କ୍ରୀସମାସ୍ କାର୍ଡ କେମିତି ଆରମ୍ଭ ହେଲା ଆଉ ଏବେକାର ସ୍ଥିତି
ସମାସ୍ ସହିତ ଜଡ଼ିତ ବିଭିନ୍ନ ପରମ୍ପରା ମଧ୍ୟରୁ କ୍ରୀସମାସ୍ କାର୍ଡ ବା ଅଭିନନ୍ଦନ ପତ୍ର ପ୍ରେରଣ କରିବା ଅନ୍ୟତମ । ସର୍ବପ୍ରଥମେ ୧୮୪୨ ମସିହାରେ ୱିଲିୟମ୍ ଏଞ୍ଜେଲଙ୍କ ଦ୍ୱାରା କ୍ରୀସମାସ୍ କାର୍ଡ ପ୍ରେରଣ ହୋଇଥିଲା । ଉକ୍ତ କାର୍ଡରେ ଗୋଟିଏ ରାଜ ପରିବାରର ଚିତ୍ର ଅଙ୍କିତ ହୋଇଥିଲା ଏବଂ ଅନ୍ୟ କେତେଜଣ ବ୍ୟକ୍ତି ସେମାନଙ୍କର ବନ୍ଧୁଙ୍କର କୁଶଳ କାମନା କରି ଅଭିନନ୍ଦନ ଜଣାଉଥିଲେ । ଏହି ଦୃଶ୍ୟ ସହିତ ଲେଖା ଯାଇଥିଲା – ‘ ୱିଲିୟମ୍ ଏଞ୍ଜେଲଙ୍କ ବନ୍ଧୁମାନଙ୍କର କ୍ରୀସମାସ୍ ଶୁଭ ହେଉ’ । ସେହି ସମୟରେ ଏଭଳି ଏକ କାର୍ଡ ମାଧ୍ୟମରେ ଅଭିନନ୍ଦନ ଜଣାଇବା ପ୍ରୟାସ ନୂଆ ହୋଇଥିବାରୁ କାର୍ଡକୁ ରାଣୀ ଭିକ୍ଟୋରିଆଙ୍କୁ ଦେଖାଯାଇଥିଲା । ଏଥିରେ ରାଣୀ ଭିକ୍ଟୋରିଆ ଖୁସି ହୋଇ ରାଜ ପରିବାରର ଚିତ୍ରକାରଙ୍କୁ ଡକାଇ ରାଜକୀୟ ଢଙ୍ଗରେ ଅଭିନନ୍ଦନ କାର୍ଡ ପ୍ରସ୍ତୁତ କରିବା ପାଇଁ ଆଦେଶ ଦେଇଥିଲେ । ସମୟାନୁକ୍ରମେ ତାହା ଏକ ପରମ୍ପରାରେ ପରିଣତ ହୋଇଥିଲା । ୧୮୭୦ରେ ଏହି କାର୍ଡ ପରମ୍ପରା ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ପ୍ରଚଳିତ ହେଲା ।
ଜନଶ୍ରୁତି ଅନୁଯାୟୀ ସେହି ସମୟରୁ କ୍ରୀସ୍ମାସ୍ କାର୍ଡ ବା ଅଭିନନ୍ଦନ ପତ୍ର ପ୍ରେରଣର ପରମ୍ପରା ରହିଆସିଛି । ଅନ୍ୟ ଏକ ତଥ୍ୟ ଅନୁଯାୟୀ ଇଂଲଣ୍ଡରେ ୧୮୪୨ ମସିହାରେ ଜଣେ ସାଧାରଣ ସରକାରୀ କର୍ମଚାରୀ ଓ ପରବର୍ତ୍ତୀ ସମୟରେ ପୋଷ୍ଟ ଅଫିସ୍ର ପରିକଳ୍ପନା କରିଥିବା ସାର ହେନେରି କୋଲ୍ ତାଙ୍କ ଚିତ୍ରକର ବନ୍ଧୁ ଜନ୍ ହର୍ସିଲିଙ୍କ ସହିତ ମିଶି ପ୍ରଥମ କ୍ରୀସ୍ମାସ୍ କାର୍ଡର ପରିକଳ୍ପନା କରିଥିଲେ । ତିନି ପୃଷ୍ଠା ସମ୍ବଳିତ ଏହି କାର୍ଡ ସେତେବେଳେ ୧ ସିଲିଂ ମୂଲ୍ୟରେ ବିକ୍ରି ହେଉଥିଲା । କାର୍ଡର ପ୍ରଥମ ଓ ଶେଷ ପୃଷ୍ଠାରେ ଦୁଃସ୍ଥମାନଙ୍କୁ ସେବା କରିବାର ଚିତ୍ର ଥିବା ବେଳେ ମଝି ପୃଷ୍ଠାରେ ଏକ ବୃହତ୍ କ୍ରୀସ୍ମାସ୍ ରାତ୍ରିଭୋଜିର ଚିତ୍ର ଥିଲା । ଚିତ୍ରରେ ଜଣେ ଶିଶୁକୁ ମଦ ପରସା ଯାଉଥିବା ଦୃଶ୍ୟ ଥିôବାରୁ ଅନେକ ଲୋକ ଏହି କାର୍ଡକୁ ନାପସନ୍ଦ କରିଥିଲେ । ଉନ୍ନତ ମୁଦ୍ରଣ ଜ୍ଞାନକୌଶଳ ପ୍ରଚଳନ ପରେ ୧୮୬୦ ମସିହାରେ କ୍ରୀସ୍ମାସ୍ କାର୍ଡ ବିକ୍ରି ଓ ପ୍ରଚଳନ ସଂଖ୍ୟା ବୃଦ୍ଧି ପାଇଲା । ସାଧାରଣ ଓ ଗରିବ ଲୋକ ଏହି କ୍ରୀସମାସ୍ କାର୍ଡ ପଠାଇବା ପାଇଁ ଡାକ ପ୍ରେରଣ ଖର୍ଚ୍ଚ ଅଧାକୁ କମାଇ ଦିଆଯାଇଥିଲା ।
ରାଣୀ ଭିକ୍ଟୋରିଆଙ୍କ ପରବର୍ତ୍ତୀ ଶାସନ କାଳରେ କ୍ରୀସମାସ୍ କାର୍ଡରେ ପ୍ରତୀକାତ୍ମକ ଛବି ରହିବା ପରମ୍ପରା ଆରମ୍ଭ ହେଲା । ପ୍ରଥମ ଛବି ଥିଲା ଇଂଲଣ୍ଡର ରବିନ୍ ନାମକ ପକ୍ଷୀ ଓ ତୁଷାରପାତ । ଏହି କାର୍ଡ ବାଣ୍ଟୁଥିବାରୁ ପୋଷ୍ଟମ୍ୟାନ୍ମାନଙ୍କ ନିକ୍ ନେମ୍ ଥିଲା ‘ରବିନ୍ ପୋଷ୍ଟମ୍ୟାନ୍’ । କ୍ରୀସମାସ୍ କାର୍ଡରେ ଗଛ, ଫୁଲ ଓ ଶିଶୁଙ୍କୁ ସ୍ଥାନିତ କରିବା ପରମ୍ପରା ଜର୍ମାନୀ ବାସିନ୍ଦା ଲୁଇସ୍ ପ୍ରାଙ୍ଗ ଆରମ୍ଭ କରିଥିଲେ । ୧୯୧୫ରେ ଜନ୍ ସି ହଲ୍ ଓ ତାଙ୍କର ଦୁଇ ଭାଇ ମିଶି ହଲ୍ମାର୍କ କାର୍ଡ ଆରମ୍ଭ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ କାର୍ଡ ବଜାରରେ ଆଧିପତ୍ୟ ବଜାୟ ରଖିଛି । ୧୮୯୧ମସିହାରେ ଆନି ଓକ୍ଲେ ପ୍ରଥମ ବ୍ୟକ୍ତିଗତ ଫଟୋ ସମ୍ବଳିତ କାର୍ଡ ପଠାଇଥିଲେ । ୧୯୨୦ରୁ ହାତ ତିଆରି କାର୍ଡ ପ୍ରସ୍ତୁତ ହେଲା ଏବଂ ଡାକ ବଦଳରେ ବ୍ୟକ୍ତିଗତ ଭାବେ କାର୍ଡ ବାଣ୍ଟିବା ଆରମ୍ଭ ହୋଇଥିଲା । କିନ୍ତୁ ସଭ୍ୟତା ଓ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶକ୍ରମେ ଉକ୍ତ ଅଭିନନ୍ଦନ ପରମ୍ପରା ବର୍ତ୍ତମାନ ‘ଇ-କାର୍ଡ’କୁ ରୂପାନ୍ତରିତ ହୋଇଛି ।