କଂଗ୍ରେସର ପ୍ରାର୍ଥୀ ଚୟନ: ଆଶାୟୀ ଅଧିକ ଆଶା କମ୍‌

ଭୁବନେଶ୍ଵର, (ଓଟି): ବିଧାନସଭା ଓ ଲୋକସଭା ନିର୍ବାଚନରେ କିଏ ପ୍ରାର୍ଥୀ ହେବେ ସେ ନେଇ ଶକ୍ତି ପରୀକ୍ଷଣରେ ଲାଗି ପଡ଼ିଛନ୍ତି ରାଜ୍ୟ କଂଗ୍ରେସର ସ୍କ୍ରିନିଂ କମିଟି। ଏହିକ୍ରମରେ ଗୁରୁବାରଦିନ ପୁରୀ ଓ ଜଗତସିଂହପୁର ଲୋକସଭା ମଣ୍ଡଳୀ ଏବଂ ଏଥି ଅନ୍ତର୍ଗତ ୧୪ଟି ନିର୍ବାଚନ ମଣ୍ଡଳୀ ପାଇଁ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଛି। ନିଷ୍କର୍ଷ ଯାହା ବାହାରିଛି ତାହା ହେଲା ପୁଳା ପୁଳା ନାଁ। ଏଥିରେ ବିଜୟ ଆଶା କିନ୍ତୁ ଅନେକ କ୍ଷୀଣ ରହିଛି। ଏଣୁ ଏ ଦାବିଦାରଙ୍କ ଭିତରୁ କାହାକୁ ଦଳ ମୁହଁ କରିବ ସେ ନେଇ ସ୍ଥିର ହୋଇପାରି ନାହିଁ। ଉଚିତ ସମୟରେ ନାଁ ପ୍ରକାଶ କରାଯିବ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।

ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ

ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ପାଇଁ ପୁଣିଥରେ ଆଶା କରିଛନ୍ତି ପୂର୍ବତନ ପ୍ରାର୍ଥୀ ତଥା ପ୍ରଫେସନାଲ୍‌ କଂଗ୍ରେସର ରାଜ୍ୟ ସଭାପତି, କଂଗ୍ରେସ କୋର କମିଟି ସଦସ୍ୟ ସୁଚରିତା ମହାନ୍ତି। ଗଲା ନିର୍ବାଚନରେ ସେ ଲୋକଙ୍‌କ ଆସ୍ଥା ଜିତିପାରି ନଥିଲେ। ସେ ସମୁଦାୟ ମତଦାନର ମାତ୍ର ୨୫ ପ୍ରତିଶତ ଭୋଟ୍‌ ପାଇପାରିଥିଲେ। ତାଙ୍କଠୁ ପାଖାପାଖି ଦୁଇଗୁଣା ଭୋଟ୍‌ ପାଇଥିଲେ ପିନାକୀ ମିଶ୍ର, ଯିଏ ବିଜେଡିର ପ୍ରାର୍ଥୀ ହୋଇଥିଲେ। ଏ ଦୁହିଁଙ୍କ ଭିତରେ ଭୋଟ୍‌ ବ୍ୟବଧାନ ପାଖାପାଖି ୨.୫ ଲକ୍ଷ ଥିଲା। କଂଗ୍ରେସର ସେମିତି କିଛି ଆଖି ଦୃଶିଆ କାର୍ଯ୍ୟ ହୋଇନାହିଁ ଯାହାଦ୍ଵାରା ସୁଚରିତା ପୁଣିଥରେ କଂଗ୍ରେସକୁ ସେଠାରେ ଆସନ ଗ୍ରହଣ କରିବାରେ ସହାୟକ ହେବେ। ଏଣୁ ଏଠାରେ ଯଦି ବିଜୟ ଆଶା ଦେଖାଯିବ ତେବେ ଆଶଙ୍କା ବେଶୀ ରହିଛି ପରାଜୟର ଜିତିବାର ନୁହେଁ। ତଥାପି କଂଗ୍ରେସର ବରିଷ୍ଠ ନେତା ଭାବେ ତାଙ୍କୁ ହିଁ ଦଳ ପ୍ରସ୍ତୁତ କରିପାରେ। ପୁଣଇ ସେ ମହିଳା ହୋଇଥିବାରୁ ଦଳ ଆଶା କରିପାରେ ତାଙ୍କୁ ଦେଖାଇ କିଛି ମହିଳାଙ୍କ ଭୋଟ୍‌ ଅକ୍ତିଆର କରିବ। କିନ୍ତୁ ବିଜେଡିର ଏସ୍‌ଏଚ୍‌ଜି ସଂଗଠନ ବଳ ଆଗରେ କଂଗ୍ରେସ ନାରୀଶକ୍ତି କେତେ ପ୍ରଭାବଶାଳୀ ହେବ ତାହା କହିବା ମୁସ୍କିଲ୍‌। ଆହୁରି ମଧ୍ୟ କୁହାଯାଇପାରେ ଯେ, ପୁରୀରେ ୧୯୮୯ ପରେ କଂଗ୍ରେସ କ୍ଷୀଣ ହୋଇରହିଛି। ଏଠାରେ ଶେଷଥର ପାଇଁ କଂଗ୍ରେସରୁ ପିନାକୀ ମିଶ୍ର ୧୯୯୬ରେ ଜିତି ଥିଲେ। ଏହାପରେ କଂଗ୍ରେସରୁ ତାଙ୍କୁ ପରାଜୟ ମିଳିଥିଲା ଆଉ ସେ ବିଜେଡିରେ ଯୋଗ ଦେଇଥିଲେ।

ସୁଚରିତାଙ୍କ ପ୍ରାର୍ଥୀତ୍ଵ ଏକପ୍ରକାର ନିଶ୍ଚିତ ଯଦିଓ ତାଙ୍କ ବିପକ୍ଷରେ ନିଜକୁ ଭଲ ପ୍ରାର୍ଥୀ ଭାବେ ପ୍ରତିଷ୍ଠା କରିବାକୁ ଚାହିଁଛନ୍ତି ଅମୀୟ ପଟ୍ଟନାୟକ। ଏ ବାବଦରେ କଂଗ୍ରେସ ସ୍କ୍ରିନିଂ କମିଟି ଚିନ୍ତା କରୁଛନ୍ତି। କିନ୍ତୁ ସେଥିରେ ସେ ପାସ୍‌ କରିବେ ବୋଲି କୁହାଯାଇ ନପାରେ।

ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ

ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ହେଉଛି ଅନୁସୂଚିତ ବର୍ଗଙ୍କ ପାଇଁ ସଂରକ୍ଷିତ ଆସନ। ଏହି ନିର୍ବାଚନମଣ୍ଡଳୀରେ ପ୍ରଥମ ଦାବିଦାର ହେଉଛନ୍ତି ପୂର୍ବତନ ସାଂସଦ ତଥା ସିପିଆଇରୁ କଂଗ୍ରେସ ଆସିଥିବେ ବିଭୁ ପ୍ରସାଦ ତରାଇ। ସେ ଗତ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କଠାରୁ ହାରିଥିଲେ। ସାଂଦ ଭାବେ ନିର୍ବଚେିତ ହୋଇଥିବା କୁଳମଣି ସାମଲଙ୍କଠାରୁ ସେ ୫୦ ପ୍ରତିଶତ ଭୋଟ୍‌ କମ୍‌ ପାଇଥିଲେ। ଏଥର ତାଙ୍କ ସହ ପ୍ରଶାନ୍ତ ମଲ୍ଲିକ ଓ ଦେବୀ ପ୍ରସନ୍ନ ମଲ୍ଲିକ। କିନ୍ତୁ ଦଳ ବିଭୁଙ୍କ ଉପରେ ପୁଣିଥରେ ଆସ୍ଥା ଜାହିର କରିପାରେ।

