ମାର୍ଚ୍ଚରୁ ନିର୍ମାଣ ଆରମ୍ଭ ହେବ ଏସସିବି ୨ୟ କ୍ୟାମ୍ପସ୍
କଟକ(ଓଟି): କଟକର ଓଡ଼ିଆ ବଜାରସ୍ଥିତ ସଂଗ୍ରହାଳୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଘୋଷଣା କରିବା ସହ ମହାନଦୀ ହାଡ଼ିଆପରେ ପ୍ରସ୍ତାବିତ ଏସସିବିର ଦ୍ୱିତୀୟ କ୍ୟାମ୍ପସ ସମ୍ପର୍କରେ ସମୀକ୍ଷା କରି ତାହା ବିଶ୍ୱସ୍ତରୀୟ ହେବବୋଲି ଘୋଷଣା କରିଛନ୍ତି। ଆସନ୍ତା ମାର୍ଚ୍ଚରୁ ଏଥିପାଇଁ କାର୍ଯ୍ୟାରମ୍ଭ ହେବ ଏବଂ ଏ ନେଇ ଲୋକଙ୍କ ମତାମତ ସଂଗ୍ରହ କରାଯିବ ବୋଲି କହିଛନ୍ତି। କଟକର ରିଂ ରୋଡ୍ ୬ ଲେନ୍ ବିଶିଷ୍ଟ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମହାନଦୀ ପଠାରେ ୪୨୧ ଏକର ଜମିରେ ବିଭିନ୍ନ ପ୍ରକଳ୍ପ ହେବ ଏବଂ ପ୍ରଶସ୍ତ ରାସ୍ତା, ସବୁଜକରଣ ଓ ପାର୍କିଂକୁ ଗୁରୁତ୍ୱ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। କଟକ ଜିଲ୍ଲାର ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କ ସମେତ ବିଭାଗୀୟ ସଚିବ ଏବଂ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।











