କରୋନା କଷଣ : ସର୍କସର ସଂଘର୍ଷରେ ଜୋକରର ଯନ୍ତ୍ରଣା

ବିଭୁତି ପତି, ସାମ୍ବାଦିକ

ର୍କସର ନାଁ ଶୁଣିଲେ ଆବାଳ ବୃଦ୍ଧ ବନୀତାଙ୍କ ମନ ଖୁସିରେ ନାଚି ଉଠେ । ତମ୍ବୁ ଭିତରେ ‘ଜୀବନର କଳା ସର୍କସ’, ପ୍ରତିଟି ମଣିଷ ପାଇଁ କାହିଁ କେଉଁ କାଳରୁ ଅନନ୍ୟ ଆକର୍ଷଣ ପାଲଟିଛି । ମଣିଷ ମନକୁ ଅସରନ୍ତି ଖୁସି ଓ ମନୋରମ୍ୟ ଆନନ୍ଦ ଦେଇ ଦେଇ ଦୀର୍ଘ ବର୍ଷ ଧରି ଦୁଃଖ ଦରିଆରେ ଉବୁଟୁବୁ ହୋଇ ସର୍କସ ସଲିଳ ସମାଧି ନେବାକୁ ଯାଉଛି ।
ଜୀବଯନ୍ତୁର ସୁରକ୍ଷା କଟକଣା, ବନ୍ୟପ୍ରାଣୀ ଆଇନ ଏବଂ ଜୀବେ ନିଷ୍ଠୁରତା ନୀତିନିୟମ ମଧ୍ୟରେ ସର୍କସର ନିଃଶ୍ୱାସ ରୁନ୍ଧି ହୋଇ ଗତ କିଛି ଦଶନ୍ଧି ଧରି ବଞ୍ଚିବାକୁ ଛଟପଟ ହୋଇ ଆମମାନଙ୍କୁ ହସଖୁସି ବାଣ୍ଟି ଚାଲିଛି । ହେଲେ ଏବେ ଆଉ ନୁହେଁ । ଆର୍ଥିକ ଅଭାବ, କଳାକାର ଓ ରିଙ୍ଗ ଲିଡ଼ରଙ୍କର ପାରବାରିକ ଅନାଟନ ସାଙ୍ଗକୁ ପାରିଶ୍ରମକ ହ୍ରାସ, ଜୀବଯନ୍ତୁ ସୁରକ୍ଷା କର୍ମୀଙ୍କ କୋର୍ଟ କଚେରୀର ଧମକ, ପ୍ରଶାସନିକ ଅଧିକାରୀଙ୍କ ତାଗିଦା ଏବଂ ସରକାରଙ୍କ ପ୍ରୋତ୍ସାହନର ଅଭାବ, ତମ୍ବୁ ଭିତରେ ସର୍କସର ଉଜ୍ଜଳ ରଙ୍ଗୀନ ଝଲମଲ ଆଲୁଅକୁ ଆଜି ଝାପ୍‌ସା କରିଦେଇଛି । ଖୁବ୍ ଶୀଘ୍ର ଅନ୍ଧାରକୁ ଆଲିଙ୍ଗନ କରି ସର୍କସର ଜୀବନ୍ତ ଦୁଃସାହାସିକ କଳା ଏକ ଦୁସ୍ଥ ମୃତ କଳାରେ ପରିଣତ ହେବାକୁ ବସିଲାଣି । ଆଉ ଠିକ୍ ଏତିକିବେଳେ ବର୍ତ୍ତମାନର ସାର୍ବଦେଶିକ କରୋନା ମହମାରୀ ଭୟଙ୍କର ଦାଉ ସାଧୁଛି ସର୍କସ ଉପରେ । ଏଭଳି ଏକ ସଙ୍କଟଜନକ ସ୍ଥିତିରେ   ଗତ ଏପ୍ରିଲ ୧୬ତାରିଖରେ ପାଳିତ ହୋଇଛି  “ବିଶ୍ୱ ସର୍କସ ଦିବସ’’ ।

କରୋନା କଟକଣାରୁ ମୁକୁଳି ପାରିନି ସର୍କସ । ମାର୍ଚ୍ଚ ୨୪ ତାରିଖ ପରର ଲକ୍ ଡ଼ାଉନ୍ ଭାରତୀୟ ସର୍କସର ସଞ୍ଚିତ ଜୀବଦ୍ଦଶାକୁ ଗ୍ରାସ କରିଛି । ଅର୍ଥାଭାବ ସହିତ ଖାଦ୍ୟାଭାବ ଭାରତର ୩୦ଟି ଛୋଟ ବଡ଼ ସର୍କସ ଦଳ ପାଇଁ ଦୁର୍ଦ୍ଦିନ ଛିଡ଼ା କରିଛି କରୋନା । ସମୟର କଷଟି ପଥରରେ ଜଳି ଜଳି ସର୍କସ ନିଜ ସ୍ମୃତିର ସମାଧି ସଜାଉଥିବା ବେଳେ, ଜୋକରର ଯନ୍ତ୍ରଣା ଜର୍ଜରିତ ଜୀବନ ଜଳୁଛି ସଞ୍ଜ ସକାଳେ ସର୍କସର ତମ୍ବୁ ଭିତରେ । ଗୋଟିଏ ପଟରେ କରୋନା କଷଣର ଆତଙ୍କରେ ନିଜ ଜୁଇ ଜାଳୁଛି ତମ୍ବୁ ଭିତରେ ସର୍କସ, ଅନ୍ୟପଟେ ଜୋକରର ଜୀବନ ଜଳୁଛି ତିଳ ତିଳ ହୋଇ ସେଇ ତମ୍ବୁ ଭିତରେ । ସର୍କସ ପାଇଁ କରୋନା ଭୂତାଣୁ ଡ଼ାକି ଆଣିଛି ଦାରୁଣ ଦୁଃଖ ଓ ଦୁର୍ଦ୍ଦିନ ।

ଏପ୍ରିଲ ୧୬ ତାରିଖ ମାଇ ସଞ୍ଜର ମୁହଁ ଅନ୍ଧାର । ପଶ୍ଚିମ ମୁମ୍ବାଇର ଆଇରୋଲି ଅଞ୍ଚଳରେ ତମ୍ବୁ ବାହାରର ମିଞ୍ଜି ମିଞ୍ଜି ଆଲୁଅରେ ମୁହଁକୁ ଚିତ୍ର ବିଚିତ୍ର ରଙ୍ଗରେ ସଜାଇ, ମୁଣ୍ଡରେ ଟୋପି ପିନ୍ଧି, ଦେହରେ ବିଭିନ୍ନ ରଙ୍ଗ ବେରଙ୍ଗର ଛିଟ ପୋଷାକ ପିନ୍ଧି, ହାତରେ ବଙ୍କୁଲି ବାଡ଼ିଟିଏ ଧରି ଏବଂ ପାଟିରେ ହ୍ୱୁଇସିଲ୍ ଫୁଙ୍କି ଘୁରି ବୁଲୁଥିଲେ ୫୧ ବର୍ଷ ବୟସ୍କ ଗେଟମ୍ ପେଟୁ । ନିଃସହାୟ ନିଃସଙ୍ଗ ଶୂନ୍ୟ ଆକାଶକୁ ଚାହିଁ ଚାହିଁ ଅତୀତ ସର୍କସର ସୁଖ ସମୃଦ୍ଧିର ସ୍ମୃତିକୁ ନିଜ ମନରେ ଉଜ୍ଜିବୀତ କରୁଥିଲେ ଏବଂ ବର୍ତ୍ତମାନ ସର୍କସର ହତଶ୍ରୀ ଦିନର ଯନ୍ତ୍ରଣାକୁ ରୋମନ୍ଥନ କରୁଥିଲେ ଗେଟମ୍ ପେଟୁ । ଏହାରି ଭିତରେ ଗେଟମ୍ ପେଟୁ ଭୁଲିନଥିଲେ ପାଳନ କରିବାକୁ ବିଶ୍ୱ ସର୍କସ ଦିବସର ମହାନ ସମୃଦ୍ଧ ମନୋରଞ୍ଜନର ଇତିହାସକୁ । ସମଗ୍ର ଭାରତରେ ଜଣେ ପ୍ରସିଦ୍ଧ ଜୋକର ଭାବେର ସୁଖ୍ୟାତି ଲାଭ କରିଛନ୍ତି ଗେଟମ୍ ପେଟୁ । ବର୍ତ୍ତମାନ ଗେଟମ୍ ପେଟୁ ରାମ୍ବୋ ସର୍କସରେ ନିଜ ଜୋକର କଳା ଦୀର୍ଘ ବର୍ଷ ଧରି ପ୍ରଦର୍ଶନ କରି ପେଟପାଟଣା ପାଳୁଛନ୍ତି । ଗେଟମ୍ ପେଟୁଙ୍କର ପ୍ରକୃତ ନାମ ବିଜୁ ପୁସ୍କରନ୍ ।

