାଞ୍ଚ ଅଧିକାରୀ ତାଙ୍କ କର୍ତ୍ତବ୍ୟ ଏବଂ ତଦନ୍ତରେ ଅବହେଳା ଯୋଗୁଁ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେଲା। ତେଣୁ ତାଙ୍କ ବିରୁଦ୍ଧରେ କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ନହେବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିବା ସହିତ ପିପିଲି ଗଣଦୁଷ୍କର୍ମ ମାମଲାର ପୁନଃ ତଦନ୍ତ ଜଣେ କାର୍ଯ୍ୟରତ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯିବା ପାଇଁ ଦାବି କରିଥିଲେ।