ପ୍ରବାସୀ ଓଡ଼ିଆଙ୍କ ପାଇଁ ଅଭିଯୋଗ ପ୍ରକୋଷ୍ଠ
ଭୁବନେଶ୍ୱର(ଓଟି): କରୋନା ମହାମାରୀ ପାଇଁ ଦେଶ ଓ ରାଜ୍ୟ ବଡ଼ ସମସ୍ୟା ଦେଇ ଗତି କରୁଛନ୍ତି। କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଲକ୍ଡାଉନକୁ ଗୁରୁତ୍ଵ ଦେଇସାରିଛନ୍ତି। ତେବେ ଲକ୍ଡାଉନ ଯୋଗୁଁ ବହୁ ଓଡ଼ିଆ ବିଭିନ୍ନ ରାଜ୍ୟ ଓ ଦେଶରେ ଫସି ରହିଛନ୍ତି। ସେମାନଙ୍କ ସମସ୍ୟାକୁ ବିଚାର କରି ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଉଛନ୍ତି। ସେମାନଙ୍କ ପାଇଁ ଅଭିଯୋଗ ପ୍ରକୋଷ୍ଠ ହେବ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ ବାହାରେ ଫସିଥିବା ଓଡ଼ିଆଙ୍କ ପାଇଁ ଓଡ଼ିଶା ବିଧାନସଭାରେ ଅଭିଯୋଗ ପ୍ରକୋଷ୍ଠ ହେବ। ବୁଧବାରଠାରୁ ଏହି ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ବାହାରେ ଫସିଥିବା ନିଜ ଅଞ୍ଚଳର ଶ୍ରମିକଙ୍କ ସମ୍ପର୍କରେ ଲୋକ ପ୍ରତିନିଧିମାନେ ତଥ୍ୟ ଦେବେ। ଶ୍ରମିକଙ୍କ ନାମ, ଠିକଣା, ଫୋନ ନମ୍ବର ଆଦି ବିଷୟରେ ଜଣାଇବେ ବିଧାୟକ ଓ ସାଂସଦ। ଏହାପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ସମସ୍ତ ତଥ୍ୟ ଦିଆଯିବ ଏବଂ କେନ୍ଦ୍ର ସରକାରଙ୍କ ଆବଶ୍ୟକ ସହାୟତା ନିଆଯିବ। ବାଚସ୍ପତି ଓମ୍ ବିର୍ଲାଙ୍କ ସହ ଆଲୋଚନା ପରେ ରାଜ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।