ଏବେ ବିଧାନସଭା ନିର୍ବାଚନ ମଣ୍ଡଳୀ କଥା।

ପୁରୀ ବିଧାନସଭା ଆସନ ପାଇଁ ଦାବିଦାର ରହିଛନ୍ତି ଦଇତା ସେବକ ବିନାୟକ ଦାସ ମହାପାତ୍ର, ଅମର ପ୍ରସାଦ ମିଶ୍ର ଏବଂ ବିଶ୍ଵଜିତ ମହାନ୍ତି। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଦାବିଦାର ଅଛନ୍ତି ଉମାକାନ୍ତ ବରାଳ, ବାନାମ୍ବର ବାରିକ ଏବଂ ସେକ୍‌ ସଫିକ୍‌ଉଦ୍ଦିନ୍‌।

ପିପିଲି ନିର୍ବାଚନ ମଣ୍‌ଡଳୀରୁ ଏଥର ଯୁଧୀଷ୍ଠିର ସାମନ୍ତରାୟଙ୍କୁ ଛୁଟି ମିଳିପାରେ। ତାଙ୍କ ସ୍ଥାନରେ ବିକଳ୍ପ ହୋଇଛନ୍ତି ନିଶିକାନ୍ତ ମିଶ୍ର ଓ ଅଜିତ ମଙ୍ଗରାଜ। ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସତ୍ୟବ୍ରତ ନାୟକ ଏବଂ ମିଲି ପଣ୍ଡାଙ୍କ ନାଁ ଆସିଛି। ଚିଲିକାରୁ ପ୍ରାର୍ଥୀ ହେବାକୁ ଆଶା କରିଛନ୍ତି ପ୍ରଦୀପ ସ୍ଵାଇଁ ଏବଂ ମାନସୀ ପ୍ରଧାନ।

ନୟାଗଡ଼ରେ ଦଳ ଏଥର ସିପିଆଇ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ନିରବ ରହିପାରେ। ଏଣୁ ଏ ନେଇ କୌଣସି ପ୍ରାର୍ଥୀପତ୍ର ଯାଞ୍ଚ କରାଯାଇ ନାହିଁ।

ଜଗତସିଂହପୁର ସଂସଦୀୟ ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ୭ଟିଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତରୁ କେବଳ ଜଗତସିଂହପୁରରେ ନିର୍ବିବାଦୀୟ ପ୍ରାର୍ଥୀ ହେଉଛନ୍ତି ବିଧାୟକ ଚିରଞ୍ଜିବୀ ବିଶ୍ଵାଳ। ଏହାଙ୍କ ଛଡ଼ା ଅନ୍ୟ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଦୁଇରୁ ଅଧିକ ପସନ୍ଦ ସାମ୍ନାକୁ ଆସିଛି।

ବାଲିକୁଦାରୁ ଡ. ଲଲାଟେନ୍ଦୁ ମହାପାତ୍ର, ସାରଦା ଜେନା, ସୁଶାନ୍ତ କାନୁନଗୋ, ଶିବବ୍ରତ ଦାଶଙ୍କ ଆବେଦନ ଆସିଛି। ତିତ୍ତୋଲ ସଂରକ୍ଷିତ ଆସନ ପାଇଁ ଆବେଦନ ଆସିଛି ରାଜକିଶୋର ବେହେରା, ପ୍ରତିମା ମଲ୍ଲିକ ଏବଂ ଦେବପ୍ରସାଦ ମଲ୍ଲିକଙ୍କର। ପାରାଦୀପପାଇଁ ଆଗରେ ରହିଛନ୍ତି ବାପି ସର୍ଖେଲ, ପ୍ରମୋଦ ଜେନା, ସିତିକଣ୍ଠ ମହାନ୍ତି ନିମାପଡ଼ାରୁ ସତ୍ୟବ୍ରତ ପାଢ଼ୀ, କାକଟପୁରରୁ ବିଶ୍ଵଭୂଷଣ ଦାଶ, ରବିସେଠୀ, ନିଆଳିରୁ ପ୍ରଶାନ୍ତ ମଲ୍ଲିକ ଓ ମମତା ଭୋଇଙ୍କ ନାଁ ସାମିଲ୍‌ ଅଛି।

Leave a Reply

Your email address will not be published. Required fields are marked *