ସିଜେଆଇ ଯୌନ ନିର୍ଯାତନା ମାମଲାର ତଦନ୍ତ କରିବେ ପୂର୍ବତନ ବିଚାରପତି ଜଷ୍ଟିସ ଏକେ ପଟ୍ଟନାୟକ
ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ଓ ଏହା ପଛରେ ରହିଥିବା ଷଡ଼ଯନ୍ତ୍ରର ତଦନ୍ତ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ କରିବେ ବୋଲି ସୁପ୍ରିମକୋର୍ଟଙ୍କ ସ୍ୱତନ୍ତ୍ର ଖଣ୍ଡପୀଠ ଆଜି ଅପରାହ୍ନରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଏହି ଅଭିଯୋଗର ତଦନ୍ତ କରୁଥିବା ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଅରୁର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ରୋହିନ୍ ଟନ୍ ନରିମାନ ଓ ଜଷ୍ଟିସ୍ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ତଦନ୍ତ କାଳରେ ଦିଲ୍ଲୀ ପୁଲିସ୍ କମିସନର, ସିବିଆଇ ନିର୍ଦ୍ଦେଶକ ଓ ଗୁଇନ୍ଦା ବିଭାଗ ମୁଖ୍ୟ ତଦନ୍ତ କରୁଥିବା ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ କରିବାକୁ ମଧ୍ୟ ସୁପ୍ରିମକୋର୍ଟଙ୍କ ଏହି ସ୍ୱତନ୍ତ୍ର ଖଣ୍ଡପୀଠ କହିଛନ୍ତି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗେଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ପଛରେ ଏକ ଗଭୀର ଷଡ଼ଯନ୍ତ୍ର ରଚନା କରାଯାଇଥିବା ନେଇ ସୁପ୍ରିମକୋର୍ଟର ଜନୈକ ବରିଷ୍ଠ ଆଇନଜୀବୀ ଗତକାଲି ସୁପ୍ରିମକୋର୍ଟଙ୍କର ଏହି ସ୍ୱତନ୍ତ୍ର ଖଣ୍ଡପୀଠ ନିକଟରେ ଅଭିଯୋଗ କରି ତଥ୍ୟ ପ୍ରମାଣ ଦେବା ପରେ ସୁପ୍ରିମକୋର୍ଟଙ୍କ ସ୍ୱତନ୍ତ୍ର ଖଣ୍ଡପୀଠ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସ୍ୱତନ୍ତ୍ର ଖଣ୍ଡପୀଠ ସାବଧାନ କରାଇ କହିଛନ୍ତି, ଦେଶର ଧନୀ ଓ କ୍ଷମତାଶାଳୀମାନଙ୍କୁ ଏବେ ସତର୍କ କରାଇ ଦେବାକୁ ସମୟ ଆସି ଯାଇଛି ଯେ ସେମାନେ ନିଆଁ ସାଙ୍ଗରେ ଖେଳୁଛନ୍ତି। ତାହା ସେମାନେ କରନ୍ତୁ ନାହିଁ।
ତଦନ୍ତ କମିଟିରୁ ଓହରିଲେ ଜଷ୍ଟିସ୍ ଏନ୍.ଭି ରମନ୍ନା

ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଅସଦାଚରଣ ମାମଲାର ତଦନ୍ତ ପାଇଁ ଗଠିତ କମିଟିରୁ ଜଷ୍ଟିସ୍ ଏନ୍.ଭି ରମନ୍ନା ଓହରି ଯାଇଛନ୍ତି। ଅସଦାଚରଣ ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ଗତକାଲି କହିଥିଲେ ଯେ ଜଷ୍ଟିସ୍ ଏନ୍.ଭି ରମନ୍ନା ପ୍ରଧାନ ବିଚାରପତିଙ୍କ ଘନିଷ୍ଠ ବନ୍ଧୁ। ତେଣୁ ତାଙ୍କୁ କମିଟିରୁ ବାଦ ଦିଆଯାଇ ମହିଳା ଅଧିକ ବିଚାରପତିଙ୍କୁ ରଖିବା ପାଇଁ ନିବେଦନ କରିଥିଲେ। ଆଜି ସଂଧ୍ୟାରେ ନୂଆ କମିଟି ଗଠନ କରାଯିବ। ଯେଉଁଥିରେ ଜଷ୍ଟିସ ଏନ୍.ଭି ରମନ୍ନାଙ୍କ ସ୍ଥାନରେ କିଏ ରହିବେ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି।