ହାଡ଼ଭଙ୍ଗା ଶୀତ: ୧୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ଵର, (ଓଟି): ରାଜ୍ୟରେ ଶୀତ ଲହଡ଼ି ପ୍ରବାହ ଓ ପ୍ରବଳ ଶୀତ ପଅକୋପକୁ ଆଖିରେ ରଖି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି। ୧୮ ଜିଲ୍ଲାକୁ ସତର୍କ ରହିବା ଲାଗି କୁହାଯାଇଛି। ଏହିକ୍ରମରେ ବୃଦ୍ଧ, ବୃଦ୍ଧା, ରୋଗୀ ଓ ପିଲାମାନଙ୍କୁ ବାହାରେ ନବୁଲିବା, ଶୀତ ବସ୍ତ୍ର ପରିଧାନ ଏବଂ ଦେହର ତାପମାତ୍ରାକୁ ସ୍ଥିର ରଖିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ହେବ। 

ସର୍ତକତା ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୁଳ, ମୟୁରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କଟକ, ଖୋରଧା, ପୁରୀ, ନୟାଗଡ, ବୌଦ, ସୋନପୁର ଓ ବଲାଙ୍ଗିର । ତେବେ ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଦେବଗଡ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ଥଣ୍ଡା ଅନୁଭୂତ ହେବ ।

ସେହିଭଳି କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗିର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ଦେଖାଯିବ ବୋଲି ପାଣିପାଗ ବିଭାଗ କହିଛି । ଆସନ୍ତା ୨୯ ଓ ୩୦ ତାରିଖରେ ମଧ୍ୟ ଆଭ୍ୟନ୍ତରୀଣ ଉତ୍ତର ଓଡିଶାର କେତେକ ସ୍ଥାନ, ବାଲେଶ୍ୱର, କଟକ, ସୋନପୁର, ବୌଦ ଓ ବଲାଙ୍ଗିର ଜିଲ୍ଲାରେ ଶୀତଲହରୀ ପାଇଁ ଅରେଞ୍ଜ ସତର୍କତା ଜାରି ହୋଇଛି । ଜାନୁୟାରୀ ୩୧ ତାରିଖ ପାଇଁ ମଧ୍ୟ ଅନୁଗୁଳ, ବୌଦ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ସୋନପୁର ଓ ବଲାଙ୍ଗିର ଜିଲ୍ଲାପାଇଁ ଅନୁରୂପ ସତର୍କତା ଜାରି କରାଯାଇଛି ।

ତେବେ ଜାନୁୟାରୀ ୨ ଓ ୩ ତାରିଖରେ ଆଭ୍ୟନ୍ତରୀଣ ଉତ୍ତରଓଡିଶାର କେତେକ ସ୍ଥାନ ସମତେ ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ନୂଆପଡା ଏବଂ ବରଗଡ ଜିଲ୍ଲାରେ ବର୍ଷ ସମ୍ଭାବନା ଥିବା କୁହାଯାଇଛି । ଅବଶିଷ୍ଟ ଜିଲ୍ଲାର ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ଆଗାମୀ ଦୁଇ ତିନି ଦିନ ମଧ୍ୟରେ ରାତ୍ରୀର ତାପମାତ୍ରା ସାମାନ୍ୟ ଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସହିତ ଏହାପରେ ଧିରେ ଧିରେ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଦକ୍ଷିଣ ଓଡିଶାର କେତେକ ଜିଲ୍ଲାରେ କୁହୁଡି ପରିଲକ୍ଷିତ ହେବ । ତାପମାତ୍ରା ହିସାବ ଅନୁଯାୟୀ ଗୋପାଳପୁରର ତାପମାତ୍ରା ସର୍ବାଧିକ ୨୭.୫ ଡିଗ୍ରୀ ଥିବାବେଳେ ସୋନପୁରରେ ସର୍ବନିମ୍ନ ୪ଡିଗ୍ରୀ ରେକର୍ଡ ହୋଇଛି ।

ରାଜ୍ୟରେ ପ୍ରବଳ ଶୀତ ଲହରୀକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ବ୍ଲକ, ତହସିଲ ଓ ଗ୍ରାମପଞ୍ଚାୟତ ଗୁଡିକୁ ସତର୍କ କରିବାକୁ କୁହାଯାଇଛି । ସେହିଭଳି ଅସହାୟ ଲୋକମାନଙ୍କୁ ଥଣ୍ଡା ଦାଉରୁ ରକ୍ଷା କରିବାପାଇଁ ରାତି ସମୟରେ ସ୍କୁଲ ଓ ସରକାରୀ କୋଠା ଗୁଡିକୁ ଖୋଲା ରଖିବା ସହିତ ସେଗୁଡିକୁ ରାତ୍ରୀକାଳୀନ ଆଶ୍ରୟସ୍ଥଳ ଭାବେ ବ୍ୟବହାର ଲାଗି କୁହାଯାଇଛି ।  

Leave a Reply

Your email address will not be published. Required fields are marked *