ନବୀନଙ୍କ ଭାବମୂର୍ତ୍ତି ବିଗାଡ଼ିବା ପାଇଁ ଭୟଙ୍କର ଚକ୍ରାନ୍ତ

ହାଇଟେକ ବସ ଭିଡିଓ ଭାଇରାଲ

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେହ ଭଲ ଅଛି କି ନାହିଁ ସେ ନେଇ ବାଦ ବିବାଦ ଏବଂ ତର୍କ ବିତର୍କ କିଛିଦିନ ହେଲା ଜୋରସୋରରେ ଚାଲିଛି। କେବଳ ଓଡ଼ିଶାରେନୁହେଁ, ଦେଶରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା। ନିଜେ ସୁସ୍ଥ ଅଛନ୍ତି ବୋଲି ନବୀନଙ୍କୁ କହିବାକୁ ପଡ଼ିଛି ଏକ ସାକ୍ଷାତକାର ମାଧ୍ୟମରେ।

ଏନଡି ଟିଭି ସହ ସାକ୍ଷାତକାରରେ ନିଜକୁ ସୁସ୍ଥ ସବଳ ଦେଖାଇବା ପାଇଁ ନବୀନ ଅସମ୍ଭବ ପ୍ରଚେଷ୍ଟା କରିଛନ୍ତି। ୨୨ ବର୍ଷର ରାଜନୈତିକ କ୍ୟାରିଅରରେ ଓଡ଼ିଶାରେ କେହି ତାଙ୍କୁ ବ୍ଲାକଟି-ସାର୍ଟ ଏବଂ ଟ୍ରାକ ସୁଟରେ ଦେଖିନଥିଲେ। କିନ୍ତୁ ରାଜନୈତିକ ବାଧ୍ୟବାଧକତା ଜଣେ ନେତାଙ୍କୁ କେମିତି ନକଲି ଅଭିନେତାରେ ପରିଣତ କରିଦିଏ, ନବୀନ ବାବୁ ତାହାର ଏକ ଦୃଷ୍ଟାନ୍ତ ହୋଇ ରହିଗଲେ।

ନବୀନ ମର୍ଣ୍ଣିଂ ୱାକ କରୁଥିବା, ଡମ୍ୱଲ ଟେକୁଥିବା, ଯୋଗ କରୁଥିବା ଇତ୍ୟାଦି ଦେଖାଇବାକୁ ପଡ଼ିଲା ବିଜୁ ଜନତା ଦଳକୁ ହଠାତ ଭିଡିଓ ଜରିଆରେ। ସାକ୍ଷାତକାରରେ ନବୀନଙ୍କୁ ମଧ୍ୟ କହିବାକୁ ପଡ଼ିଲା ଯେ, ନିର୍ବାଚନୀ ଲଢ଼େଇ ପାଇଁ ସେ ପୁରା ଫିଟ ।

ମାତ୍ର ଏବେ ଯେଉଁ ଦୁଇଟି ଭିଡିଓ ଭାଇରାଲ ହେବାରେ ଲାଗିଛି, ତାହା ଏକ ଭିନ୍ନ ସଂକେତ ନିର୍ବାଚନ ପ୍ରଚାରର ମଝିରେ ଦେଇଛି ଓଡ଼ିଶାବାସୀଙ୍କୁ। ଏଭଳି ଭିଡିଓ ବାହାରକୁ କେମିତି ଛଡ଼ାଗଲା ଏବଂ ଛାଡ଼ିଲା କିଏ, ଉଦ୍ଦେଶ୍ୟ କ’ଣ, ଏହାକୁ ନେଇ ସବୁ ମହଲରେ ଚର୍ଚ୍ଚା।

ଯିଏ ବା ଏହା କରିଥାଉ ନା କାହିଁକି, ମୁଖ୍ୟମନ୍ତ୍ରୀଙ୍କୁ ଏକ କମେଡିଆନ ଭାବେ ଏଥିରେ ଦେଖାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ହାସ୍ୟପାତ୍ର ହୋଇଛନ୍ତ। ତାଙ୍କ ଶାରୀରିକ ସୁସ୍ଥତାକୁ ନେଇ ବିରାଟ ପ୍ରଶ୍ନ ମଧ୍ୟ ପୁଣି ମୁଣ୍ଡ ଟେକିଛି।