ଏପ୍ରିଲ ୧୬ତାରିଖ, ସେହି ସନ୍ଧ୍ୟାରେ ସର୍କସର ତମ୍ବୁ ଯେତେବେଳେ ଶହ ଶହ ବର୍ଷର ସମୃଦ୍ଧ ଇତିହାସ ବଖାଣୁଥିଲା ସେତିକିବେଳେ କରୋନା କଷ୍ଟରେ ସର୍କସ କଳାକାର ବଖାଣୁଥିଲେ କୋହର କାହାଣୀ । ଆଖିରେ ଲୁହ ଓ ବୁକୁର ବେଦନା ଚପାଇ ଦେଇ ମୁହଁରେ ହସ ଫୁଟାଇ ଗେଟମ୍ ପେଟୁ ସମେତ ଅନ୍ୟ କିଛି ସର୍କସର କଳାକାର କରୋନାର କାୟା ଭିତରେ ସ୍ୱାଗତ କରୁଥିଲେ ଏପ୍ରିଲ ୧୬ ବିଶ୍ୱ ସର୍କସ ଦିବସର ସନ୍ଧ୍ୟାକୁ । ଏପ୍ରିଲ ୧୬ ବିଶ୍ୱ ସର୍କସ ଦିବସର ବାର୍ତ୍ତା ଦେଇ ଭାରତୀୟ ସର୍କସ କଳାକାର କହିଛନ୍ତି, “କରୋନାର କାଳ ଅପସରି ଯିବ….. ଆମେ ପୁଣି ଆପଣଙ୍କ ପାଖକୁ ଆସିବୁ…… ଆପଣଙ୍କୁ ହସାଇବୁ…… ଖୁସି ବାଣ୍ଟିବୁ….. ଆପଣଙ୍କ ଜୀବନକୁ ସରସ ସୁନ୍ଦର କରି ମନୋରଞ୍ଜନରେ ଭରିଦେବୁ । ଆପଣ ଅପେକ୍ଷା କରନ୍ତୁ, ସୁସ୍ଥ ରୁହନ୍ତୁ, ଘରେ ରୁହନ୍ତୁ” । ବିଶ୍ୱ ସର୍କସ ଦିବସକୁ ସ୍ୱାଗତ କରିବାକୁ ଏପ୍ରିଲ ୧୬ ସନ୍ଧ୍ୟାରେ ନିଜର ଦୁଃଖ ଯନ୍ତ୍ରଣା ଭୁଲିଯାଇ, କରୋନା କଷ୍ଟ ଓ ଆତଙ୍କକୁ ଖାତିର ନକରି, ସାମାଜିକ ଦୂରତା ବଜାୟ ରଖି ସର୍କସ କଳାକାରମାନେ ବିନା ଦର୍ଶକରେ କିଛି ଖେଳ ପ୍ରଦର୍ଶନ କରିଥିଲେ । ବିଶ୍ୱ ସର୍କସ ଦିବସ ପ୍ରତି ଏହା ଥିଲା ସେମାନଙ୍କର ସମ୍ମାନ, ଶ୍ରଦ୍ଧା ଓ ଭକ୍ତିର ଶ୍ରଦ୍ଧାଞ୍ଜଳୀ । କରୋନା କଷ୍ଟରୁ ଉଦ୍ଧାର କରିବାକୁ ମରିଯାଉଥିବା ଏକ ଜୀବନ୍ତ କଳାକୁ ବଞ୍ଚାଇ ରଖିବାକୁ ଏକ ସ୍କ୍ରନ୍ ଭିଡ଼ିଓ ମାଧ୍ୟମରେ ବିଶ୍ୱ ସର୍କସ ଦିବସର ଅବସରରେ ନିବେଦନ କରିଛନ୍ତି ସର୍କସର ସମସ୍ତ ସାଥୀ କଳାକାର । ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ବାସ୍ତବଧର୍ମୀ ଥିଲା ସେହି ସନ୍ଧ୍ୟାର ଦୃଶ୍ୟ ଓ ତାର ବର୍ଣ୍ଣନା ।

ଅତି ଆବେଗଭରା କଣ୍ଠରେ ଗେଟମ୍ ପେଟୁ କୁହନ୍ତି, “ସେଦିନ ସନ୍ଧ୍ୟାରେ ସର୍କସର ଦର୍ଶକ ଥିଲୁ ଆମେ ତଥା ଦୁଃସାହାସିକ କ୍ରୀଡ଼ା ପ୍ରଦର୍ଶନ କରିବା କଳାକାର ବି ଥିଲୁ ଆମେ । ଆଉ ଶେଷରେ କରତାଳି ହିଁ ଦେଉଥିଲୁ ଆମେ । ଉପଭୋଗ କରୁଥିଲୁ ଏବଂ ଲୁହ ଝରାଉଥିଲୁ । ତଥାପି ଆମେ ବହୁତ ଖୁସି । କରୋନାର କଷ୍ଟ ଭିତରେ ଆମେ ବିଶ୍ୱ ସର୍କସ ଦିବସର ମହାନ ପରମ୍ପରାକୁ ଜୀବିତ ରଖିପାରିଲୁ । ମାସ୍କ ପିନ୍ଧି ସାମାଜିକ ଦ୍ୱରୂତ୍ୱ ବଜାୟ ରଖି ସର୍କସରେ ନିଜ ପାଇଁ ନିଜେ ଖେଳ ପ୍ରଦର୍ଶନ କରିବାର ଏହା ଥିଲା ନିଆରା ଅନୁଭବ । କରୋନା କାୟାରୁ ମଣିଷକୁ ସୁରକ୍ଷିତ କରିବାକୁ ଧୂପଦେଇ ପ୍ରାର୍ଥନା କରି ତମ୍ବୁର ପରଦା ଉଠାଇ ଆରମ୍ଭ କରିଥିଲୁ ସର୍କସ ।


“ପଶ୍ଚିମବଙ୍ଗ ଅଲମ୍ପିଙ୍କ ସର୍କସର ମୁଖ୍ୟ ପରିଚାଳକ ଚନ୍ଦ୍ରକାନ୍ତ ବାନାର୍ଜୀ ତାଙ୍କ ସର୍କସର ତମ୍ବୁ ଡ଼ୋରିକୁ ଲକ୍‌ଡ଼ାଉନ୍‌ର ସାତଦିନ ପରେ ବାନ୍ଧିଦେଲେ । ସର୍କସ ଦଳର ୭୫ ସଦସ୍ୟଙ୍କୁ ଘରକୁ ଚାଲିଯିବାକୁ କହିଲେ । ଯଦି କରୋନା କବଳରୁ ଉଦ୍ଧାର ମିଳିଲା ତେବେ ସେମାନଙ୍କୁ ପୁନଶ୍ଚ ଡ଼ାକିବେ ଏବଂ ତମ୍ବୁର ଡ଼ୋରି ଖୋଲିବେ ବୋଲି ଆଶ୍ୱାସନା ଦେଲେ । ଆପଣ ଭାବନ୍ତୁ ଜଣେ କଳାକାର କିପରି ଚଳିବ? କେଉଁଠାରେ ଅଛି ସରକାରଙ୍କ ସହାୟତା? କିଏ ବୁଝିବ ସର୍କସର ଦୁଃଖ ? ବୟସର ଛାପ ଚେହେରାରୁ ଥରେ ଚାଲିଗଲେ ସର୍କସ ଦଳରୁ ଜୀବନର ଦୁର୍ଦ୍ଦିନ ଆରମ୍ଭ ହୁଏ । ଆଜି ସବୁ ଦୁଃଖ କଷ୍ଟକୁ ବଳିଯାଇଛି କରୋନାର କଷ୍ଟ । କରୋନା ପାଇଁ ଆଜି ଆମେ କାଙ୍ଗାଳ” । ନିଜର ନାମ ଗୋପନ ରଖି ଆଖିରୁ ଲୁହ ଝରାଇ ଏ ପ୍ରଶ୍ନ କରୁଥିଲେ ସର୍କସରେ ସାଇକେଲ ଖେଳ ପ୍ରଦର୍ଶନ କରୁଥିବା ଜଣେ ତରୁଣୀ ।

