ଡାକ୍ତରଖାନାରେ ତୃତୀୟ ମହଲା ଅଧିକାରୀ: ସୁନ୍ଦରଗଡ଼ ସିଡିଏମ୍‌ଓ ସସ୍‌ପେଣ୍ଡ

ଭୁବନେଶ୍ଵର, (ଓଟି): ରାଜ୍ୟ ପ୍ରଶାସନର ତୃତୀୟ ମହଲା ଭାବେ ପରିଚିତ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ରାଜ୍ୟର ସରକାରୀ ହସ୍‌ପିଟାଲ୍‌ଗୁଡ଼ିକରେ ରୋଗୀସେବାକୁ ତ୍ଵରାନ୍ବିତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଗଲା କିଛିଦିନ ହେଲା ରାଜ୍ୟର ବିଭିନ୍ନ ହସ୍‌ପିଟାଲ୍‌ରେ ଅଚାନକ ଚଢ଼ଉକରି ସେଠାରେ ରୋଗୀସେବା ଓ ଡାକ୍ତରଙ୍କ ବ୍ୟବହାର ବାବଦରେ ସମୀକ୍ଷା କରୁଥିବାବେଳେ ଆଜିଠାରୁ ମନମୁଖୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ମାନସପୁତ ‘ ମୋ ସରକାର’ ନୀତିକୁ ପାଳନ କରୁ ନଥିବା ଅଭିଯୋଗରେ ଆଜି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।  ଖାଲି ସେତିକି ନୁହେଁ ପୁରୀ, ଯାଜପୁର ଓ ଢେଙ୍କାନାଳରେ ଆଜି ତୃତୀୟ ମହଲା ଅଧିକାରୀମାନେ ସ୍ଵାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ମିଶି ଆବଶ୍ୟକ କାର୍ଯ୍ୟ ସମୀକ୍ଷା କରିବା ସହ ଲୋକଙ୍କ ମତାମତ ସଂଗ୍ରହ କରିଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ସୁନ୍ଦରଗଡ଼ରେ କାର୍ଯ୍ୟକାରୀ ମୁଖ୍ୟ ଚିକିତ୍ସାଧିକାରୀଭାବେ କାର୍ଯ୍ୟ କରୁଥିବା ପଙ୍କଜ ପଟେଲଙ୍କୁ ନିଲମ୍ବନ କରାଯାଇଛି। ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋ ସରକାର ନିୟମକୁ ଲାଗୁ କରିବାରେ ଅବହେଳା କରୁଥିଲେ। ଏ ବାବଦରେ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଆଇପିଏସ୍‌ ଅଧିକାରୀ ଡିଏସ୍‌ କୁଟେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ରୀତାରାଣୀ ମହାପାତ୍ର ଢେଙ୍କାନାଳ ହସ୍‌ପିଟାଲ୍‌କୁ ଅଚାନକ ଗସ୍ତ କରିଥିଲେ। ସେଠାରେ ଆବଶ୍ୟକ ସୂଚନା ସଂଗ୍ରହ ସହ ରୋଗୀ ଓ ରୋଗୀଙ୍କ ସହଯୋଗୀମାନଙ୍କ ସହ କଥା ହୋଇଥିଲେ। କି ପ୍ରକାର ଉନ୍ନତି ଚିକିତ୍ସା କ୍ଷେତ୍ରରେ ଆବଶ୍ୟକ ତାହା ପଚାରି ବୁଝିଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅନ୍ୟତମ ଅତିରିକ୍ତ ସଚିବ ରୂପାରୋଶନ ସାହୁ ସ୍ଵାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଯାମିନି ଷଡ଼ଙ୍ଗୀ ଏବହ ମୁଖ୍ୟମନ୍ତ୍ରୀଙ୍କ ଉପ ସଚିବ ମନୋଜ ସ୍ଵାଇଁ ପୁରୀ ହସ୍‌ପିଟାଲ୍‌ ଗସ୍ତରେ ଯାଇ ଆବଶ୍ୟକ ସମୀକ୍ଷା କରିଛନ୍ତି। ଯାଜପୁର ଗସ୍ତରେ ଆଜି ଅଚାନକ ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟତମ ସ୍ଵତନ୍ତ୍ର ଅଧିକାରୀ ଦିଲ୍ଲୀପ ମହାନ୍ତି , ସ୍ଵାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ପୁନମ ଗୁହା କୁମାର ଏବଂ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଆଦିତ୍ୟ ମହାପାତ୍ର। 

ପୂର୍ବରୁ ରାଜ୍ୟର ୫-ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିୟାନ, ମୁଖ୍ୟ ସଚିବ ଅସିତ ତ୍ରିପାଠା ଏବଂ ସ୍ଵାସ୍ଥ୍ୟ ବିଭାଗ ନିର୍ଦେଶକ ଶାଳିନୀ ପଣ୍ଡିତ ପ୍ରମୁଖ ବିଭିନ୍ନ ଡାକ୍ତରଖାନା ବୁଲି ପରିସ୍ଥିତି ଯାଞ୍ଚ କରିଛନ୍ତି। ଆଗକୁ ସେମାନଙ୍କ ରିପୋର୍ଟ ସ୍ଵାସ୍ଥ୍ୟ ବିଭାଗରେ ଆବଶ୍ୟକ ଭିତ୍ତିଭୂମି ପୂରଣ ଓ ପରିସ୍ଥିତିର ସୁଧାର ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି। 

Leave a Reply

Your email address will not be published.