ପ୍ରଥମ ଭାଇରାଲ ଭିଡିଓଟି ତାଙ୍କ ହାଇଟେକ ବସ ଭିତରୁ ସୁଟିଂ କରାଯାଇଛି। କାରଣ ଏଭଳି ଭିଡିଓ ଅନ୍ୟ କେହି ଉଠାଇ ପାରିବ ନାହିଁ। ଚଳନ୍ତା ହାଇଟେକ ବସରେ ବସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବସଟି ଯାଉଛି ସଡ଼କରେ। ରାସ୍ତାର ଦୁଇ ପାଖରେ ଅଛନ୍ତି କିଛି ଲୋକ। ସଂଖ୍ୟାଧିକ ମହିଳା। ନବୀନ ହାତରେ ଧରିଛନ୍ତି କର୍ଡ଼ଲେସ ମାଇକ୍ରୋ ଫୋନ।

କହୁଛନ୍ତି, ‘ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନେ ମତେ ଆଶୀର୍ବାଦ କରାନ୍ତୁ, ଶଙ୍ଖ ଚିହ୍ନକୁ ଭୋଟ ଦିଆନ୍ତୁ। ବହୁତ ବହୁତ ଧନ୍ୟାବାଦ। ନମସ୍କାର।’ କିନ୍ତୁ ଏହା ପରେପରେ ବିଚିତ୍ର ହସ ଶୁଭୁଛି ତାଙ୍କ ମୁହଁରୁ। ଭ୍ରୁଲତାକୁ ଟେକି ସେ ହାଃ ହାଃ କରୁଛନ୍ତି। ପଛରେ ତାଙ୍କ ସୁରକ୍ଷା ଅଧିକାରୀ ମଧ୍ୟ ହସୁଛନ୍ତି। ଆଉ ଅଧିକ ଉପହାସର ପାତ୍ର ହେବାକୁ ନଦେଇ ସେ ନବୀନଙ୍କ ହାତରୁ ମାଇକ୍ରୋ ଫୋନଟି ନେଇଯାଉଛନ୍ତି।

ଏହି ଭିଡିଓ ଅନେକ ଗୁରୁତର ପ୍ରଶ୍ନ ଉଠାଇଛି। ଏହାକୁ ଉଠାଇ ଥିଲା କିଏ? କାହିଁକି ବାହାରକୁ ଛଡ଼ାଗଲା? ଏହାଦ୍ୱାରା ବିଜୁ ଜନତା ଦଳର ବା ନବୀନଙ୍କର ଭାବମୂର୍ତ୍ତି କେତେ ସୁଧୁରି ଗଲା?

ଉଦ୍ଦେଶ୍ୟମୂଳକ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଜୋକର ଭାବେ ଉପସ୍ଥାପନ କରିବା ପାଇଁ କେହି ଚେଷ୍ଟା କରିନାହିଁ ତ? ଅନ୍ତତଃ ସେମିତି ସନ୍ଦେହ ସୃଷ୍ଟି ହୋଇଛି ଭିଡିଓ ଦେଖିବା ପରେ। ଅବଶ୍ୟ ଏହାର ସତ୍ୟାସତ୍ୟ ଯାଞ୍ଚ କରିବା ବର୍ତ୍ତମାନ ପରିସ୍ଥିତିରେ ସମ୍ଭବ ନହେଲେ ମଧ୍ୟ ଏହାକୁ ଦେଖିବା ପରେ ନକଲି ବା ଜାଲି ଭିଡିଓ ବୋଲି ମଧ୍ୟ କୁହାଯାଇ ପାରୁନାହିଁ।ଫିଟ ଅଛନ୍ତି ବୋଲି ଯେଉଁ ଭିଡିଓ ଏବଂ ସାକ୍ଷାତକାର ପ୍ରସାରଣ କରାଯାଇଥିଲା, ତାହା ବରଂ ମିଛ ବୋଲି ଏହି ଭିଡିଓ ପ୍ରମାଣିତ କରିଦେଲା।

ଦ୍ୱିତୀୟ ଭାଇରାଲ ଭିଡିଓଟି ଏକ ମିଟିଙ୍ଗର। ଦୁଇଦିନ ତଳେ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ଼ମ୍ୱା ସଭାରେ ସନ୍ଦେହ ପ୍ରକଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୧୦ ମିଟର ଚାଲି କରି ନବୀନ ଦେଖାନ୍ତୁ ବୋଲି କହିଥିଲେ ଧର୍ମେନ୍ଦ୍ର। କିନ୍ତୁ ଗୁରୁବାର ଦିନ ସେହି ବଡମ୍ୱାରେ ନବୀନ ପ୍ରମାଣିତ କରିଦେଲେ ଯେ, ପ୍ରକୃତରେ ସେ ଅସୁସ୍ଥ।

