ବିମାନଚଳାଚଳ ପାଇଁ ପ୍ରସ୍ତୁତି ଆରମ୍ଭ, ଯାଞ୍ଚ ହେଲା ସୁରକ୍ଷା ଓ କଟକଣା ବ୍ୟବସ୍ଥା
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବିମାନ ଚଳାଚଳକୁ ସ୍ଵଭାବିକ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ବେସାମରିକ ବିମାନ ମନ୍ତ୍ରଣାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମଟି ଗଠନ କରାଯାଇ ବିମାନବନ୍ଦର ଓ ପରିସ୍ଥିତିର ସମୀକ୍ଷା କରାଯାଇଛି। ଏହି କମିଟିେରେ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶକ, ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି ଅଫିସ, ବିମାନବନ୍ଦର ପ୍ରାଧୀକରଣ, ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦର, ଏବଂ ସିଆଇଏସ୍ଏଫ୍ ପ୍ରତିନିଧି ରହିଛନ୍ତି।
ମେ’ ୨ ତାରିଖରେ କରୋନା ସଂକ୍ରମଣ ଆଶଙ୍କାକୁ ଆଶଙ୍କା କରି ଘରୋଇ ବିମାନ ଚଳାଚଳ ଏବଂ ଆନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ଆଦେଶକୁ ମେ’ ୧୭ ତାରିଖ ଯାଏ ବୃଦ୍ଧି କରିଥିଲେ। ଏବେ ଲକ୍ଡଉନ୍ ସମୟ ଶେଷ ହେବାକୁ ଯାଉଥିବାରୁ ୧୭ ପରେ ବିମାନ ଚଳାଚଳ ଆରମ୍ଭ କରିବାକୁ ବିମାନ ମନ୍ତ୍ରଣାଳୟ ଏକ ପ୍ରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ମଙ୍ଗଳବାର ଠାରୁ ଦେଶରେ ରେଳ ଚଳାଚଳ ଆରମ୍ଭ ହେବାକୁ ଯାଉଥିବାବେଳେ ମଇ ୧୭ ପରେ ଦେଶରେ ଆଂଶିକ ବିମାନ ଚଳାଚଳ ଆରମ୍ଭ ହେବା ନେଇ ସୂଚନା ମିଳିଛି । ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟି ଓ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ)ର ସୂଚନା ଅନୁଯାୟୀ ଦେଶରେ ଆଂଶିକ ଭାବେ ବିମାନ ଚଳାଚଳ ଆରମ୍ଭ କରାଯିବ । ମଇ ୧୭ ତୃତୀୟ ପର୍ଯ୍ୟାୟ ଲକଡାଉନ ଅବଧି ଶେଷ ପରେ ଏହି ବିମାନ ଚଳାଚଳ କରିବାର ସମ୍ଭାବନା ରହିଛି । ସ୍ୱଳ୍ପ ଦୂରତା ମଧ୍ୟରେ ବିମାନ ଚଳାଚଳ କରିବ । ବିଶେଷକରି ୨ଘଣ୍ଟାରୁ କମ୍ ସମୟ ପାଇଁ ଉଡାଣ କରିବାକୁ ଥିବା ଦୂରତା ମଧ୍ୟରେ ଏହି ବିମାନ ଚଳାଚଳ କରିବ । ବିମାନ ମଧ୍ୟରେ କୌଣସି ପ୍ରକାର ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯିବ ନାହିଁ । ବିମାନ ଚଳାଚଳ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ପୂର୍ବରୁ ଡିଜିସିଏ ଓ ବିମାନ ସୁରକ୍ଷା ବ୍ୟୁରୋ କେତେକ ବିମାନବନ୍ଦରକୁ ପରିଦର୍ଶନ କରିଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୨୫ ପ୍ରତିଶତ ବିମାନ ଚଳାଚଳ କରିବ । ବିମାନ ଯାତ୍ରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ ବାଧ୍ୟତାମୂଳକ କରାଯାଇଛି । ରେଳଯାତ୍ରୀଙ୍କ କ୍ଷେତ୍ରରେ ଏହି ଆପ୍ ଡାଉନଲୋଡ କରିବା ଇଚ୍ଛାଧୀନ ରଖାଯାଇଛି । ଦିଲ୍ଲୀ, ବାଙ୍ଗାଲୋର ଓ ମୁମ୍ବାଇ ଭଳି ସହରରୁ ପ୍ରାଥମିକତା ଭିତ୍ତିରେ ବିମାନ ସେବା ଆରମ୍ଭ କରାଯିବ । ବିମାନ ଚଳାଚଳ ପାଇଁ ଏୟାରଲାଇନ୍ସ କମ୍ପାନୀଗୁଡିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଡିଜିସିଏ କହିଛି । କୋଭିଡ-୧୯ ପାଇଁ ଲକଡାଉନ ଘୋଷଣା ପରେ ମାର୍ଚ୍ଚ ୨୩ରୁ ଆନ୍ତର୍ଜାତିକ ଓ ମାର୍ଚ୍ଚ ୨୪ରୁ ଘରୋଇ (ଡୋମେଷ୍ଟିକ) ବିମାନ ଉଡାଣ ବନ୍ଦ ରହିଛି ।