ପ୍ରଧାନମନ୍ତ୍ରୀଙ୍କୁ ପତ୍ରରେ ପରାମର୍ଶ

ଭୁବନେଶ୍ଵର (ଓଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଗୁରୁତ୍ଵପୂର୍ଣ୍ଣ ଦିଗକୁ ବିଚାର କରିବା ଲାଗି ପରାମର୍ଶ ଦେଇଛନ୍ତି। ସୂଚନା ଅନୁସାରେ ୨୦୨୧ ଜନଗଣନା ଓ ଏନ୍‌ପିଆର୍ ଅପଡେଟ୍ ପ୍ରକ୍ରିୟା ସ୍ଥଗିତ ରଖିବାକୁ ଏହି ପତ୍ର ଲେଖାଯାଇଛି। ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରକ୍ରିୟାରେ ପ୍ରାୟ ୩୦ ଲକ୍ଷ ଲୋକ ନିୟୋଜିତ ହେବାର ରହିଛି। ତେବେ ସମ୍ପ୍ରତି ଦେଶରେ କରୋନା ସଂକ୍ରମଣ ଆଶଙ୍କା ରହିଛି ଏବଂ ବ୍ୟାପକ ସତର୍କ ଓ ସଚେତନତା କାର୍ଯ୍ୟ ଜାରି ରହିଛି। ସେହିଦୃଷ୍ଟିରୁ ଏଭଳି ପରିସ୍ଥିତିରେ ଜନସଂଖ୍ୟା କାର୍ଯ୍ୟ ନ କରିବା ପାଇଁ ମୋଦୀଙ୍କୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ଏଥିସହ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ କରୋନା ସହ ଲଢ଼ିବାକୁ ରାଜ୍ୟ ସରକାର ଅନେକ ସତର୍କମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ଜନଗଣନା କାର୍ଯ୍ୟ ଆରମ୍ଭ କରାଗଲେ ଏଥିରେ ସମ୍ପୃକ୍ତ କର୍ମଚାରୀ ଓ ଜନ ସାଧାରଣଙ୍କ ସ୍ୱାସ୍ଥ୍ୟପ୍ରତି ବିପଦ ଆଶଙ୍କା ରହିଛି। ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ହାଉସ୍ ଲିଷ୍ଟିଂ ବା ଘରଗଣନା କରାଯିବା ପାଇଁ ପୂର୍ବରୁ ସ୍ଥିର ହୋଇଥିବାବେଳେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିଥାନ୍ତେ। ଓଡ଼ିଶାରେ ଏପ୍ରିଲ ୧୬ରୁ ମେ ୧୬ ପର୍ଯ୍ୟନ୍ତ ଏହି କାର୍ଯ୍ୟ କରାଯିବାକୁ ସ୍ଥିର ହୋଇଥିଲା। ତେବେ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ପତ୍ର ଦେଇଥିବାବେଳେ ପ୍ରଧାନମନ୍ତ୍ରୀ ସୁଚିନ୍ତିତ ନିଷ୍ପତ୍ତି ନେବେ ବୋଲି ବିଭିନ୍ନ ମହଲରେ ଆଶା କରାଯାଉଛି।

Leave a Reply

Your email address will not be published.