ଓଡ଼ିଆ ସାମ୍ବାଦିକତାର କ୍ଲାସିକ୍ ‘ନିଆଁଖୁଣ୍ଟା’ ଏବେ ଇଣ୍ଟରନେଟ୍ରେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ସମାଲୋଚନାଧର୍ମୀ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରର କ୍ଲାସିକ୍ ଭାବେ ପରିଚିତ ଗୋଦାବରୀଶ ମହାପାତ୍ରଙ୍କ ନିଆଖୁଣ୍ଟା ପୁଣିଥରେ ଦେଖିବାକୁ ମିଳିବ, ଯେତେବେଳେ ଚାହିଁବେ ସେତେବେଳେ ଆପଣଙ୍କ ଇଣ୍ଟରନେଟ୍ ସମ୍ପନ୍ନ ଯନ୍ତ୍ରରେ। ସାମାଜିକ ଅନୁଷ୍ଠାନ ସୃଜନୀକା ପକ୍ଷରୁ ‘ନିଆଁଖୁଣ୍ଟା’ ପତ୍ରିକାର ବିଭିନ୍ନ ଖଣ୍ଡକୁ ଇଣ୍ଟରନେଟ୍ ପ୍ଲାଟଫର୍ମରେ ଉପଲବ୍ଧ କରାଯାଇଛି। ଯେକୌଣସି ଆଗ୍ରହୀ ବ୍ୟକ୍ତି ବା ଅନୁଷ୍ଠାନ ଓଡ଼ିଆ ବିଭବ ୱେବ୍ସାଇଟ୍ https://odiabibhaba.in କୁ କ୍ଲିକ୍ କରି ଏହାକୁ ପଢ଼ିପାରିବେ। ଖାଲି ସେତିକି ନୁହେଁ ଏହି ପ୍ଲାଟ୍ଫର୍ମରେ ଡାଉନ୍ଲୋଡ୍ ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି। ଫଳରେ ପାଠକ ଯେକୌଣସି ସମୟରେ ଏହାକୁ ଅଫ୍ଲାଇନ୍ରେ ପଢ଼ିପାରିବେ।
୧୯୩୮ ମସିହାରେ ଏହି ପତ୍ରିକାର ପ୍ରକାଶନ ଆରମ୍ଭ ହୋଇଥିଲା। ଏହି ପତ୍ରିକାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାଜ୍ୟରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଘଟଣାର ଗଠନମୂଳକ ସମାଲୋଚନା କରିବା। ବହୁ କ୍ଷେତ୍ରରେ ରାଜନୀତିର ଭିତିରି କଥାକୁ ବେଶ ରୋଚକ ଢଙ୍ଗରେ ଏହି ପତ୍ରିକାରେ ପ୍ରକାଶ କରାଯାଉଥିଲା । ତେବେ ଏହି ପତ୍ରିକାକୁ ଡିଜିଟାଇଜ୍ କରିବା ପାଇଁ ଗୋଦାବରୀଶ ମହାପାତ୍ରଙ୍କ ପୁଅ ଭବାନୀଶଙ୍କର ମହାପାତ୍ରଙ୍କ ସହଯୋଗ ବିନା ସମ୍ଭବ ହୋଇ ପାରିନଥାନ୍ତା ବୋଲି ସୃଜନିକା ପକ୍ଷରୁ କୁହାଯାଇଛି । ଏବେ ନିଆଁଖୁଣ୍ଟା ବହୁ ସଂଖ୍ୟା ମିଳିପାରି ନାହିଁ । କୌଣସି ବ୍ୟକ୍ତି ଏଗୁଡ଼ିକ ଯୋଗାଇ ଦେଲେ ଆଗାମୀ ଦିନରେ ସେଗୁଡିକ ଏହି ୱେବ୍ସାଇଟ୍ ଯୋଡ଼ି ଦିଆଯାଇପାରିବ ବୋଲି ଉଭୟ ସୃଜନିକା ଓ ଗୋଦାବରୀଶ ମହାପାତ୍ରଙ୍କ ପରିବାର ପକ୍ଷରୁ କୁହାଯାଇଛି ।
ବହୁ ବିରଳ ପତ୍ରପତ୍ରିକା, ବହିପତ୍ରକୁ ଡିଜିଟାଲ୍ ମାଧ୍ୟମରେ ସଂରକ୍ଷଣ କରି ରଖିବା ପାଇଁ ପ୍ରାୟ୧୫ ବର୍ଷ ତଳୁ ଉଦ୍ୟମ ଆରମ୍ଭ କରିଛି ସୃଜନିକା । ଏହା କ୍ରମରେ ଗତ ୨୦୧୭ରେ ଓଡ଼ିଆ ବିଭବ ୱେବ୍ସାଇଟ୍ର ସୃଷ୍ଟି । ବର୍ତ୍ତମାନ ଏହି ୱେବ୍ସାଇଟ୍ରେ ଲକ୍ଷ ଲକ୍ଷ ପୃଷ୍ଠାର ପୁରୁଣା ଓ ବହୁ ବିରଳ ମୁଦ୍ରିତ ସାମଗ୍ରୀ ସଂରକ୍ଷିତ ହୋଇ ରହିଛି । ଆଗକୁ ଆହୁରି ଏକାଧିକ ଲେଖକଙ୍କ ଡିଜିଟାଲ ସଂକଳନ ସହ ବହୁ ବହିପତ୍ର ଓ ପତ୍ରିକା ଏଥିରେ ଯୋଡ଼ା ହେବ ବୋଲି ସୃଜନିକା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ସଂରକ୍ଷଣ ଅଭିଯାନକୁ ଆଗେଇ ନେବାକୁ ଅଧିକରୁ ଅଧିକ ଲୋକଙ୍କ ସକ୍ରୀୟ ସହଯୋଗ ଜରୁରୀ । ନିଜପାଖରେ ଏବଂ ନିଜ ପରିଚିତଙ୍କ ପାଖରେ ଥିବା ପୁରୁଣା ବହି, ପତ୍ରିକା ସୃଜନିକାକୁ ଦେଲେ ତାକୁ ଡିଜିଟାଇଜ୍ କରି ସଂରକ୍ଷିତ କରାଯାଇ ପାରନ୍ତା ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।