ବାରିପଦାରେ ବିକାଶର ପସରା ଖୋଲିଲେ ନବୀନ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ୧୧ଟି ଜନହିତକର ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୬ଟି ଜନହିତକାରୀ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାରିପଦା ଛଉପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି କାର୍ଯ୍ୟକ୍ରମରେ ୨୦ହଜାର ୨୯୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ଟଙ୍କା ଲେଖାଏଁ ସିଡ୍‌ ମନି ସହାୟତା ପ୍ରଦାନ କରିବା ସହିତ ୨୬ଟି ବ୍ଲକ୍‌ସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି। ଏତଦ୍‌ବ୍ୟତୀତ ଡିଜିଟାଲ ସଶକ୍ତିକରଣ ନିମନ୍ତେ ୩୯୪୧୮ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ ସହିତ ମୟୂରଭଞ୍ଜ ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହାସଂଘ ଗୁଡ଼ିକୁ ମୋଟ୍‌ ୪୯କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ ବାରିପଦା ସହରକୁ ବନ୍ୟାଦାଉରୁ ରକ୍ଷା କରିବା ପାଇଁ ରିଙ୍ଗ ରୋଡ ନିର୍ମାଣ କରାଯିବ ଏହା ବ୍ୟତୀତ ବାରିପଦା ସମବାୟ ବ୍ୟାଙ୍କର ପୁନରୁଦ୍ଧାର କରାଯିବ । ଏ ବାବଦରେ ଆବଶ୍ୟକୀୟ ଅର୍ଥ ରାଜ୍ୟ ସରକାର ଯୋଗାଇ ଦେବେ । ଛଉ ନୃତ୍ୟର ଅଧିକ ଗବେଷଣା ପାଇଁ ଗବେଷଣା କେନ୍ଦ୍ର ଖୋଲାଯିବ । ମୟୂରଭଞ୍ଜ ଆୟୁର୍ବେଦିକ କଲେଜକୁ ସରକାରୀ ମାନ୍ୟତା ମିଳିବା ଦିଗରେ ସରକାର ବିଚାର କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।


ଏହାସହ ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ ପଟ୍ଟନାୟକ । ବାରିପଦା ଛଉପଡିଆରେ ମିଶନ ଶକ୍ତି ମହାସମାବେଶରେ ଉଦଳା ୧୯ ନମ୍ବର ରାଜ୍ୟ ରଜପଥ ଚମ୍ପା ନଦୀ ଉପରେ ହାଇଲେଭଲ୍ ସେତୁ, ଉଦଳା ଉପଖଣ୍ଡ ଚିକିତ୍ସାଳୟର ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ଚିକିତ୍ସାକେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତକତପୁର ଏମପିସି ଜୁନିଅର କଲେଜ ଏବଂ ବାରିପଦା ମହିଳା ମହାବିଦ୍ୟାଳର ୩ ଶହ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ, ୩ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ୍ କରିଛନ୍ତି ନବୀନ ।

ଏହାସହ ବୁଢାବଳଙ୍ଗ ନଦୀ ଉପରେ ସେତୁ, ବାରିପଦା-ପ୍ରତାପପୁର-ବଡସାହି-ମାଣତ୍ରୀ ରାସ୍ତାର ଉରା ନାଳ ଉପରେ ସେତୁ, କପ୍ତିପଦା ବଡଗୁଡୁଗୁଡିଆ ଏବଂ ଶୁଳିଆପଦା ବ୍ଲକର ଧାତିକାରେ ୨ଟି ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

କମ୍‌ କହି ବେଶି ଶୁଣିଲେ ନବୀନ

ବାରିପଦାର ଐତିହାସିକ ଛଉ ପଡ଼ିଆରେ ଅନୁଷ୍ଠିତ ମିସନ୍‌ ଶକ୍ତି ମହିଳା ସମାବେଶ‌ରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ବେଶି କିଛି କହିବାକୁ ପସନ୍ଦ କରିନଥିଲେ, ବରଂ ଏହି ମିସନ୍‌ ଶକ୍ତି ଯୋଜନାରେ ସଫଳ ହୋଇଥିବା ମହିଳାମାନଙ୍କ ସଫଳତାର କାହାଣୀ ଅତି ଧୈର୍ଯ୍ୟର ସହ ଶୁଣିଥିଲେ। ମିସନ୍‌ ଶକ୍ତି ଯୋଜନା ମୟୂରଭଂଜ ଜିଲ୍ଲାର ସାଧାରଣ ଗୃହିଣୀମାନଙ୍କ ଜୀବନରେ କି’ ପ୍ରକାର ବଡ଼ଧରଣର ପରିବର୍ତ୍ତନ ଆଣିପାରିଛି, ଏହାଦ୍ୱାରା ସେମାନେ କିପରି ସାମାଜିକ ଓ ଆର୍ଥିକ ରୂପେ ସଶକ୍ତି ହୋଇପାରିଛନ୍ତି‌; ଜଣଙ୍କ ପରେ ଜଣେ ମହିଳା ମଞ୍ଚରେ ଆସି ନିଜ ସଫଳତା ବଖାଣିଥିଲେ।

Leave a Reply

Your email address will not be published. Required fields are marked *