୧୨ଲକ୍ଷ ପରିବାର ଭୋଟର ତାଲିକାରୁ ବାଦ : କଂଗ୍ରେସ
ନିର୍ବାଚନ ଆୟୋଗ ଜାନୁଆରୀ ମାସ ୨୦୧୯ ରେ ରାଜ୍ୟର ଯେଉଁ ଭୋଟର ତାଲିକା ପ୍ରକାଶ କରିଛନ୍ତି, ସେହି ଭୋଟର ତାଲିକାରେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥ୍ର ଏକ ବଡ ଅଂଶର ଭୋଟରମାନଙ୍କର ନାମ ସେ ତାଲିକାରୁ ବାଦ୍ ଦିଆଯାଇଛି। ଓଡିଶାର ୧୨ ଲକ୍ଷ ପରିବାରର ଏହି ସଂଶୋଧିତ ଭୋଟର ତାଲିକାରେ ନାମ ପ୍ରକାଶ ପାଇନାହିଁ, ଯଦିବା ସେମାନେ ଯୋଗ୍ୟ ଭୋଟର। ତେଣୁ ନିର୍ବାଚନ ଆୟୋଗ କାହା ପ୍ରରୋଚନାରେ ଏଭଳି ଏକ ସମ୍ୱିଧାନ ବିରୋଧୀ, ଭୋଟରମାନଙ୍କର ଭୋଟ ଦେବା କ୍ଷମତାକୁ ଛଡାଇ ନେଲେ, ଏ ପ୍ରଶ୍ନ ଆଜି ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ନିର୍ବାଚନ ଆୟୋଗ ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀବୃନ୍ଦଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି।
ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସାଂସଦ ପ୍ରଦେଶ କଂଗ୍ରେସ ଉପସଭାପତି ଅନନ୍ତ ପ୍ରସାଦ ସେଠୀ ଏଭଳି ଏକ ସଙ୍ଗୀନ ଘଟଣାର ଉନ୍ମୋଚନ କରିବା ସହିତ କିଭଳି ଭାବରେ ରାଜ୍ୟର ଭୋଟରମାନଙ୍କୁ ଜାଣିଶୁଣି ସେମାନଙ୍କର ନାମ ସଂଶୋଧିତ ଭୋଟର ତାଲିକରୁ ବାଦ ଦିଆଯାଇଛି। ତାର ତଥ୍ୟ ପ୍ରଦାନ କରିଥିଲେ। ଏଭଳି ଏକ ସଂଗୀନ ଘଟଣା ନିର୍ବାଚନ କମିଶନ ଜାଣିସୁଣି କୌଣସୀ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ହାତବାରଶି ହୋଇ ରାଜନୈତିକ ଫାଇଦା ଦେବା ଉଦ୍ଦେଶ୍ୟରେ କରିଛନ୍ତି କି ବୋଲି ପ୍ରଶ୍ନ କରିଥିଲେ।
ପ୍ରଦେଶ କଂଗ୍ରେସ ମିଡ଼ିଆ ସେଲର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ରାଜ୍ୟର ୨୧ଟି ଜାକ ନିର୍ବାଚନ ମଣ୍ଡଳୀରେ ଏକ ପରିସଂଖନ ପ୍ରକାଶ କରିଛନ୍ତି ଯାହାକି ନିର୍ବାଚନ କମିଶନ ଏବଂ ରାଜ୍ୟ ସରକାରଙ୍କର କୌଣସି ବୁଝାମଣା ଭିତିରେ ଜାଣିସୁଣି ଏହି ଭୋଟରମାନଙ୍କ ନାମକୁ ତାଲିକାରୁ ବାଦ ଦିଆଯାଇଛି।

ପ୍ରଦେଶ କଂଗ୍ରେସ କମିଟି ତରଫରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଜଣାଇ ଦିଆଯାଉଛି ନିର୍ବାଚନ ପୂର୍ବରୁ ଭୋଟର ତାଲିକାରୁ ବାଦ ପଡ଼ିଥିବା ଏହି ପରିବାର ବର୍ଗର ଭୋଟରଙ୍କୁ ଯଥାଶୀଘ୍ର ଭୋଟର ତାଲିକାରେ ସାମିଲ୍ କରି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରନ୍ତୁ, ଯାହାକି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିବ। କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ହାତବାରିଶି ନ ସାଜି ନିଜର ସାମ୍ୱିଧାନିକ ଦାୟିତ୍ୱ ଏବଂ ପଦମର୍ଯ୍ୟଦାକୁ ବଜୟା ରଖିବା ପାଇଁ କଂଗ୍ରେସ ଦଳ ଚେତାବନୀ ଦେଇଛି।