କଲେକ୍ଟର-ଏସପି ରିପୋର୍ଟରେ ବଳିପଡ଼ିଲେ ବିଧାୟକ!
ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କୁ ପୁଣି ସେହି ସ୍ଥାନରୁ ଟିକଟ ଦେଲାବେଳେ ଦଳର ସଭାପତି ନବୀନ ପଟ୍ଟନାୟକ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହା ଖୁବଶୀଘ୍ର ବଦଳି ଗଲା କେମିତି? ଗୋଟିଏ ବିଧାନସଭା ଆସନରୁ ତାଙ୍କ ଦଳର ବିଧାୟକ ଜିଣିବା କଷ୍ଟକର ବୋଲି କେମିତି ଅନୁଭବ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ପୁଣି କେମିତି ତାଙ୍କର ହୃଦବୋଧ ହେଲା ଯେ ମହେଶ ଢେଙ୍କାନାଳ ଲୋକସଭା ଆସନ ପାଇଁ ଉପଯୁକ୍ତ ପ୍ରାର୍ଥୀ?
ଏଭଳି ନିଷ୍ପତ୍ତି ଦଳର ସଭାପତି ଭାବେ ନବୀନ ପଟ୍ଟନାୟକ ନିଜେ ନେଇଛନ୍ତି କି ବୋଲି ଚାରିଆଡ଼ୁ ପ୍ରଶ୍ନ ଉଠିଲାଣି। କିଏ ତାଙ୍କ ତରଫରୁ ଏଭଳି ନିଷ୍ପତ୍ତି ନେଇଛି? ଯେଉଁ ରିପୋର୍ଟ କଥା କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେଜଣ ବିଧାୟକଙ୍କୁ ଟିକଟରୁ ବଞ୍ଚିତ କରିଛନ୍ତି, ଏହି ରିପୋର୍ଟର ସୃଷ୍ଟିକର୍ତ୍ତା କିଏ?
୨୦୧୯ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ଚୟନ ଶତପ୍ରତିଶତ ପ୍ରମାଣିତ କରିଦେଲା ଯେ, କିଛି ବୁଝିବା ଅବସ୍ଥାରେ ନବୀନ ବାବୁ ନାହାନ୍ତି। ତାଙ୍କୁ ବିଜୟ ଲୋଡ଼ା। ତେଣୁ ହାରିବା ଓ ଜିତିବା ଭୟ ଦେଖାଇ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଯାହା ଚାହିଁଛନ୍ତି, ତାହାହିଁ କରିଛନ୍ତି। ଏହି ଗୋଷ୍ଠୀ ଯେଉଁମାନଙ୍କୁ ପସନ୍ଦ କରିନାହାନ୍ତି, ସେମାନଙ୍କର ଟିକଟ କଟିଛି ତଥାକଥିତ ରିପୋର୍ଟ ଆଧାରରେ।
କିଛିଦିନ ତଳେ ବରୀ ବିଧାୟକ ଦେବାଶିଷ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ସେତେବେଳେ ଟିକଟ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇ ନଥିଲା। ମୁଖ୍ୟମନ୍ତ୍ରୀ ରିପୋର୍ଟରେ କିଛି ଗଡ଼ବଡ଼ ଅଛି ବୋଲି କହିଥିଲେ। ଏହି ରିପୋର୍ଟ କିଏ ପ୍ରସ୍ତୁତ କରିଛି? ଯେଉଁମାନଙ୍କୁ ବିଜେଡି ଟିକଟ ଦେଇଛି, ସେମାନେ ସବୁ ଜିଣିଯିବେ ବୋଲି ଦୃଢ଼ତାର ସହ ମୁଖ୍ୟମନ୍ତ୍ରୀ କହିପାରିବେ କି?