ଗ୍ରେଟ୍ ବମ୍ବେ ସର୍କସ ତାମିଲନାଡ଼ୁର ମନାରଗୁଡ଼ି ସହରରେ ସର୍କସ ଖେଳ ଦେଖାଇବାକୁ ତମ୍ବୁ ପକାଇ ସମସ୍ତ ପ୍ରସ୍ତୁତ ସାରିଦେଇଥିଲା । ହଠାତ୍ କରୋନାର କାଳ ମାଡ଼ି ଆସିଲା । ଲକ୍‌ଡ଼ାଉନ୍ ହୋଇଗଲା । ଏକମାସରୁ ଉର୍ଦ୍ଧ୍ୱ ସମୟ ଧରି ଆମେ ବର୍ତ୍ତମାନ ଅଭାବ ଅନାଟନ ଭିତରେ ଦିନ କାଟୁଛୁ ଏବଂ ଖାଦ୍ୟାଭାବର ସମସ୍ୟା ମଧ୍ୟ ଭୋଗୁଛୁ । ସ୍ଥାନୀୟ ପ୍ରଶାସନ ଯଥେଷ୍ଟ ସାହାଯ୍ୟ ସହଯୋଗ କରୁଛନ୍ତି । ସେମାନଙ୍କର ନୀତି ନିୟମ ଓ ନିର୍ଦ୍ଦେଶ ଅନୁଯାୟୀ ଅନୁକମ୍ପା ଓ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ଗୋଟିଏ ସର୍କସ ଦଳ ପାଇଁ ତାହା ଯଥେଷ୍ଟ ନୁହେଁ । ଆୟ ନାହିଁ, ସଞ୍ଚୟ ସରିଯାଉଛି ସର୍କସର । ଏହାରି ଭିତରେ ବଢ଼ି ଚାଲୁଛି କରୋନା କଷ୍ଟ । ତଥାପି ଅପେକ୍ଷା କରିଛି ଲକ୍‌ଡ଼ାଉନ୍ ଉଠିବା ପରେ ପରିସ୍ଥିତି ଆମପାଇଁ କିପରି ସହାୟକ ହେବ । କିନ୍ତୁ ସାମାଜିକ ଦୂରତାର କରୋନା କଟକଣାରେ ସର୍କସ ଚଲାଇବା ବୋଧହୁଏ ଆଉ ସମ୍ଭବ ହେବନି । ଦୁଃଖରେ କୁହନ୍ତି ପି.ଭି. ଜୟପ୍ରଶାନ।

ଆଜକୁ ଦୁଇ ଦଶନ୍ଧି ତଳେ ଭାରତରେ ସକ୍ରିୟ ଭାବେ ୨୩ଟି ବୃହତ୍ତ ସର୍କସ ଦଳ ସଂଘର୍ଷ କରି ବଞ୍ôଚ ରହିଥିଲା । ଏହି ସର୍କସ ଦଳମାନେ ‘ଜାତୀୟ ସର୍କସ ମହାସଂଘ’ ମାଧ୍ୟମରେ ଏକାଠି ହୋଇ ଭାରତରେ ନିଜ ନିଜର ସର୍କସ ପରମ୍ପରାକୁ ବଜାୟ ରଖିବାକୁ ସମସ୍ତ ପ୍ରୟାସ କରିଥିଲେ । ଏମାନଙ୍କ ସହିତ ପ୍ରାୟ ୩୦୦ରୁ ଅଧିକ ଛୋଟ ଛୋଟ ସର୍କସ ଦଳ ମଧ୍ୟ ରହିଥିଲେ । ୨୦୧୩ରେ ଯେତେବେଳେ ବନ୍ୟ ପ୍ରାଣୀଙ୍କୁ ସର୍କସରେ ସମ୍ପୂର୍ଣ୍ଣ ବ୍ୟାନ୍ କରି କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଗଲା ଠିକ୍ ସେତିକିବେଳେ ଶିଶୁ ସର୍କସ କଳାକାରଙ୍କ ଖେଳ ପ୍ରଦର୍ଶନରେ ମଧ୍ୟ ଅଙ୍କୁଶ ଲାଗିଲା । ଏହାଦ୍ୱାରା ଅନେକ ସର୍କସ ଦଳ ଋଣ ଭାରରେ ବୁଡ଼ିଗଲେ ଏବଂ ସମ୍ପୂର୍ଣ୍ଣ ଦେବାଳିଆ ହୋଇପଡ଼ିଲେ । ଧୀରେ ଧୀରେ ସର୍କସ ତାର ଆକର୍ଷଣ ହରାଇବାକୁ ବସିଲା।

ବର୍ତ୍ତମାନ ଭାରତରେ ୧୦ ରୁ କମ୍ ସ୍ୱିକୃତୀପ୍ରାପ୍ତ ବଡ଼ ସର୍କସ ଦଳ ରହିଛି । ସେଥିରୁ ଅଧିକାଂଶ ଆଜି ଏକରକମ ସ୍ଥାଣୁ ପାଲଟିଯାଇଛନ୍ତି । ୨୫ଟି ଛୋଟ ସର୍କସ ଦଳ ଅତି ଦୁଃସ୍ଥତା ଭିତରେ ବଞ୍ôଚ ରହିଛନ୍ତି । ପ୍ରାୟ ୧୫୦୦ ସ୍ୱିକୃତୀପ୍ରାପ୍ତ ପେଶାଦାର ସର୍କସ କଳାକାର ଭାରତରେ ରହିଛନ୍ତି । ଏଇମାନଙ୍କ ଭିତରେ ଦୁଃସାହାସିକ ଶାରିରୀକ ଖେଳ ପ୍ରଦର୍ଶନ କରୁଥିବା ‘ସର୍କସ ଖିଲାଡ଼ି’ ଅଛନ୍ତି । ସର୍କସ ଖିଲାଡ଼ିମାନେ ମୁଖ୍ୟତଃ ମଣିପୁରର ଅପହଞ୍ଚ ପାହାଡ଼ିଆ ଅଞ୍ଚଳରୁ ଆସିଥାନ୍ତି । ଏମାନେ ନିଜର ଦଳବଳ ଧରି ସର୍କସରେ ସାମିଲ ହୁଅନ୍ତି । ଏହି ଦୁଃସାହାସିକ ଖେଳ ପ୍ରଦର୍ଶନ କରୁଥିôବା ଦଳ ଯଥେଷ୍ଟ ଅଧିକ ଆଗୁଆ ପାରିଶ୍ରମିକ ଅର୍ଥ ଦାବୀ କରନ୍ତି । ୨୦୧୬ ସମୟର ବିମୁଦ୍ରୀକରଣ ସେମାନଙ୍କ ଜୀବନରେ ଘୋର ସମସ୍ୟା ସୃଷ୍ଟି କରିଥିଲା । କାରଣ ଦଳଛାଡ଼ି ସେମାନେ ଘରକୁ ଯାଇପାରିନଥିଲେ ଏବଂ ଘରକୁ ଫେରିଲା ବେଳକୁ ଅପହଞ୍ଚ ଅଞ୍ଚଳରୁ ଦୂର ଦୂରାନ୍ତରେ ଥିôବା ମୁଦ୍ରା ବଦଳ କରିବା ବେଳକୁ ସମୟ ଅତିକ୍ରାନ୍ତ ହୋଇଯାଇଥିଲା । ଯେଉଁମାନଙ୍କ ଘରେ ଏହି କାର୍ଯ୍ୟ କରିବା ପାଇଁ ପରିବାର ସଦସ୍ୟ ନଥିଲେ ସେମାନଙ୍କର ହଜାର ହଜାର ଟଙ୍କା ନଷ୍ଟ ହୋଇଗଲା । ଏହାପରେ ବର୍ତ୍ତମାନର କରୋନ ଭାଇରସ ସବୁକୁ ବଳିଯାଇଛି । ଏହା ସର୍କସ ଦଳକୁ ଜୀବନର ଶେଷ ଦୃଶ୍ୟ ଆଡ଼କୁ ଟାଣି ନେଉଛି ବୋଲି କୁହନ୍ତି ସର୍କସର ଜୈନିକ ମ୍ୟାନେଜର ମାୟାକାନ୍ତ ।

‘ଭାରତୀୟ ଜାତୀୟ ସର୍କସ ମହାସଂଘ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସର୍କସ ଓ ସର୍କସ ସଦସ୍ୟଙ୍କର ସୁରକ୍ଷା ପାଇଁ ପତ୍ର ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜ ପତ୍ରରେ ଅନୁରୋଧ କରି ସର୍କସ ମହାସଂଘ କହିଛି, ଏହି ଦୁଃସାହାସିକ ଜୀବନ୍ତ କଳାକୁ କରୋନା କବଳରୁ ବଞ୍ଚାଇବାକୁ ପଡ଼ିବ । ଏଥିପାଇଁ ମହାମାରୀ ସମୟରେ ଆର୍ଥିକ ସହାୟତା ସହିତ କମ ସୁଧରେ ବ୍ୟାଙ୍କ୍ ଲୋନ୍‌ର ସାହାଯ୍ୟ ନିତାନ୍ତ ଆବଶ୍ୟକ । କରୋନା କଟକଣାରେ ସର୍କସ ପ୍ରଦର୍ଶନ ସମ୍ଭବ ନୁହେଁ । ଲକ୍ ଡ଼ାଉନ୍ ଉଠିବା ପରେ ମଧ୍ୟ କରୋନାର ମୁକାବିଲା ପାଇଁ ଯେଉଁ ନିୟମ ବଳବତ୍ତର ରହିଛି ଏବଂ ରହିବ ସେଭଳି ପରିସ୍ଥିତିରେ ସର୍କସ ପ୍ରଦର୍ଶନ ହୋଇପାରିବ ନାହିଁ । କରୋନା ଭ୍ୟାକ୍ସିନ୍ ନବାହାରିବା ଏବଂ ସମଗ୍ର ବିଶ୍ୱ ସୁରକ୍ଷିତ ନହେବା ପର୍ଯ୍ୟନ୍ତ ତମ୍ବୁର ଡ଼ୋରି ବନ୍ଧା ରହିବ । ତେଣୁ ଭାରତର ପ୍ରଧାନମନ୍ତ୍ରୀ ଏହାକୁ ବୁଝିପାରି ସହାୟତାର ହାତ ବଢ଼ାନ୍ତୁ ।

ବିଶ୍ୱ ସର୍କସ ଦିବସ ଅବସରରେ ‘ୱାର୍ଲ୍ଡ ସର୍କସ ଫେଡ଼େରେସନ୍‌’ର ସହକାରୀ ନିର୍ଦ୍ଦେଶକ ଜସୁଜ୍‌ସାର୍ଣ୍ଣା ମଟ୍ଟା ବାର୍ତ୍ତା ଦେଇଛନ୍ତି, “ବିଶ୍ୱ ସର୍କସର ଇତିହାସକୁ ସାର୍ବଦେଶିକ ମହାମାରୀ ସମ୍ପୂର୍ଣ୍ଣ ଓଲଟପାଲଟ କରିଦେବ । ରୋଜଗାର ହରାଇ ଏବଂ ଆୟ ନଥାଇ ବ୍ୟୟ ବଢ଼ି ଚାଲିଥିବା ବେଳେ ସର୍କସ ତାର ଜୀବିକା ହରାଇବା ନିଶ୍ଚିତ ହୋଇଛି । ସର୍କସ ଚଳାଇବା ଏକରକମ ଅସମ୍ଭବ ହୋଇପଡ଼ିଥିବା ବେଳେ ସର୍କସ ସଦସ୍ୟମାନଙ୍କର ପରିବାର ପୋଷିବା ନିତାନ୍ତ କଷ୍ଟକର ହୋଇଗଲାଣି । ସର୍କସ ପରିଚାଳକମାନେ ସେମାନଙ୍କ ସଦସ୍ୟମାନଙ୍କର ଜୀବନ ଜୀବିକା ଅଧିକ ଦିନ ସୁରକ୍ଷିତ କରିପାରିବେ ନାହିଁ । ଅନ୍ୟପଟରେ ସର୍କସର ବିଭିନ୍ନ ପ୍ରାଣୀମାନଙ୍କୁ ଖାଦ୍ୟ ପେୟ ଯୋଗାଇ ସେମାନଙ୍କର ସୁରକ୍ଷା କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି । ହୁଏତ ଆଗାମୀ ଦିନରେ ମନୋରଞ୍ଜନର ଅସରନ୍ତି ଭଣ୍ଡାର ସର୍କସ ବର୍ତ୍ତମାନ ସବୁଦିନ ପାଇଁ ସ୍ମୃତିର ସାଗରରେ ଲୀନ ହୋଇଯିବା । ସର୍କସର ଉଦ୍ଧାର ପାଇଁ ମଟ୍ଟା ବିଶ୍ୱ ସମୁଦାୟକୁ ନିବେଦନ କରିଛନ୍ତି ।

କରୋନା କଷ୍ଟର ଆତଙ୍କରେ ବିଶ୍ୱ ସର୍କସ ଦିବସ ସୂଚାଇ ଦେଇଛି, ତଳି ତଳାନ୍ତ ତମ୍ବୁରେ ରୂପ ରାଇଜର ମାୟାନଗରୀ ଆଜି ମହାମାରୀର ମହାପ୍ରଳୟରେ ମୃତ୍ୟୁ ମୁହଁରେ ଛିଡ଼ାହୋଇଛି । କଳାକାରର କରୁଣ କାହାଣୀ ପ୍ରତିଛବି ହେଉଛି ଜୋକରର ଯନ୍ତ୍ରଣାରେ । ଏହାରି ଭିତରେ ଶେଷ ଦୃଶ୍ୟର ଅସ୍ତମିତ ଆଲୁଅରେ ସମସ୍ତଙ୍କୁ ‘ଗୁଡ଼୍‌ବାଏ’ କହି ସର୍କସ ପରଦା ପଛରେ କାନ୍ଦି କାନ୍ଦି ମେଲାଣି ମାଗୁଛି ନିଜର ଏକାନ୍ତ ଅନୁଗତ ପ୍ରିୟ କରତାଳିକୁ।

(ଲେଖକ ଜଣେ ସାମ୍ବାଦିକ। ଏହି ସନ୍ଦର୍ଭରେ ପ୍ରକାଶିତ ମତାମତ ତାଙ୍କ ବ୍ୟକ୍ତିଗତ ଅନୁଶୀଳନ ଉପରେ ଆଧାରିତ। ଲେଖକଙ୍କୁ ଯୋଗାଯୋଗ ଠିକଣା ହେଲା: ସଫ୍‌ଦରଜଙ୍ଗ୍ ଏନ୍‌କ୍ଲେଭ, ନୂଆଦିଲ୍ଲୀ, ଫୋନ୍‌ ନମ୍ବର: ୯୯୧୦୭୪୦୮୩୯)

Leave a Reply

Your email address will not be published.