ଦ୍ୱିତୀୟ ପର୍ଯ୍ୟାୟ ସରିବାକୁ ବସୁଛି ; କଂଗ୍ରେସର ଦିଲ୍ଲୀରୁ କେହି ଆସୁନାହାଁନ୍ତି
୧ମ ପର୍ଯ୍ୟାୟ ନିର୍ବାଚନ ୧୧ ତାରିଖରେ ସରିଲା। ୧୮ ତାରିଖରେ ହବାକୁ ଯାଉଛ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ୧୬ ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ। କହିବାକୁ ଗଲେ ହାତରେ ଆଉ ଦି’ଦିନ। ୧୬ ତାରିଖରେ ଆସୁଛନ୍ତି ମୋଦୀ। ଭୁବନେଶ୍ୱର ଓ ସମ୍ୱଲପୁରରେ କରିବେ ପ୍ରଚାର। ଏଣେ ନବୀନ ହାଇଟେକ ବସରେ ଉଠନ୍ତା ଚେୟାରରେ ବସି ପ୍ରଚାର କରୁଛନ୍ତି। ଲେଖା ଭାଷଣ ପଢନ୍ତୁ ପଛେ ପୂରା ଦମରେ ଶଙ୍ଖ ପାଇଁ ଲାଗିପଡିଛନ୍ତି। ମୁଖିଆ ଜାଣିଛନ୍ତି ତାଙ୍କ ନାଁରେ ଭୋଟ ଅଛି। ଆଉସବୁ ନେତାମାନଙ୍କୁ କେହି ପଚାରନ୍ତି ନାହିଁ। ଏଣେ ବିଜେପିରୁୁ ମୋଦୀଙ୍କୁ ଛାଡି କେନ୍ଦ୍ରରୁ ଅନ୍ୟ ନେତାମାନେ ମଧ୍ୟ ଧାଡ଼ି ଲଗାଇ ଆସୁଛନ୍ତି।
ହେଲେ କଂଗ୍ରେସରେ ସବୁ ଶୁଖାଶୁଖା। ଏପର୍ଯ୍ୟନ୍ତ ଦିଲ୍ଲୀରୁ ଜଣେ ବି ବଡ଼ ନେତା ଆସିଲେ ନାହିଁ। ରାହୁଲ କନ୍ଧମାଳକୁ ଆସିବାର ଥିଲା। କିନ୍ତୁ ଝଡ଼ ପବନ ଡର ଦେଖାଇ ତାଙ୍କୁ ନ ଆସିବା ଲାଗି କହିଲା କିଏ?
ଲାଗୁଚି ବିଜେଡିକୁ ଦଳକୁ ଫାଇଦା ଦବା ପାଇଁ ଏମିତି ଯୋଜନା ହୋଇଛି। ରାହୁଲ ଆସିଥିଲେ ଖ୍ରୀଷ୍ଟିଆନ ଭୋଟ ଏପଟ ସେପଟ ହେଇଯାଇଥାଆନ୍ତା। ଫଳରେ ବିଜେଡିକୁ ଅଡ଼ୁଆ ହେଇଥାଆନ୍ତା। ତଥାପି ସମସ୍ତେ ଆଶା କରୁଥିଲେ ଯେ, ଦିଲ୍ଲୀର ହେବିେୱଟ କଂଗ୍ରେସ ନେତା ନିଶ୍ଚୟ ଆସିବେ ଓ ମଉଳି ଯାଇଥିବା କର୍ମୀଙ୍କ ମୁହଁରେ ହସ ଫୁଟାଇବେ।
କିନ୍ତୁ ହବ କ’ଣ? କେହି ଆସୁ ନାହାଁନ୍ତି। ଖାଲି ନିରଞ୍ଜନ ଘୁରି ବୁଲୁଛନ୍ତି ଚାରିଆଡେ଼। ବହୁତ କ୍ଷତି ହେଇଗଲାଣି କଂଗ୍ରେସର। କର୍ମୀ ଓ ନେତାଙ୍କ ମନ ବୁଝାଇବା ଲାଗି ଏବେ ତ କେହି ଆସନ୍ତୁ ଦିଲ୍ଲୀରୁ।