ଏକ ବିରାଟ ଷଡ଼ଯନ୍ତ୍ର ବର୍ଷକ ତଳୁ ଆରମ୍ଭ ହୋଇଥିଲା। ଅତ୍ୟନ୍ତ ବିଶ୍ୱସନୀୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ସର୍ଭେ କରି ହାରଜିତର ରିପୋର୍ଟ ଦେବାକୁ କିଛି ସଂସ୍ଥାକୁ ବିଜେଡି ପକ୍ଷରୁ ନିୟୋଜିତ କରାଯାଇଥିଲା। ଏଥିପାଇଁ ବେଶ୍ ଟଙ୍କା ଖର୍ଚ୍ଚ କରିଥିଲା ଶାସକ ଦଳ। ମୁଖ୍ୟମନ୍ତ୍ରୀ ଏସବୁ ଧାର ଧାରନ୍ତି ନାହିଁ। କିନ୍ତୁ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ କାରଣରୁ ନବୀନ ପଟ୍ଟନାୟକ ଏକ ପ୍ରଭାବଶାଳୀ ଗୋଷ୍ଠୀକୁ ଆଖିବୁଜା ବିଶ୍ୱାସ କରିଥିଲେ।
ବିଜେପୁର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ନବୀନଙ୍କ ଭରସାକୁ ବହୁଗୁଣରେ ବଢ଼ାଇ ଦେଇଥିଲା। କିନ୍ତୁ କେଉଁ ସଂସ୍ଥା କି ପ୍ରକାର ରିପୋର୍ଟ ଦେଇଛି, ତାହାକୁ ତର୍ଜମା କରିବା ପାଇଁ ନିଜେ ପ୍ରସ୍ତୁତ ନଥିଲେ ନବୀନ। ସେଥିପାଇଁ ଏହି ଗୋଷ୍ଠୀ ଜିଲାପାଳ ଏବଂ ଏସପିମାନଙ୍କୁ ରିପୋର୍ଟ ପ୍ରସ୍ତୁତର ଗୁରୁ ଦାୟିତ୍ୱ ଦେଇଥିଲେ। ଅର୍ଥାତ ଚାବିକାଠି ଅନ୍ୟ କେଉଁଠି। ତାଙ୍କରି ଇସାରାରେ ଜିଲାପାଳ ଏବଂ ଏସପିମାନେ ବିଭିନ୍ନ ବିଜେଡି ସାଂସଦ ଏବଂ ବିଧାୟକଙ୍କ ସମ୍ପର୍କରେ ରିପୋର୍ଟ ଦେଲେ। ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇ ଦିଆଗଲା। ଅନ୍ଧ ଭଳି ନବୀନ ଏହାକୁ ବିଶ୍ୱାସ କଲେ। ସେଥିପାଇଁ ଆନୁଗତ୍ୟ କିମ୍ୱା ଲୋକପ୍ରିୟତାର ଆଉ କୌଣସି ଅର୍ଥ ରହିଲା ନାହିଁ।
ଏଠାରେ କିଛି ଉଦାହରଣ ଦିଆଯାଇ ପାରେ। ପଞ୍ଚାୟତ ନିର୍ବାଚନରେ ବରୀରେ ଖରାପ କରିଥିଲା ବିଜେଡି। କିନ୍ତୁ କୋରେଇରେ ଦଳର ପ୍ରଦର୍ଶନ ବେଶ ଉତ୍ସାହଜନକ ଥିଲା। କିନ୍ତୁ ବରୀ ବିଧାୟକ ବଦଳରେ ଅଳ୍ପଦିନ ତଳେ ଦଳକୁ ଆସିଥିବା ସୁନନ୍ଦା ଦାସ ଜିଣିଯିବେ ବୋଲି ରିପୋର୍ଟ ଦେଇଥିଲା କିଏ?
