କ୍ରୀସ୍ମାସ୍ କ’ଣ, କେମିତି ପାଳନ ହୁଏ
ଡିସେମ୍ବର ୨୫ ତାରିଖରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ପବିତ୍ର କ୍ରୀସ୍ମାସ୍ ଡେ’ ଭାବେ ପାଳନ କରାଯାଏ । ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ପାଇଁ ଏହା ସବୁଠାରୁ ବଡ଼ ଉତ୍ସବ । କାରଣ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ମାନବଜାତିର ଉଦ୍ଧାର ପାଇଁ ପୃଥିବୀ ପୃଷ୍ଟରେ ଅବତାର ଗ୍ରହଣ କରିଥିଲେ । ପ୍ରାୟ ୧୫ ଦିନ ପୂର୍ବରୁ ଉତ୍ସବର ପୂର୍ବ ପ୍ରସ୍ତୁତି ଆରମ୍ଭ କରାଯାଏ । କେଉଁ କେଉଁ ଦେଶରେ ଏହାକୁ ୧୨ ଦିନ ଧରି ପାଳନ କରାଯାଉଥିବାବେଳେ ଆମେରିକାରସ୍ଥିତ ସାଣ୍ଟାକ୍ଲଜ୍ ନାମକ ଏକ ସ୍ଥାନରେ ବର୍ଷସାରା କ୍ରୀସ୍ମାସ୍ ଉତ୍ସବ ପାଳନ କରାଯାଇଥାଏ । ଏହି ଉତ୍ସବ ସହିତ ଜଡ଼ିତ କେତେକ ପରମ୍ପରା ଆଜି ମଧ୍ୟ ଦେଖିବାକୁ ମିଳୁଛି । ଉତ୍ସବର ମୁଖ୍ୟ ପରମ୍ପରା ହେଉଛି କ୍ରୀସ୍ମାସ୍ ଟ୍ରୀ, ଉପହାର, କେକ୍ ପ୍ରସ୍ତୁତି, ଅଭିନନ୍ଦନ କାର୍ଡ଼ କିମ୍ବା ଗ୍ରିଟିଙ୍ଗ୍ସ ଓ କ୍ରୀସ୍ମାସ କ୍ୟାରୋଲ୍ । ଏହି ପରମ୍ପରା ଓ ଉତ୍ସବକୁ ନେଇ ଏକ ବିଶେଷ ଆଲେଖ୍ୟ
କ୍ରୀସ୍ମାସ ଟ୍ରୀ – ଯୀଶୁଙ୍କ ଜଦ୍ମଦିନରେ ଚର୍ଚ୍ଚ ଓ ପ୍ରତି ଘରେ କ୍ରୀସ୍ମାସ ଟ୍ରୀ ରଖି ତାହାକୁ ବିଭିନ୍ନ ଆଲୋକମାଳାଏ ଘଣ୍ଟି ଓ ବଲ୍ ଓ ତାରାରେ ସଜାଇବା ପରମ୍ପରା ରହିଛି । ଏହି ପରମ୍ପରା ପଛରେ ଥିବା କାରଣଟି ହେଉଛି – ବାଇବେଲ୍ ଅନୁଯାୟୀ ଯୀଶୁଙ୍କ ଜନ୍ମ ସମୟରେ ଦେବଦୂତମାନେ ଯୀଶୁଙ୍କ ମା’ ମେରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଆସିଥିଲେ ଏବଂ ଏକ ବୃକ୍ଷକୁ ବିଭିନ୍ନ ରଙ୍ଗୀନ୍ ଆଲୋକମାଳା ଓ ତାରାରେ ସଜାଇ ଉପହାର ସ୍ୱରୂପ ଦେଇଥିଲେ । ତେଣୁ ପ୍ରତିବର୍ଷ ଯୀଶୁଙ୍କ ଜନ୍ମଦିନରେ କ୍ରୀସ୍ମାସ ଟ୍ରୀ ସଜାଯାଉଛି । ଟ୍ରୀରେ ସଜାଯାଇଥବା ଘଣ୍ଟି ମଙ୍ଗଳମୟର ପ୍ରତୀକ ହୋଇଥିବାବେଳେ ତାରାଗୁଡ଼ିକ ଉଜ୍ଜ୍ୱଳ ଆଲୋକିତ ପରିବେଶର ସନ୍ଦେସ ବାହକ ଅଟନ୍ତି ।
ଉପହାର – କ୍ରୀସ୍ମାସ ଡେ’ରେ ଦେବଦୂତ ଭାବେ ସାନ୍ତାକ୍ଲଜ୍ ନାମକ ଜଣେ ବ୍ୟକ୍ତି ଶିଶୁମାନଙ୍କ ପାଇଁ ଉପହାର ଆଣିଥାନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଏହି ଦିନ କେତେଜଣ ବ୍ୟକ୍ତି ସାନ୍ତାଙ୍କ ଭଳି ଲାଲ୍ ପୋଷାକ ପିନ୍ଧି ଛୋଟପିଲାଙ୍କୁ ଉପହାର ଦେଇଥାନ୍ତି । ଏହାଛଡ଼ା ବନ୍ଧୁ ଓ ସାଙ୍ଗସାଥିଙ୍କୁ ମଧ୍ୟ ଉପହାର ଦିଆଯାଇଥାଏ ।
କେକ୍ ପ୍ରସ୍ତୁତ କରିବା – ଉତ୍ସବର ଖୁସିକୁ ଜାହିର୍ କରିବା ପାଇଁ ପ୍ରତ୍ୟେକ ପର୍ବପର୍ବାଣୀରେ ପିଠାପଣା ପ୍ରସ୍ତୁତ ହେବାର ପରମ୍ପରା ସବୁ ଧର୍ମରେ ଦେଖିବାକୁ ମିଳେ । ତେଣୁ କ୍ରୀସ୍ମାସର ଖୁସିକୁ ବାଣ୍ଟିବା ପାଇଁ ମିଷ୍ଟାନ୍ନ ଭାବେ କେକ୍ ବା ପୁଡିଙ୍ଗ୍ ପ୍ରସ୍ତୁତ କରାଯାଏ । ଜନ୍ମଦିନର ଖୁସକୁ କେକ୍ କାଟି ସେଲିବ୍ରେସନ୍ କରାଯିବା ଭଳି ଯୀଶୁଙ୍କ ଜନ୍ମଦିନରେ ମଧ୍ୟ କେକ୍ ପ୍ରସ୍ତୁତ କରାଯାଏ ।
ଅଭିନନ୍ଦନ କାର୍ଡ଼ – ଉପହାର ସହିତ ଅନ୍ୟମାନଙ୍କୁ କ୍ରୀସ୍ମାସର ଶୁଭେଚ୍ଛା ଜଣାଇବା କିମ୍ବା ମେସେଜ୍ ଦେବା ପାଇଁ ଅଭିନନ୍ଦନ କାର୍ଡ଼ର ପ୍ରଚଳନ କରାଯାଇଛି ।
କ୍ୟାରୋଲ୍ – ସଙ୍ଗୀତ ମାଧ୍ୟମରେ ପ୍ରଭୁ ଯୀଶୁଙ୍କର ଗୁଣଗାନ ଏବଂ ତାଙ୍କ ପ୍ରତି ଶ୍ରଦ୍ଧା ପ୍ରଦର୍ଶନ କରିବା କ୍ରୀସ୍ମାସ୍ର ଅନ୍ୟ ଏକ ପ୍ରାଚୀନ ପରମ୍ପରା । ଏହି ସଙ୍ଗୀତ କ୍ରୀସ୍ମାସ କ୍ୟାରୋଲ୍ ନାମରେ ପରିଚିତ । କ୍ରୀସ୍ମାସ ସନ୍ଧ୍ୟାରେ ଚର୍ଚ୍ଚଗୁଡ଼ିକରେ ଏହି ସଙ୍ଗୀତ ବୋଲାଯାଇଥାଏ ।