ମେଣ୍ଟ ରାଜନୀତି : ନାୟକ ଏକ; ସେନାପତି ଅନେକ
ଲୋକସଭା ନିର୍ବାଚନର ବିଗୁଲ ବାଜି ସାରିଛି। ଲଢ଼େଇ ମୈଦାନ ଓ ତାରିଖ ଏବେ ପ୍ରସ୍ତୁତ। ବିଜେପି ନେତୃତ୍ୱାଧିନ ଏନଡ଼ିଏକୁ ଟକ୍କର ଦେବା ପାଇଁ ତଥାକଥିତ ମହାମେଣ୍ଟ ଦାବି କରିବାରେ ଲାଗିଲାଣି। କିନ୍ତୁ ପ୍ରକୃତ ପକ୍ଷେ ଯାହାକୁ ମହାମେଣ୍ଟ କୁହାଯାଉଛି ତାହା କେବଳ ମେଣ୍ଟରେ ଏବେ ସୀମିତ ରହିଛି। କାରଣ ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳ ଏସପି-ବିଏସପି ମହାମେଣ୍ଟରେ ସାମିଲ ହୋଇନଥିବାରୁ ଏହାକୁ ରାଜନୈତିକ ମହଲରେ ସେତେଟା ଗୁରୁତ୍ୱ ମିଳୁନାହିଁ। କୌଣସି ମେଣ୍ଟରୁ ସମାନ ଦୂରତାରେ ଥିବା ଓଡ଼ିଶାର ଶାସକ ବିଜେଡ଼ି, ଆନ୍ଧ୍ର ପ୍ରଦେଶର ୱାଇଏସଆର କଂଗ୍ରେସ, ତେଲେଙ୍ଗାନାର ଟିଆରଏସକୁ କେହି ଅଣଦେଖା କରି ପାରିବେ ନାହିଁ। ଯଦି ୫୪୩ ଷଳାକସଭା ଆସନ ମଧ୍ୟରୁ ୧୨୫ କିମ୍ୱା ୧୫୦ଟି ଆସନରେ ତ୍ରିକୋଣୀୟ ବା ବହୁ କୋଣୀୟ ମୁକାବିଲା ହେଉଛି ତେବେ ଏହି ମହାସଂଗ୍ରମକୁ କ’ଣ ସମ୍ମୁଖ ଲଢ଼େଇ ବୋଲି ବିବେଚନା କରାଯିବ। କିନ୍ତୁ ଚଳିତ ନିର୍ବାଚନର ଲଢ଼େଇ ସବୁଠାରୁ ଭୀଷଣ ହେବା ସହିତ ରୋଚକ ବି ହେବ। ରାଜନୈତିକ ଦଳଗୁଡ଼ିକର ଚିନ୍ତାଧାରାକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ ନିର୍ବାଚନ ପ୍ରଚାର ସମୟରେ ସମସ୍ତ ପ୍ରକାରର ମର୍ଯ୍ୟାଦା ଓ ସୀମା ରେଖା ପାର ହୋଇଯିବ।

ନିର୍ବାଚନୀ ପ୍ରସଙ୍ଗ ଉପରେ ନଜର ପକାଇଲେ ଜଣାପଡୁଛି ଯେ, ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସିଦ୍ଧାନ୍ତ ଲଢ଼େଇ ସହିତ ଶାରୀରିକ ବଳ କଷାକଷି ହୋଇପାରେ। ନିର୍ବାଚନ ପ୍ରସଙ୍ଗ କେବଳ ମାତ୍ର ଦୁଇଟି ବିଷୟକୁ ନେଇ ରହିଛି। କଂଗ୍ରେସ ରାଫେଲ ଦୁର୍ନୀତି ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚୋର ବୋଲି ସିଧାସଳଖ ଆକ୍ରମଣ କରୁଛି। ଏହା ପୂର୍ବରୁ କଂଗ୍ରେସ ମୋଦିଙ୍କୁ ସିଧାସଳଖ ଆକ୍ରମଣ କରୁନଥିଲା। କାରଣ କଂଗ୍ରେସ ଜାଣିଛି ମୋଦିଙ୍କୁ ସିଧା ଆକ୍ରମଣ କଲେ ଓଲଟା ଫଳ ମିଳିଥାଏ। ଏହା ପରେ ବି ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ସିଧା ବେଇମାନ ବୋଲି କହିବାକୁ ସଂକୋଚ କରୁନାହାନ୍ତି। ଏପରିକି ବିଭିନ୍ନ ରାଜ୍ୟରେ ରାଲିରେ ପ୍ରଧାନମନ୍ତ୍ରୀ ଚୋର ବୋଲି ସ୍ଲୋଗାନ ଦେଉଛନ୍ତି।
ବିଜେପି ନେତୃତ୍ୱକୁ ଅସୁବିଧାରେ ପକାଇ ଶାସକ ଦଳର ପ୍ରମୁଖ ପ୍ରସଙ୍ଗକୁ ଦୁର୍ବଳ କରିଦେବାକୁ କଂଗ୍ରେସ ଚାହୁଁଛି। କିନ୍ତୁ ବିଡ଼ମ୍ୱନାର କଥା ପ୍ରଧାନମନ୍ତ୍ରୀ ଚୋର ପ୍ରସଙ୍ଗକୁ କଂଗ୍ରେସର ୧୮ଟିରୁ ଅଧିକ ସହଯୋଗୀ ଦଳ ଉଠାଉନାହାଁନ୍ତି। ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତୀୟ ବାୟୁସେନାର ଆକ୍ରମଣ ନେଇ ବିରୋଧି ଦଳ ପ୍ରଶ୍ନ ଉଠାଇ ଥିଲେ ହେଁ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଏହା ସେମାନଙ୍କର ନିର୍ବାଚନ ସଫଳତା ଉପରେ ପ୍ରଭାବ ନ ପକାଉ ବୋଲି ଭିତରେ ଭୟ କରୁଛନ୍ତି। କଂଗ୍ରେସ ନିକଟରେ ୩ରାଜ୍ୟରେ ଜିତିବା ପରେ କୃଷି ଋଣ ଛାଡ଼ କରିବାକୁ ଘୋଷଣା କରିବାରେ ଲାଗିଛି। ଏହା ସହିତ ସମସ୍ତ ବିରୋଧି ଦଳ ଏକ ଅଛନ୍ତି ବୋଲି ଦର୍ଶାଇବା ପାଇଁ ମିଳିତ ଘୋଷଣା ପତ୍ର ପ୍ରକାଶ କରିବାକୁ ଯୋଜନା ଚଳାଇଛି।
ଅପରପକ୍ଷରେ ଏନଡ଼ିଏର ସହଯୋଗୀ ଦଳମାନେ ମୋଦି ସରକାରର ସଫଳତାକୁ ପାଥେୟ କରି ନିର୍ବାଚନ ପ୍ରଚାରକୁ ଓହ୍ଲାଇବ। ନିର୍ବାଚନରେ ଏନଡ଼ିଏ ପକ୍ଷରୁ ରାଷ୍ଟ୍ରବାଦ ଓ ଆତଙ୍କବାଦୀଙ୍କ ବିରୁଦ୍ଧରେ ସାହାସିକ କାର୍ଯ୍ୟାନୁଷ୍ଠାନକୁ ସବୁଠାରୁ ବଡ଼ ପ୍ରସଙ୍ଗ ଭାବେ ପ୍ରଚାର କରାଯିବ। ଏହାର ପ୍ରମାଣ ଏବେଠାରୁ ମିଳି ଗଲାଣି। ଏହି ପ୍ରସଙ୍ଗରେ ଆରୋପ ଓ ପ୍ରତ୍ୟାରୋପ ବହୁତ ବଡ଼ ଧରଣର ହୋଇପାରେ। କିନ୍ତୁ ଏହି ପ୍ରସଙ୍ଗରେ ବିଜେପି ଓ ତାର ସହଯୋଗୀ ଦଳମାନଙ୍କ ସହିତ ଲଢ଼ିବାକୁ ବିରୋଧି ଦଳମାନେ ବହୁ ଥର ଚିନ୍ତା କରୁଛନ୍ତି। କାରଣ ଏହି ପ୍ରସଙ୍ଗରେ ଏନଡ଼ିଏକୁ ସମାଲୋଚନା କଲେ ମତଦାତାମାନେ ଓଲଟା ସେମାନଙ୍କ ସମର୍ଥନକୁ ଆସି ପାରନ୍ତି ବୋଲି ସେମାନେ ଅନୁମାନ କରି ନେଲେଣି। ତେଣୁ ସେମାନେ ବିକଳ୍ପ ପ୍ରସଙ୍ଗ ସନ୍ଧାନରେ ଅଛନ୍ତି।
ଭାରତୀୟ ନିର୍ବାଚନ ଇତିହାସରେ ୩୦ ବର୍ଷ ପରେ ପ୍ରଥମ ଥର ପାଇଁ ୫ବର୍ଷ ତଳେ କୌଣସି ଦଳ ବହୁମତ ସହିତ ବିଜୟୀ ହୋଇଥିଲା। ଦେଶରେ ଆଞ୍ଚଳିକ ଦଳମାନଙ୍କର ବଢ଼ୁଥିବା ପ୍ରଭାବ ଓ କୌଣସି ଗୋଟିଏ ଦଳ ବା ନେତୃତ୍ୱକୁ ସ୍ୱୀକାର କରିବା ଏତେ ପରିମାଣରେ ହ୍ରାସ ପାଇଥିଲା ଯେ ଗୋଟିଏ ଦଳ ବହୁମତ ପାଇବା ଏକ ବଡ଼ ଘଟଣା ଥିଲା। ଏହି ନିର୍ବାଚନରେ ପୁଣି ଥରେ ସମାନ ପ୍ରଶତ୍ନ ପଚାରା ଯାଉଛି। ମଜାର କଥା ମତଦାତାଙ୍କ ଦ୍ୱାରା ପ୍ରତ୍ୟାଖାତ ହୋଇଥିବା ଦଳ ବିଜେପିକୁ ପ୍ରଶ୍ନ ପଚାରିବାରେ ଲାଗିଛି। ବିରୋଧି ଦଳର ଲଢ଼େଇ ବିଜେପି ସହିତ ହେଉଥିବାବେଳେ କିଏ ଲଢ଼ୁଛି ତାହା ଜଣାପଡ଼ୁନାହିଁ।
ବିରୋଧି ଦଳ ମଧ୍ୟରେ କଂଗ୍ରେସ ଏବେ ସବୁଠାରୁ ବଡ଼ ପାର୍ଟି। ଏହା ପୂର୍ବରୁ ଦୁଇଟି ସରକାର ଚଳାଇଥିବା କଂଗ୍ରେସ ପୁଣି ଥରେ ସହଯୋଗୀ ଦଳମାନଙ୍କୁ ଏକାଠି କରି ଟକ୍କର ଦେବାକୁ ଚେଷ୍ଠା କରୁଛି। କିନ୍ତୁ ଏହି ବିରୋଧିମାନଙ୍କ ମଧ୍ୟରେ ଅର୍ନ୍ତବିରୋଧ ଏତେ ରହିଛି ଯେ ମହାମେଣ୍ଟକୁ ୟୁପିଏ ନାମ ଦେଇ ପାରୁନାହାନ୍ତି। ବିରୋଧି ଦଳ ମଧ୍ୟରେ ଏନଡ଼ିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କୌଣସ ନେତାଙ୍କୁ ଉପସ୍ଥାପିତ କରାଯାଇ ପାରିନାହିଁ। ମହାମେଣ୍ଟର ଏହା ସବୁଠାରୁ ବଡ଼ ଦୁର୍ବଳତା। ବିଜେପି ପକ୍ଷରୁ ନିର୍ବାଚନ ପ୍ରଚାର କାମ ନେତୃତ୍ୱ ଉପରେ କେନ୍ଦ୍ରୀତ କରାଯାଇଥିବାବେଳେ ବିରୋଧି ଦଳରେ ତାହା ପରିଲକ୍ଷିତ ହେଉନାହିଁ।
ବିଜେପି ପକ୍ଷରୁ ମଜଭୂତ ସରକାର ବନାମ ମଜବୁର ସରକାରର ସ୍ଲୋଗାନ ଆରମ୍ଭ ହୋଇଯାଇଛି। ଏପରିକି ଏନଡ଼ିଏର ସ୍ଥିର ଓ ପ୍ରଗତିଶୀଳ ସରକାର ସହିତ ୟୁପିଏର ଦୁର୍ନୀତିରେ ବୁଡ଼ି ରହିଥିବା ସରକାରର ତୁଳନା ମଧ୍ୟ କରାଯାଉଛି। ବିଜେପିର ଏହି ପ୍ରଚାରକୁ ପ୍ରତିହତ କରିବା ପାଇଁ କଂଗ୍ରେସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ବରଂ ନେତୃତ୍ୱ ନେଇ ବିରୋଧଭାସ ଦେଖିବାକୁ ମିଳୁଛି। ଡ଼ିଏମକେ ନେତା ଏମ.ଷ୍ଟାଲିନ ପ୍ରଦାନମନ୍ତ୍ରୀ ପଦ ପାଇଁ ରାହୁଲଙ୍କ ନାମ ପ୍ରସ୍ତାବ କରିବା ବେଳେ ଟିଏମସି, ଏନସିପି ଭଳି ଦଳମାନେ ଏ ପ୍ରସଙ୍ଗରେ ନୀରବ ରହିବାକୁ ପରାମର୍ଶ ଦେଉଛନ୍ତି।
ମହାମେଣ୍ଟରେ ଏକତା!

ମହାମେଣ୍ଟରେ ଏକତା ପାଇଁ ଶକ୍ତି ରହିଛି, ଏହା ଦର୍ଶାଇବା ପାଇଁ ଚେଷ୍ଠା ମଧ୍ୟ କରାଯାଉଛି। ଏସପି-ବିଏସପି ଭଳି ଦଳ ଉତ୍ତର ପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ହରିଆନା ଭଳି ଅନେକ ରାଜ୍ୟରେ କଂଗ୍ରେସ ସହିତ ମେଣ୍ଟ କରିବା ସପକ୍ଷରେ ନାହାଁନ୍ତି। ଏପରିକି କେରଲରେ ବାମପନ୍ଥୀ, କେପାଲକାତାରେ ତୃଣମୂଳ କଂଗ୍ରେସ, ଆନ୍ଦ୍ରପ୍ରଦେଶରେ ଟିଡ଼ିପି ଭଳି ଦଳ କଂଗ୍ରେସ ସହିତ ମେଣ୍ଟ କରୁନାହାଁନ୍ତି। ଏହି ଦଳମାନେ ଜାଣିଶୁଣି କଂଗ୍ରେସ ଭୋଟବ୍ୟାଙ୍କକୁ ନିଜ ଆଡ଼କୁ ଟାଣିବାରେ ଚେଷ୍ଠା କରୁଛନ୍ତି। କିନ୍ତୁ ନିର୍ବାଚନ ପରେ ସମସ୍ତ ବିରୋଧି ଦଳର ରାସ୍ତା ଏକ ହୋଇଯିବ। ଏହା ପରେ ବି ବିରୋଧି ଦଳମାନେ ପରଷ୍ପର ସହିତ ପ୍ରତିଦ୍ୱନ୍ଦ୍ୱୀତା କରି ନିର୍ବାଚନ ଜିତିବାକୁ ଚାହୁଁଛନ୍ତି। ଏହି କାରଣରୁ ଏସପି-ବିଏସପି କଂଗ୍ରେସ ସହିତ ମେଣ୍ଟ କରିନାହାଁନ୍ତି।