ଅଥଚ ବଡ଼ମ୍ୱା ନରସିଂହପୁରରେ ସବୁ ଜିଲା ପରିଷଦ ଆସନ ବିଜେପି ହାତକୁ ଯାଇଥିଲା। ଏହାପରେ ମନ୍ତ୍ରୀ ପଦରୁ ଯାଇଥିଲେ ଦେବୀ ମିଶ୍ର। ଅଥଚ ଦେବାଶିଷ କଟିଲେ କିନ୍ତୁ ଦେବୀ ଟିକଟ ପାଇଲେ। ଅଧିକନ୍ତୁ ଦେବୀଙ୍କ ନାମ ଚିଟଫଣ୍ଡ ଅଭିଯୁକ୍ତଙ୍କ ତାଲିକାରେ ଅଛି। ଦେବୀଙ୍କ ସମ୍ପର୍କରେ ଭଲ ରିପୋର୍ଟ ଦେଇଥିଲା କିଏ ଏବଂ କେଉଁ ଆଧାରରେ? ଏହି ରିପୋର୍ଟ କଟକ ଜିଲାପାଳ ଦେଇଥିବା କୁହାଯାଉଛି। ଯଦି ତାହା ସତ୍ୟ ହୋଇଥାଏ, ତେବେ ଏଭଳି ରିପୋର୍ଟ ପ୍ରସ୍ତୁତ ପୂର୍ବରୁ କି ପ୍ରକାର ସର୍ଭେ କରିଥିଲେ ଜିଲାପାଳ?
ଜିଲାପାଳ ହୁଅନ୍ତୁ କି ଏସପି, ଯାହାଙ୍କ ରିପୋର୍ଟ ଆଧାରରେ ନବୀନ ଟିକଟ ଚୂଡ଼ାନ୍ତ କରିଛନ୍ତି, ତେବେ ଏଥିରେ ଅଚାନକ ପରିବର୍ତ୍ତନର ହେତୁ କ’ଣ? ଗୋଟିଏ ଉଦାହରଣ ଦିଆଯାଇପାରେ। କାକଟପୁରରେ ସୁରେନ୍ଦ୍ର ସେଠୀଙ୍କ ନାମ ନିଜେ ସଭାପତି ଘୋଷଣା କରିଥିଲେ। ନିଶ୍ଚିତ ଭାବରେ ତାଙ୍କ ସମ୍ପର୍କରେ ଭଲ ରିପୋର୍ଟ ଆସିଥିବ। କିନ୍ତୁ ଘୋଷଣା ପରେ ବିଜେପି ପ୍ରାର୍ଥୀଙ୍କୁ ଆଣି ଟିକଟ ଦେବା ପଛର କାରଣ କ’ଣ ହୋଇପାରେ?
ଏଭଳି ଉଦାହରଣ ଅସଂଖ୍ୟ। ଦଳର ସଭାପତି ଭାବେ ନବୀନ ପଟ୍ଟନାୟକ ସବୁ ଜିଲା ପାଇଁ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କରିଥିଲେ। ଏପରି କି ନିର୍ବାଚନମଣ୍ଡଳୀ ପାଇଁ ମଧ୍ୟ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିଲେ। କିନ୍ତୁ ପ୍ରାର୍ଥୀ ଚୂଡ଼ାନ୍ତ ପୂର୍ବରୁ ଅନେକ ଜିଲା ପର୍ଯ୍ୟବେକ୍ଷକଙ୍କୁ ରିପୋର୍ଟ ମାଗି ନାହାନ୍ତି ସଭାପତି। ଏସମ୍ପର୍କରେ ଜିଲାୱାରୀ ଆଲୋଚନା ମଧ୍ୟ ହୋଇନାହିଁ। ଯେଉଁ କେତେଜଣ ଜିଲା ପର୍ଯ୍ୟବେକ୍ଷକ ରିପୋର୍ଟ ଦେଇଛନ୍ତି, ତାହା ଆଧାରରେ ମଧ୍ୟ ପ୍ରାର୍ଥୀ ଚୟନ କରାଯାଇ ନାହିଁ।
