୧୯୯୦ର ରେକର୍ଡ଼ ଭାଙ୍ଗିଲା କଂଗ୍ରେସ
୧୯୯୦ର ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୁ ହାୱା ସହିତ କଂଗ୍ରେସର ଶାସନ ବିରୋଧି ଲହର ଯୋଗୁଁ ବିଧାନସଭାରେ କଂଗ୍ରେସର ସଭ୍ୟ ସଂଖ୍ୟା ୧୦କୁ ଖସି ଆସିଥିଲା। ଜନତା ଦଳକୁ ୧୨୩ ଆସନ ମିଳିଥିଲା, ଯାହା ଆଜି ପର୍ଯ୍ୟନ୍ତ ଏକ ରେକର୍ଡ଼ ହୋଇ ରହିଛି। ଫଳରେ କଂଗ୍ରେସ ବିରୋଧୀ ଦଳର ମର୍ଯ୍ୟାଦା ମଧ୍ୟ ପାଇ ନଥିଲା। ସେ ସମୟରେ ଓଡ଼ିଶାରେ ବିଜେପିର ସ୍ଥିତି ଥିଲା ନିତାନ୍ତ ନଗଣ୍ୟ। ସେତେବେଳେ ମାତ୍ର ଦୁଇଜଣ ବିଜେପି ଟିକଟରେ ନିର୍ବାଚିତ ହୋଇଥିଲେ।

ଲଗାତରଭାବେ ୫ଟି ନିର୍ବାଚନରେ କେବଳ ପରାଜୟ
୧୯୯୫ରେ ପୁଣି କ୍ଷମତାକୁ ଫେରିଥିଲା କଂଗ୍ରେସ। ଏହାପରେ ଲଗାତରଭାବେ ୫ଟି ନିର୍ବାଚନରେ କେବଳ ପରାଜିତ ହୋଇଚାଲିଛି। ୨୦୧୯ରେ କଂଗ୍ରେସ ୧୯୯୦ର ରେକର୍ଡ଼କୁ ମଧ୍ୟ ଭାଙ୍ଗିଛି। ପ୍ରଥମ ଥର ସକାଶେ ଓଡ଼ିଶା ରାଜନୈତିକ ଇତିହାସରେ କଂଗ୍ରେସ ବିଧାନସଭାରେ ଦୁଇଅଙ୍କ ଛୁଇଁ ପାରିନାହିଁ। ବିଧାୟକଙ୍କ ସଂଖ୍ୟା ଅଟକିଗଲା ୯ରେ।
ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହରାଇଲା କଂଗ୍ରେସ
ଚଳିତ ଥର ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହରାଇଲା କଂଗ୍ରେସ। ଗତ ୫ବର୍ଷ ଧରି କ୍ଷମତା ହାସଲର ସ୍ୱପ୍ନ ଦେଖୁଥିବା ବିଜେପି ଏହି ମର୍ଯ୍ୟାଦାର ହକଦାର ହୋଇଛି। ବିଜେପି ଲୋକସଭାରେ ୮ଟି ଆସନ ଜିଣିଥିବା ବେଳେ ବିଧାନସଭାରେ ୨୩ଟି ଆସନ ଜିଣିଛି। ସୁତରାଂ ଏହି ଦଳକୁ ବିରୋଧୀ ଦଳର ମାନ୍ୟତା ମିଳିବ।
ଅସ୍ତିତ୍ୱକୁ ନେଇ ପ୍ରଶ୍ନବାଚୀ

ଲଗାତାର ୫ଟି ନିର୍ବାଚନ ହାରିବା ପରେ ଏବେ କଂଗ୍ରେସ ଦଳର ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠିଛି। ବିପର୍ଯ୍ୟୟ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଇସ୍ତଫା ଦେଇଛନ୍ତି। ଦୁଇ ଦିନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ଶରତ ରାଉତ ଏକ ପ୍ରଣିଧାନଯୋଗ୍ୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ପିସିସି ସଭାପତି ବଦଳିବା ସମସ୍ୟାର ନିରାକରଣ ନୁହେଁ। ନିର୍ବାଚିତ ବିଧାୟକ ସୁରେଶ ରାଉତରାୟ ନିରଞ୍ଜନଙ୍କ ଇସ୍ତଫାପତ୍ର ଅଗ୍ରାହ୍ୟ କରିବାକୁ ଦଳର ଅଧ୍ୟକ୍ଷଙ୍କଠାରେ ଦାବି କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେଥିରୁ ନିଜେ ହାରଥିବାରୁ ସେ ନିରଞ୍ଜନଙ୍କ ଇସ୍ତଫା ଗ୍ରହଣ କରିବେ କି ନାହିଁ, ତାହା ପୃଥକ ପ୍ରଶ୍ନ।
ପ୍ରତ୍ୟାବର୍ତ୍ତନର ସବୁ ବାଟ ବନ୍ଦ
କିନ୍ତୁ ଭାରତୀୟ ଜନତା ପାର୍ଟିର ଉତ୍ତରଣ ପାଇଁ ବିରାଟ ସୁଯୋଗ କରିଦେବା ପରେ ଓଡ଼ିଶାରେ କଂଗ୍ରେସ ପାଇଁ ପ୍ରତ୍ୟାବର୍ତ୍ତନର ସବୁ ବାଟ ବନ୍ଦ ହୋଇ ଯାଇଛି ବୋଲି ରାନୀତିକ ମହଲରେ ଆଲୋଚନା ହେଉଛି। ନିରଞ୍ଜନଙ୍କୁ ପିସିସି ଦାୟିତ୍ୱ ମିଳିବା ପରେ ଆଶା କରାଯାଉଥିଲା, ଗତ ଚାରି ନିର୍ବାଚନରେ ଯେଉଁ ଦୋଷ ଦୁର୍ବଳତା ଫୁଟି ଉଠିଥିଲା, ତାହା ଏଥର ଦେଖିବାକୁ ମିଳିବ ନାହିଁ। ଅଧିକ ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରିବ କଂଗ୍ରେସ।
ନିରଞ୍ଜନଙ୍କ ନିଯୁକ୍ତି ଅବଶ୍ୟ କର୍ମୀ ଓ ନେତାଙ୍କ ମହଲରେ ନୂତନ ବିଶ୍ୱାସ ସୃଷ୍ଟି କରିଥିଲା। ପ୍ରାରମ୍ଭରେ ଏହାର ସଂକେତ ମଧ୍ୟ ଦେଖିବାକୁ ମିଳିଲା। କିନ୍ତୁ ହୁଗୁଳି ଯାଇଥିବା ସଂଗଠନ ନିରଞ୍ଜନଙ୍କର ହାଇଟେକ କୌଶଳକୁ ଲୋକଙ୍କ ପାଖକୁ ନେଇପାରିଲା ନାହିଁ। ହାଇକମାଣ୍ଡ ମଧ୍ୟ ଦିଗହରା ହୋଇସାରିଥିଲେ। ଫଳରେ ଚାରିଆଡେ଼ ବାକି ଥିବା ସଂଗଠନ ଭୁଶୁଡ଼ି ଗଲା। ନିଜେ ନିରଞ୍ଜନ ଦୁଇଟି ଆସନରୁ ବିରାଟ ଭୋଟ ବ୍ୟବଧାନରେ ପରାଜିତ
ହେଲେ।
ଭୋଟ ହାର ହ୍ରାସ
ଗତ ନିର୍ବାଚନରେ କଂଗ୍ରେସର ଭୋଟ ହାର ଥିଲା ୨୬%। ଆସନ ଥିଲା ୧୬। ମାତ୍ର ଚଳିତ ନିର୍ବାଚନରେ ଏହା ଖସି ଆସିଛି ୧୬ ପ୍ରତିଶତକୁ। ଲୋକସଭା ଫଳାଫଳକୁ ଦେଖିଲେ କଂଗ୍ରେସର ଭୋଟ ହାର ୧୪ ପ୍ରତିଶତରୁ ବି କମ । ଅର୍ଥାତ ୫ବର୍ଷ ଭିତରେ ଏହି ଦଳ ୧୦ ପ୍ରତିଶତରୁ ଅଧିକ ଜନାଧାର ହରାଇଛି।
କିନ୍ତୁ ସେ ତୁଳନାରେ ବିଜୁ ଜନତା ଦଳ ତା’ର ଭୋଟ ଆଧାରକୁ ବଜାୟ ରଖିପାରିଛି। ବିଜେଡି ଗତ ନିର୍ବାଚନରେ ୪୪ ପ୍ରତିଶତ ଏବଂ ଏଥର ୪୪.୭ ପ୍ରତିଶତ ଭୋଟ ପାଇଛି। ଲୋକସଭାରେ ବିଜେଡିର ୨ ପ୍ରତିଶତ ଭୋଟ କମିଛି।
କଂଗ୍ରେସ ଭୋଟ ବିକ୍ରି ଯୋଗ୍ୟ
ଅପରପକ୍ଷରେ ବିଜେପି ୨୦୧୪ରେ ୧୮ ପ୍ରତିଶତ ଭୋଟ ପାଇଥିଲା। ମାତ୍ର ଏଥର ତାହା ୩୨.୫ ପ୍ରତିଶତ ଟପିଛି। ଲୋକସଭାରେ ଆହୁରି ୬ ପ୍ରତିଶତ ଭୋଟ ମିଳିଛି ବିଜେପିକୁ। ଏହା ହେଉଛି ମୋଦୀ ହାୱାର ଫଳ। ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭୋଟ ବିଜେପି ଆଡ଼କୁ ଯିବା କାରଣରୁ ବିରାଟ ସଫଳତା ମିଳିଥିଲା ଏହି ଦଳକୁ। କିନ୍ତୁ ବିଜେପୁର ଉପନିର୍ବାଚନ ଜଣାଇ ଦେଲା ଯେ, କଂଗ୍ରେସ ଭୋଟକୁ ଆରାମରେ କିଣା ଯାଇପାରେ।
ବିଧାନସଭା ନିର୍ବାଚନରେ ଏହି ଫର୍ମୁଲାକୁ ଅତି ସୁନ୍ଦର ଭାବେ ଉପଯୋଗ କରିଛି ବିଜୁ ଜନତା ଦଳ। ମୂଳ ବିଜେଡି ଭୋଟ କମିବା ସତ୍ତ୍ୱ୍ୱେ କଂଗ୍ରେସ ଭୋଟ ବିଜେଡି ସପକ୍ଷରେ ଯିବା କାରଣରୁ ଗତଥର ଓ ଚଳିତ ଥର ଭୋଟ ହାର ସମାନ ରହିଛି। ଯେଉଁମାନେ ତଟସ୍ଥ ଭୋଟରମାନଙ୍କ ଭୋଟ ଯାଇଛି ବିଜେପି ଆଡ଼କୁ। ଏହା ହେଲା ମୋଟାମୋଟି ତଥ୍ୟଗତ ଚିତ୍ର। କିନ୍ତୁ ଏହାର ସୁଦୂର ପ୍ରସାରୀ ପ୍ରଭାବ ରହିବ ଓଡ଼ିଶା ରାଜନୀତିରେ।
କ୍ରମାଗତ ଭାବେ କଂଗ୍ରେସ ଭୋଟ ହାର ହରାଇ ଆସୁଛି। ବିଧାନସଭାରେ ଆସନ ସଂଖ୍ୟା ନିୟମିତ ଭାବେ କମୁଛି। ଯେହେତୁ ସଂଗଠନ ଦୁର୍ବଳରୁ ଦୁର୍ବଳତର ହୋଇସାରିଲାଣି, ଜାତୀୟ ରାଜନୀତିରେ କଂଗ୍ରେସ ଗୁରୁତ୍ୱ ହରାଇ ବସିଛି, ସେଦୃଷ୍ଟିରୁ ଓଡ଼ିଶାରେ ଆଉ କଂଗ୍ରେସ ସକାଶେ ସବୁ ବାଟ ବନ୍ଦ ହେବାକୁ ଯାଉଛି।
ଓଡ଼ିଶାରେ ତୃତୀୟ ଦଳର ସମ୍ଭାବନା ନାହିଁ
ଆରମ୍ଭରୁ ଦେଖାଯାଇଛି ଯେ, ଓଡ଼ିଶାରେ ତୃତୀୟ ଦଳର ସମ୍ଭାବନା ନାହିଁ। ତେଣୁ ଅନେକ ସମୟରେ ବିଭିନ୍ନ ଦଳ ମେଣ୍ଟ କରି ଗୋଟିଏ ଗୋଷ୍ଠୀ ଭାବେ ଅଧିକ ଆସନ ପାଇଛନ୍ତି। କିନ୍ତୁ ମେଣ୍ଟ ରାଜନୀତି ତା’ର ଗୁରୁତ୍ୱ ହରାଇ ସାରିଛି ଓଡ଼ିଶାରେ। ଯେଉଁସବୁ ରାଜ୍ୟରେ ଏକାଧିକ ଦଳ ମଇଦାନରେ ଅଛନ୍ତି, ସେସବୁ ରାଜ୍ୟରେ ଯଦି କଂଗ୍ରେସ ୩ରୁ ଅଧିକ ଥର କ୍ଷମତା ବାହାରେ ରହିଛି, ଆଉ ସେସବୁ ରାଜ୍ୟରେ କ୍ଷମତାକୁ ଫେରି ନାହିଁ। ଏହାର ବଡ଼ ଉଦାହରଣ ତାମିଲନାଡ଼ୁ, ୟୁପି ଓ ବିହାର। ସୁତରାଂ ୨୦୨୪ ପାଇଁ କଂଗ୍ରେସ ତା’ର ପ୍ଲଟ ହରାଇ ଦେଇଛି।
ଶେଷ ସମୟ ପର୍ଯ୍ୟନ୍ତ ଟିକଟ ବଣ୍ଟନ
୨୦୧୯ ନିର୍ବାଚନ ରାଜ୍ୟ କଂଗ୍ରେସ ପାଇଁ ସୁଯୋଗ ଦେଇଥିଲା। ଯଦିଓ ଏହି ଦଳ ସରକାରକୁ ଫେରିବାର କୌଣସି ସମ୍ଭାବନା ନଥିଲା, ତେବେ ନୂଆ ଚେହେରାକୁ ସାମ୍ନାକୁ ଆଣି ୨୦୨୪ ନିର୍ବାଚନ ସକାଶେ ନିଅଁ ପକାଇବା ପାଇଁ ସୁଯୋଗ ଥିଲା। କିନ୍ତୁ ପୂର୍ବ ନିର୍ବାଚନ ପରି ଏଥର ମଧ୍ୟ ଟିକଟ ବିକ୍ରି ଅଭିଯୋଗ ଉଠିଲା। ୬ମାସ ପୂର୍ବେ ପ୍ରାର୍ଥୀ ଚୂଡ଼ାନ୍ତ ହେବ ବୋଲି କହି ଆସୁଥିବା ଦଳ ପ୍ରାର୍ଥିପତ୍ର ଦାଖଲ ଶେଷ ହେବାର ୬ ଘଣ୍ଟା ପୂର୍ବରୁ ଟିକଟ ଦେବା ଭଳି ବିଚିତ୍ର ଘଟଣା ଘଟିଲା। ଅନେକ ସ୍ଥାନରେ ପ୍ରାର୍ଥୀ ଦେବା ପାଇଁ ସକ୍ଷମ ମଧ୍ୟ ହୋଇପାରି ନଥିଲା ଶେଷ ପର୍ଯ୍ୟନ୍ତ। କଂଗ୍ରେସ ଟିକଟ ପାଇଁ ଅନେକ ଆଗ୍ରହୀ ନଥିଲେ। ଏପରି ଅବସ୍ଥାରେ କର୍ମୀମାନେ ନିଜ ରକ୍ଷଣ ପାଇଁ ଯେକୌଣସି ଆଡ଼କୁ ଢଳିଗଲେ ସହଜରେ।
ଭୋଟରଙ୍କୁ ଆକୃଷ୍ଟ କରିବାରେ ରାହୁଲ-ନିରଞ୍ଜନ ବିଫଳ

ରାହୁଲ ଭୋଟରଙ୍କୁ ଆକୃଷ୍ଟ କରିପାରି ନାହାନ୍ତି। ନିରଞ୍ଜନ ତାଙ୍କ ନେତୃତ୍ୱରେ ବିଫଳ ହୋଇଛନ୍ତି। ସଂଗଠନ ଧୂଳିସାତ ହୋଇଛି। ବିଧାନସଭାରେ ଏହି ଦଳର ସ୍ୱର ଆଉ ଶୁଭିବା ସମ୍ଭାବନା କ୍ଷୀଣ। ୨୦୨୪ରେ ଦଳ ପ୍ରତ୍ୟାବର୍ତ୍ତନ କରିବ କାହାକୁ ନେଇ? ପ୍ରତିଥରର ପରାଜୟ ପରେ ସଭାପତି ବଦଳୁଛନ୍ତି। କିନ୍ତୁ କଂଗ୍ରେସ ନେତାଙ୍କ ଚରିତ୍ର ବଦଳିବାର କୌଣସି ଲକ୍ଷଣ ଦିଶୁ ନାହିଁ। ସୁତରାଂ ଭବିଷ୍ୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେବା ସକାଶେ ଯେଉଁ ସୁନ୍ଦର ଅବସର କଂଗ୍ରେସ ଥିଲା ୨୦୧୯ରେ, ତାହାକୁ ସମସ୍ତେ ମିଳିମିଶି ହାତଛଡ଼ା କରିଦେଇଛନ୍ତି। ଆଉ ଏହି ସୁଯୋଗ ହାତକୁ ଆସିବ ବୋଲି ମନେହେଉ ନାହିଁ।