ସଭା ସ୍ଥଳକୁ ପାହାଚରେ ଉଠି ଯାଇଥିଲେ ନବୀନ। ସଭାରେ ଥିଲେ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଏବଂ ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର। ଓହ୍ଲାଇଲା ବେଳକୁ କିନ୍ତୁ ଆଉ ପାହାଚରୁ ତଳକୁ ଯିବା ପାଇଁ ସାହସ ହୁଏ ନାହିଁ ନବୀନଙ୍କର। କେଉଁ ପାଦ ଆଗକୁ ନେବେ, ବୁଝି ପାରୁ ନଥିଲେ ସେ। ତାଙ୍କ ସୁରକ୍ଷା କର୍ମଚାରୀ ଅଣ୍ଟାରୁ ଧରି ଓହ୍ଲାଇ ଆଣିଥିଲେ ତଳକୁ। ଏହି ଭିଡିଓଟି ମଧ୍ୟ ପ୍ରବଳ ବେଗରେ ଭାଇରାଲ ହେବାରେ ଲାଗିଛି।

କେନ୍ଦ୍ରକୁ ଦୋଷ ଦେବାଲାଗି ତରବରିଆ ଭାବେ ଆଉ କେତୋଟି ଭିଡିଓ ବିଜେଡି ଛାଡ଼ିଛି। ଏଥିରେ ସେହିଭଳି କଳା ଟ୍ରାକସୁଟ ଓ ଧଳା ଟି-ସାର୍ଟ ପିନ୍ଧିଛନ୍ତି ନବୀନ। ପିଲାମାନଙ୍କୁ ସେ କେନ୍ଦ୍ରୀୟ ଅବହେଳା ବିଷୟରେ ବୁଝାଇବାକୁ ଯାଉଛନ୍ତି। ଏତେ ବିଜ୍ଞାପନ ଏବଂ ସଭା ସମିତି ପରେ ଏଭଳି ଭିଡିଓର ଆବଶ୍ୟକତା ଥିଲା କି ନାହିଁ, ତାହା ଏକ ବିରାଟ ପ୍ରଶ୍ନ। ଏଭଳି ଡ୍ରେସ କିନ୍ତୁ ଆଦୌ ଶୋଭା ପାଉ ନାହିଁ ନବୀନଙ୍କୁ। ଏହି ଭିଡିଓ ଏବଂ ବସ ଭିତରେ ସୁଟିଂ ହୋଇଥିବା ଭିଡିଓ ମଧ୍ୟରେ ଆକାଶ-ପାତାଳ ପ୍ରଭେଦ।

ତା’ଛଡ଼ା ବଡ଼ମ୍ୱା ଭିଡିଓଟି ଅନେକ ଗୁମର ଖୋଲି ଦେଉଛି। ନବୀନଙ୍କୁ ନେଇ ଏଭଳି ଭଳିକି ଭଳି ଭିଡିଓ ନିର୍ବାଚନ ସରି ନଥିବା ଭିତରେ ଘୂରି ବୁଲୁଥିବାରୁ ଏହା ଶାସକ ଦଳକୁ ବିଶେଷ ରାଜନୈତିକ ଫାଇଦା ଦେବ ନାହିଁ। ବଡ଼ କାରଣ ହେଲା, ଏଥର ଭାରତୀୟ ଜନତା ପାର୍ଟି ପାଖରୁ ବିଜେଡି ଉଭୟ ଚାପ ଓ ତାପର ସାମ୍ନା କରୁଛି।

ନବୀନ ଶେଷ ନିର୍ବାଚନ ଲଢ଼ୁଛନ୍ତି। ଏଭଳି କଟୁ ସତ୍ୟ ଭିତରେ ତାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ପାଇଁ ଉଦ୍ୟମ ହେଉଛି। ବସ ଭିଡିଓଟି ନବୀନଙ୍କ ୨୨ବର୍ଷର ଭାବମୂର୍ତ୍ତି ସହ ଆଦୌ ଖାପ ଖାଉ ନାହିଁ। ସେ ଜଣେ ଶାନ୍ତ ଏବଂ ନମ୍ର ସ୍ୱଭାବର ବ୍ୟକ୍ତିତ୍ୱ ବୋଲି ସମସ୍ତେ ଜାଣିଥିଲେ। କିନ୍ତୁ ଯିଏ ବା ହେଉ ନା କାହିଁକି, ଯେଉଁ ଭିଡିଓ ବାହାରକୁ ଛାଡ଼ିଛନ୍ତି, ତାହା ନବୀନ ଏବଂ ବିଶେଷକରି ଦଳକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି।

Leave a Reply

Your email address will not be published.