ଶୁକ୍ରବାର ଯାଏଁ ଶୀତ ଥରହର
ଭୁବନେଶ୍ୱର(ଓଟି): ହଟିଯାଇଛି ଅଦିନିଆ ବର୍ଷା। ପ୍ରାୟତଃ ଆକାଶ ମେଘମୁକ୍ତ ରହିଛି ସାରା ରାଜ୍ୟରେ। ତେବେ କେଉଁଠି କେମିତି ଘନକୁହୁଡ଼ି ଲାଗି ରାତିରୁ ସକାଳ ପର୍ଯ୍ୟନ୍ତ ଯାତାୟାତରେ ବାଧା ଉପୁଜୁଛି। କିନ୍ତୁ ବର୍ଷା ପରବର୍ତ୍ତୀ ଶୀତର ପ୍ରକୋପ ବଢ଼ିଯାଇଛି। ତାପମାତ୍ରା ଆହୁରି ଖସିଯାଇଛି। ଫଳରେ ରାଜ୍ୟରେ ପ୍ରବଳ ଶୀତ ଲହରି ଖେଳୁଛି। ଏଭଳି ସ୍ଥିତି ଆହୁରି ୪୮ ଘଣ୍ଟା ଅର୍ଥାତ୍ ଶୁକ୍ରବାର ଯାଏଁ ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୀତ ଥରହର ଲାଗି ରହିବ ବୋଲି କୁହାଯାଇଛି। ଏଥିସହ ଏନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଥିବା ଜଣାପଡ଼ିଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅଧିକାରୀ ସୁଧାକର ମଲ୍ଲିକଙ୍କ କହିବା ଅନୁସାରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଅସହ୍ୟ ଶୀତ ଲାଗି ରହିବ। ଏପରିକି କେତକେ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ହୋଇପାରେ। ଆସନ୍ତା ୨୪ ଘଣ୍ଟା ପାଇଁ ୪ଟି ଜିଲ୍ଲାରେ କୋଲ୍ଡ ୱେଭ କଣ୍ଡିସନ ଆଲର୍ଟ ଜାରି କରାଯାଇଛି। ବାଲେଶ୍ୱର, ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଥିବା ସେ ପ୍ରକାଶ କରିଛନ୍ତି। ତେବେ ଧୀରେ ଧୀରେ ଶୀତର ପ୍ରକୋପ କମିବା ସହ ତାପମାତ୍ରା ବୃଦ୍ଧି ପାଇବ ବୋଲି ସେ ଅନୁମାନ ବ୍ୟକ୍ତ କରିଛନ୍ତି।











