ଜାଣିରଖନ୍ତୁ କ୍ରୀସ୍‌ମାସ୍‌ କରୋଲ୍‌ର କାହାଣୀ

ଦେବୀ ଦେବତାଙ୍କୁ ପୂଜା କରିବା ସମୟରେ ହିନ୍ଦୁମାନେ ବିଭିନ୍ନ ଶ୍ଲୋକ, ଭଜନ ଓ ଜଣାଣ ଆଦି ଗାଇଥାନ୍ତି । ଠିକ୍ ସେହିପରି ଖ୍ରୀଷ୍ଟଧର୍ମାବଲମ୍ବୀମାନେ ‘କାରୋଲ୍’ ମାଧ୍ୟମରେ ଯୀଶୁଙ୍କ ପ୍ରତି ତାଙ୍କ ଭକ୍ତି ଜଣାଇଥାନ୍ତି । ପ୍ରକୃତରେ କ୍ୟାରୋଲ୍ କେବେ ଆରମ୍ଭ ହୋଇଥିଲା ତାହାର ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ । ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ପୂର୍ବରୁ କାରୋଲ୍ର ପରମ୍ପରା ରହିଥିବା ଜଣାଯାଏ ।

ନାଚ ଗୀତ ଖୁସିକୁ ସଙ୍ଗୀତରେ ପ୍ରକାଶ କରିବାର ପରମ୍ପରାକୁ ‘କାରୋଲ୍’ କୁହାଯାଏ । ବର୍ଷର ପ୍ରମୁଖ ୪ ଋତୁ ପାଇଁ କାରୋଲ୍ର ପରମ୍ପରା ରହିଥିଲେ ହେଁ ଶୀତଋତୁ ବା ଡିସେମ୍ବର ମାସରେ କାରୋଲ୍ର ମହତ୍ତ୍ୱ ରହିଛି । ବିଶ୍ୱର ପ୍ରଥମ ଖ୍ରୀଷ୍ଟମାସ୍ କାରୋଲ୍ ରୋମ୍‌ରେ ୧୨୯ଖ୍ରୀଷ୍ଟାବ୍ଦରେ ଜଣେ ବିଶପ୍‌ଙ୍କ ପରାମର୍ଶରେ ଗାନ କରାଯାଇଥିଲା । ଏହାପରେ ଜେରୁଜେଲମର ଏକ ଚର୍ଚ୍ଚ ପାଇଁ କୋମାସ୍‌ଙ୍କ ଦ୍ୱାରା ଏବଂ ତାଙ୍କ ପରେ ଏକାଧିକ କବିଙ୍କ ଦ୍ୱାରା କାରୋଲ୍ ଲେଖାଯାଇଥିଲା । ଏହି ପ୍ରଥା କିଛିଦିନ ଚାଲିବାପରେ ଦ୍ୱାଦଶ ଶତାବ୍ଦୀ ବେଳକୁ କାରୋଲ୍ ପ୍ରତି ଲୋକଙ୍କ ଆଗ୍ରହ ଓ ଗୁରୁତ୍ୱ କମିବାରେ ଲାଗିଲା । ଏହାପଛର ମୂଳକାରଣ ଥିଲା ଲାଟିନ୍ ଭାଷା, ଯାହାକି ସମସ୍ତଙ୍କ ପାଇଁ ବୁଝିବା କଷ୍ଟକର ହୋଇଥିଲା ।

୧୪୧୦ ଖ୍ରୀଷ୍ଟାବ୍ଦରେ କାରୋଲ୍ଗୁଡ଼ିକ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇଥିଲା । ଏହି ଉଦ୍ୟମ କାରୋଲକୁ ଲୋକପ୍ର୍ରିୟ କରିଥିଲେ ହେଁ ମୂଳ କାହାଣୀଠାରୁ ଦୂରେଇ ଯାଇଥିଲା । କାରୋଲଗୁଡ଼ିକରେ ଆଧ୍ୟାତ୍ମିକ ଭାବନା ବଦଳରେ କେତେକ ମନଗଢ଼ା କାହାଣୀ ସ୍ଥାନ ପାଇଲା । ସେହିପରି ଅନେକ ସ୍ଥାନରେ ଏହାକୁ ଏକ ଧାର୍ମିକ ସଙ୍ଗୀତ ବଦଳରେ ମନୋରଞ୍ଜନର ମାଧ୍ୟମ ଭାବେ ଗ୍ରହଣ କରାଯାଇଥିଲା । ଲୋକମାନେ ଆଉ ଚର୍ଚ୍ଚକୁ ନଯାଇ ନିଜ ଘରେ କାରୋଲ୍ ଗାଇବା ଆରମ୍ଭ କରିଥିଲେ ।

୧୬୪୭ ମସିହାରେ ଇଂଲଣ୍ଡରେ ପୁଣି ଏହା ଉପରେ କଟକଣା ଜାରି କରାଯାଇଥିଲା । ଏହାପରେ ଲୋକମାନଙ୍କ ସ୍ମୃତିରେ ଓ ଗୋପନୀୟ ଭାବରେ କାରୋଲ୍ ବଞ୍ଚି ରହିଲା । ଭିକ୍ଟୋରିଆନ୍ ଶାସନ ଅମଳରେ ୱିଲିୟମ୍ ସ୍ୟାଣ୍ଡିସ୍ ଓ ଡେଭିସ୍ ଗିଲବର୍ଟ ଏହାର ପୁନରୁଦ୍ଧାର କରିଥିଲେ । ଇଂଲଣ୍ଡର ବିଭିନ୍ନ ଗ୍ରାମରୁ ପୁୁରୁଣା କାରୋଲ୍ ସଙ୍ଗୀତକୁ ସଂଗ୍ରହ କରାଯାଇଥିଲା କାରୋଲ୍ ସାର୍ବଜନୀନ ହେବା ପୂର୍ବରୁ କେବଳ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ କ୍ରୀସମାସ୍ ପୂର୍ବ ରାତିରେ କାରୋଲ୍ ଗାଇବାର ଅଧିକାର ଥିଲା । ସେମାନଙ୍କୁ ‘ୱେଟସ୍’ କୁହାଯାଉଥିଲା ।

Leave a Reply

Your email address will not be published.