ଦିଲ୍ଲୀରେ ଆପ ପକ୍ଷରୁ ମେଣ୍ଟ ପ୍ରସ୍ତାବକୁ କଂଗ୍ରେସ ଗ୍ରହଣ କରିବାକୁ ରାଜି ହେଉନାହିଁ। କଂଗ୍ରେସ ଗୋଟିଏ ପକ୍ଷରେ ଆଞ୍ଚଳିକ ଦଳମାନଙ୍କୁ ସାଙ୍ଗରେ ନେଇ ବିଜେପି ସହିତ ଲଢ଼ିବାକୁ ଚାହଁୁଛି ଯାହାକି ବଡ଼ କଠିନ କାମ। ଦ୍ୱିତୀୟରେ ନିଜକୁ ସବୁଠାରୁ ପୁରୁଣା ପାର୍ଟି ବୋଲି ସହିତ ଭୋଟ ବ୍ୟାଙ୍କ ରହିଛି ବୋଲି ସହଯୋଗୀଙ୍କୁ କହିବାରେ ଲାଗିଛି। କଂଗ୍ରେସ ସହଯୋଗୀ ଦଳମାନଙ୍କ ଉପରେ ଆଶ୍ରିତ ହୋଇ ରହିବାକୁ ଚାହଁୁ ନାହିଁ ବୋଲି ଏଥିରୁ ଜଣାପଡ଼ୁଛି।
ଚାପରେ ମେଣ୍ଟ

ଏନଡ଼ିଏ ଆଗାମୀ ନିର୍ବାଚନରେ ୩୫୦ଟିରୁ ଅଧିକ ଆସନରେ ବିଜୟୀ ହେବ ବୋଲି ବିଜେପି ଦାବି କରୁଛି। କିନ୍ତୁ କଂଗ୍ରେସ ସମେତ ବିରୋଧି ଦଳମାନଙ୍କ ପକ୍ଷରୁ କୌଣସି ସଂଖ୍ୟା ଦାବି କରାନଯାଇ କେବଳ ବିଜେପିକୁ କ୍ଷମତାରୁ ହଟାଇ ଦେବେ ବୋଲି କହୁଛନ୍ତି। କାରଣ ଅନେକ ପ୍ରସଙ୍ଗରେ ମହାମେଣ୍ଟ ଅଡ଼ୁଆ ସ୍ଥିତିରେ ରହିଛି। ବର୍ତ୍ତମାନ ଏକଜୁଟ ବୋଲି ସନ୍ଦେଶ ଦେବା ବିରୋଧି ଦଳ ପାଇଁ ଲଢ଼େଇ ଆଧାର ହୋଇପାରେ। ଏହା ହେଲେ ବିରୋଧି ଦଳ ବିଜେପି ସହିତ ସାମାନ୍ୟ ପ୍ରତିଦ୍ୱନ୍ଦ୍ୱୀତାକୁ ଆସିପାରେ।
ଏସପି-ବିଏସପି ଉତ୍ତର ପ୍ରଦେଶରେ କଂଗ୍ରେସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ଏନଡ଼ିଏରେ ଥିବା ୨୪ରୁ ଅଧିକ ଦଳ ଭଳି ୟୁପିଏରେ ମଧ୍ୟ ସେତିକି ଦଳ ଥିବା ଦର୍ଶାଯାଉଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏମାନଙ୍କ ମଧ୍ୟରୁ ହାତ ଗଣତି ଅଳ୍ପ କେଇଟା ଦଳ ନିର୍ବାଚନ ଜିତିବାର କ୍ଷମତା ରଖିଛନ୍ତି। କିନ୍ତୁ ସେମାନେ ମେଣ୍ଟରେ ଚାପ ସୃଷ୍ଟି କରିବାରେ ଲାଗିଛନ୍ତି। ବର୍ଷକ ପୂର୍ବରୁ ବିଜେପି ସହାୟତାରେ ବିଜୟୀ ହୋଇଥିବା ଦଳମାନେ ଏନଡ଼ିଏ ଛାଡ଼ି ଚାଲିଯାଇଛନ୍ତି। ବିହାରରେ ଜେଡ଼ିୟୁକୁ ବିଜେପି ଅଧିକ ଗୁରୁତ୍ୱ ଦେଇଥିବାବେଳେ ଲଗାତର ବିଷ ଉଦଗାରୁଥିବା ଶିବସେନାକୁ ସମାନ ଆସନ ଦେଇ ସନ୍ତୁଷ୍ଟ କରିବାକୁ ବାଧ୍ୟ ହୋଇଛି। ଏହି କାରଣରୁ ଛୋଟ ଛୋଟ ରାଜନୈତିକ ଦଳଗୁଡ଼ିକର ସାହସ ବୃଦ୍ଧି ପାଇଛି। ପାଞ୍ଚ ବର୍ଷ ଧରି ଚୁପ ହୋଇ କ୍ଷମତା ଭୋଗ କରିବା ପରେ ଏହି ସହଯୋଗୀମାନେ ନିର୍ବାଚନ ସମୟରେ ମୂଲଚାଲ କରିବାରେ ଲାଗିଛନ୍ତି।
ଇତିହାସରେ ପ୍ରଥମ ଥର ପାଇଁ କୌଣସି ଗୋଟିଏ ପାର୍ଟି ବିରୋଧରେ ସମସ୍ତ ବରୋଧି ଦଳମାନେ ଏକତ୍ରିତ ହୋଇଛନ୍ତି। ଅତୀତରେ ପରଷ୍ପର ବିରୋଧରେ ଲଢ଼ୁଥିବା ଦଳମାନେ ବି ମୋଦି ସରକାରକୁ ହଟାଇବା ପାଇଁ ଏକ ହେବାର କଥା କହୁଛନ୍ତି। ଏପରିକି ସେମାନେ ଏହି ନିର୍ବାଚନରେ ଜିତିବେ ବୋଲି ବିଶ୍ୱାସ ସୃଷ୍ଟି କରିବାକୁ ଚେଷ୍ଠା କରୁଛନ୍ତି। ଅତୀତର ଘଟଣାରୁ ଜଣାପଡ଼ୁଛି ଯେ ସ୍ୱାର୍ଥ ପାଇଁ ଏକତା ବେଶୀ ଦିନ ତିଷ୍ଠି ପାରେ ନାହିଁ। ୧୯୭୧ରେ କଂଗ୍ରେସ ବିରୋଧରେ ଏକଜୁଟ ହୋଇଥିବା ବିରୋଧି ଅଳ୍ପ ଦିନ ପରେ ପୁଣି ଭାଗ ଭାଗ ହୋଇଯାଇଥିଲେ। ଜରୁରୀକଳୀନ ପରିସ୍ଥତି ପରେ ୧୯୭୭ରେ ବିରୋଧି ଏକତା ଇନ୍ଦିରା ଗାନ୍ଧୀଙ୍କୁ କ୍ଷମତାରୁ ହଟାଇ ଦେଇଥିଲା। ଏହି ଦୁଇଟି ଘଟଣାରେ ପୀରିସ୍ଥିତିରେ ଅନ୍ତର ଥିଲା। କିନ୍ତୁ ବର୍ତ୍ତମାନର ରାଷ୍ଟ୍ରବାଦୀ ଲହର ଓ ମଜଭୂତ ନେତୃତ୍ୱ ଆଗରେ ବିରୋଧି ଏକତା କେତେଦୂର ସଫଳ ହେବ ତାହା ମଇ ମାସ ୨୩ ତାରିଖରେ ଜଣାପଡ଼ିବ।
ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :