ବ୍ରିଟେନରେ କରୋନା ଟିକାର ପରୀକ୍ଷା ଆରମ୍ଭ
ନୂଆଦିଲ୍ଲୀ (ଓଟି): ବ୍ରିଟେନରେ କରୋନା ଟିକାର ମାନବୀୟ ପରୀକ୍ଷଣ କରାଯାଇଛି। ଅକ୍ସଫୋର୍ଡ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ଏଭଳି ପରୀକ୍ଷା କରାଯାଇଥିବା ବେଳେ ପ୍ରଫେସର ସାରାହ ଗିଲବର୍ଟ, ପ୍ରଫେସର ଆଣ୍ଡ୍ରିୟୁ ଡକ୍ଟର ସାଣ୍ଡି ଡୋଗଲାସ ଏବଂ ପ୍ରଫେସର ଟେରେସାଙ୍କ ରିସର୍ଚ୍ଚ ଟିମ୍ ଏଥିପାଇଁ ଗବେଷଣା ଜାରି ରଖିଛନ୍ତି।
ସୂଚନା ଅନୁସାରେରେ ମହାମାରୀ କରୋନା ପାଇଁ ଭ୍ୟାକ୍ସିନ୍ ବା ଟିକାର ମାନବୀୟ ପରୀକ୍ଷଣ ହେବାରେ ଏହା ହେଉଛି ଚତୁର୍ଥ। ପୂର୍ବରୁ ଆମେରିକାରେ ଗୋଟିଏ ଏବଂ ଚୀନରେ ଦୁଇଟି ଟିକାର ପରୀକ୍ଷଣ କରାଯାଇଛି। କିନ୍ତୁ ଅକ୍ସଫୋର୍ଡ ୟୁନିଭର୍ସିଟିର ଟିକାକୁ ସେପ୍ଟେମ୍ବର ସୁଦ୍ଧା ବ୍ୟବହାର ଉପଯୋଗୀ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ତେଣୁ ସେପ୍ଟେମ୍ବର ସୁଦ୍ଧା ପ୍ରାୟ ୧୦ ଲକ୍ଷ ଟିକା ଲୋକଙ୍କ ପାଇଁ ବ୍ୟବହାର କରାଯାଇପାରିବ ବୋଲି ଆଶା ପ୍ରକଟ କରାଯାଇଛି। ଗୁରୁତ୍ଵପୂର୍ଣ୍ଣ ଯେ ଏହି ଟିକାର ଉତ୍ପାଦନ ପାଇଁ ସହଯୋଗୀ ସଂସ୍ଥା ମଧ୍ୟରେ ଭାରତ ରହିଛି। ଯଦି ଟିକା ସଫଳ ହୁଏ ତେବେ ସହଯୋଗୀ ଦେଶରେ ମଧ୍ୟ ଟିକା ଉତ୍ପାଦନ କରାଯାଇପାରିବ। ପୂର୍ବରୁ ଏହି ଟିମ୍ ଇବୋଲା ଓ ଅନ୍ୟ ଭୂତାଣୁ ନାଶ ପାଇଁ ସଫଳତାର ସହ ଟିକା ପ୍ରସ୍ତୁତ କରିପାରିଥିଲେ। ତେଣୁ ସମ୍ପୃକ୍ତ ଟିମ୍ ପ୍ରତି ବିଶ୍ଵ ବିଶେଷ ଆଶାବାଦୀ ହୋଇପଡ଼ିଛି।
ଅନ୍ୟପକ୍ଷରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କିନ୍ତୁ ଟିକା ବା ଔଷଧକୁ ନେଇ ସେଭଳି ଆଶା ପ୍ରକଟ କରିପାରିନି। କରୋନା ଭୂତାଣୁ ଦୀର୍ଘ ସମୟ ଧରି ରହିବ ଏବଂ ସମ୍ପ୍ରତି ବିଶ୍ଵର ଅନେକ ଦେଶ ମହାମାରୀର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଥିବା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ ଆଦୋନମ୍ ମତବ୍ୟକ୍ତ କରିଛନ୍ତି।