ସମ୍ବିତ ପାତ୍ରଙ୍କ ଜଗନ୍ନାଥଙ୍କ ମୂର୍ତ୍ତି ଧରି ପ୍ରଚାରକୁ କଂଗ୍ରେସର ବିରୋଧ
ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରି ନିର୍ବାଚନ ପ୍ରଚାରକୁ କଂଗ୍ରେସ ବିରୋଧ କରିଛି। ଏ ନେଇ କଂଗ୍ରେସ ପୁରୀ ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୋଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ଆଣିଛି। ନିର୍ବାଚନ ପ୍ରଚାର ବେଳେ ସମ୍ବିତ ପାତ୍ର ଭଗବାନ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରି ପ୍ରଚାର କରିଥିଲେ। ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ସୋମବାର ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକ ଠାରୁ ଏକ ଶୋଭାଯାତ୍ରାରେ ପିପିଲି, ସାକ୍ଷୀଗୋପାଳ ଦେଇ ପୁରୀରେ ପହଞ୍ଚି ଥିଲେ। ଶତାଧିକ ସମର୍ଥକଙ୍କ ସହିତ ଶ୍ରୀମନ୍ଦିର ଦର୍ଶନ କରି ଫେରିଯାଇଥିଲେ।

ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସର ଏକ ପାଞ୍ଚଜଣିଆ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଡଃ ପାତ୍ରଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି। କଂଗ୍ରେସ ଅଭିଯୋଗ କରିଛି ଯେ, ଗତକାଲି ଏକ ନିର୍ବାଚନ ରାଲିରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ବିଗ୍ରହକୁ ହାତରେ ଧରି ନିର୍ବାଚନ ରାଲି କରିଛନ୍ତି। ଯାହାକି ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲଙ୍ଘନ।
ପୂର୍ବରୁ ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ନିର୍ବାଚନରେ କୌଣସି ରାଜନୈତିକ ଦଳର ପ୍ରାର୍ଥୀ ଠାକୁରଙ୍କ ମୂର୍ତ୍ତି କିମ୍ବା ଫଟୋ ଧରି ପ୍ରଚାର କରିପାରିବେ ନାହିଁ ବୋଲି ପ୍ରତିବନ୍ଧକ ଲଗାଇଛନ୍ତି । କିନ୍ତୁ ଏହାକୁ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଖୋଲାଖୋଲି ଉଲଂଘନ କରିଛନ୍ତି ।
ସେହିଭଳି ନିକଟରେ ଭୋପାଳରେ ମଧ୍ୟ ଏଭଳି ଭାବେ ରାମଙ୍କ ଫଟୋ ଧରି ପ୍ରଚାର କରିଥିବାରୁ ସମ୍ବିତ ପାତ୍ରଙ୍କ ନାଁରେ ୱାରେଣ୍ଟ ଆସିଛି ତେଣୁ ତୁରନ୍ତ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି କଂଗ୍ରେସ ବୋଲି କହିଛନ୍ତି ମୁଖପାତ୍ର ନିଶିକାନ୍ତ ପାତ୍ର ।