ଯେଉଁଭଳି ଚିଲିକା, ବୋଲଗଡ଼-ବେଗୁନିଆ, ଖୋର୍ଦ୍ଧା, ଜଟଣୀ ଏବଂ ମଧ୍ୟ ଭୁବନେଶ୍ୱର ପାଇଁ ବିଜୁ ଜନତା ଦଳ ପ୍ରାର୍ଥୀ ମନୋନୟନ କଲା, ତାହା ସ୍ପଷ୍ଟ କରିଦେଲା ଯେ, ଚୟନରେ କୌଣସି ମାପକାଠି ନାହିଁ। ପ୍ରଭାବଶାଳୀ ଗୋଷ୍ଠୀକୁ ଯାହା ଭଲ ଲାଗିଛି, ଯେଉଁମାନେ ଭଲ ଲାଗିଛନ୍ତି ତଦନୁସାରେ ପ୍ରାର୍ଥୀ ମନୋନୟନ ହୋଇଛି। ଯେଉଁମାନେ ନାଲିଆଖି ଦେଖାଇ ପାରିଛନ୍ତି, ଲୋକପ୍ରିୟତା ତଳକୁ ଗଲେ ମଧ୍ୟ ସେମାନଙ୍କୁ ଟିକଟ ମିଳିଛି।
ଆଉ ଯେଉଁମାନେ ଏହି ଗୋଷ୍ଠୀ ପାଖରେ ଆଣ୍ଠୁ ମାଡ଼ି ଆତ୍ମସମର୍ପଣ କରିଛନ୍ତି, ସେମାନଙ୍କୁ ମଧ୍ୟ ଟିକଟ ମିଳିଛି। ନବୀନ ବାବୁ ଅଛନ୍ତି ସମ୍ପୂର୍ଣ୍ଣ ଅନ୍ଧାରରେ। ତଥାକଥିତ ପ୍ରାୟୋଜିତ ରିପୋର୍ଟ ଦେଖାଇ ଯେଉଁମାନଙ୍କୁ କାଟିବା ପାଇଁ ବର୍ଷକ ତଳୁ ନିଷ୍ପତ୍ତି ନେଇଥିଲେ ଏହି ଗୋଷ୍ଠୀ, ସେମାନଙ୍କୁ କାଟି ଦିଆଯାଇଛି।
ଆଉ ଏକ ଛୋଟ ଉଦାହରଣ ଦିଆଯାଇପାରେ। କୋରେଇ ବିଧାୟକ ଥିଲେ ଆକାଶ ଦାସନାୟକ। ପଞ୍ଚାୟତ ନିର୍ବାଚନରେ ଭଲ କରିଥିଲା ବିଜେଡି ତାଙ୍କ ନିର୍ବାଚନମଣ୍ଡଳୀରେ। କିନ୍ତୁ ପରିବହନ ସଂସ୍ଥା ସହ ଜଡ଼ିତ ଅଶୋକ ବଳଙ୍କୁ ଟିକଟ ମିଳିଲା। କାରଣ ସେ ଯାଜପୁର ବିଧାୟକ ବବି ଦାସ ଏବଂ ଧର୍ମଶାଳା ବିଧାୟକ ଜିତୁ ବଳବନ୍ତରାୟଙ୍କ ଘନିଷ୍ଠ। ଆଗରୁ କଂଗ୍ରେସରେ ଟିକଟ ବିକ୍ରିର ଅଭିଯୋଗ ଉଠୁଥିଲା। ଏଥର କିନ୍ତୁ ବିଜୁ ଜନତା ଦଳରେ ଟିକଟ ଦେବାନେବାରେ ବିରାଟବଡ଼ ସ୍କାମ ହୋଇଛି ବୋଲି ଯେଉଁ ଅଭିଯୋଗ ଉଠୁଛି, ଆଜି ନହେଲେ କାଲି ଏହା ଏକ ବିଲ୍ଫୋରକ ମୋଡ଼ ନେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରୁନାହିଁ।